ଚନ୍ଦ୍ରଶେଖରପୁର: ସେସୁ ଅଧୀନରେ ଥିବା ଜିଲ୍ଲାଗୁଡ଼ିକର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ବିଦ୍ୟୁତ୍ ସଂଯୋଗ କରାଯିବ। ଯେଉଁଠି ନାହିଁ, ସେଠାକୁ ଯୁଦ୍ଧକାଳୀନ ଭିତ୍ତିରେ ସୁବିଧା ଉପଲବ୍ଧ କରାଯିବ ବୋଲି ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ନବମ ପ୍ରତିଷ୍ଠା ଦିବସରେ ଯୋଗଦେଇ ସେସୁର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ବରିଷ୍ଠ ଅଇପିଏସ୍ ଅଧିକାରୀ ଅରୁଣ ବୋଥ୍ରା କହିଛନ୍ତି।
କିଟ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ପ୍ରତିଷ୍ଠା ଦିବସ ତଥା ଦୁଇଦିନିଆ କର୍ମଶାଳାକୁ ଉଦ୍ଘାଟନ କରି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ କହିଲେ, ସାମଗ୍ରିକ ବିକାଶ ହେଉଛି ପ୍ରତ୍ୟେକ ଶିଶୁର ଅଧିକାର। ସରକାରଙ୍କ ପକ୍ଷରୁ କରାଯାଉଥିବା ବିଭିନ୍ନ ଯୋଜନା, ସୁବିଧା ଓ ସୁଯୋଗକୁ ପ୍ରତ୍ୟେକ ଶିଶୁଙ୍କ ନିକଟରେ ଉପଲବ୍ଧ କରିବା ଦିଗରେ ସରକାର, ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ଦାୟିତ୍ୱ ନେବା ଆବଶ୍ୟକ। ଗଞ୍ଜାମ, ଗଜପତି, କୋରାପୁଟ ପରି ଜିଲ୍ଲାରେ ଏବେ ବାଲ୍ୟ ବିବାହ ବଢ଼ିବାରେ ଲାଗିଛି। ୧୮ବର୍ଷରୁ କମ୍ ବୟସର ଝିଅମାନେ ବାଲ୍ୟ ବିବାହ କରୁଛନ୍ତି। ରାଜ୍ୟର ୨୧ ପ୍ରତିଶତ ପିଲା ବାଲ୍ୟ ବିବାହ କରୁଛନ୍ତି। ଏହାକୁ ରୋକିବା ଦିଗରେ ଏକାଧିକ ପଦକ୍ଷେପ ନିଆଯାଉଛି। ତଥାପି ୫ଜଣରେ ଜଣେ ଝିଅ ବାଲ୍ୟ ବିବାହ କରୁଛନ୍ତି। ଏହାକୁ ରୋକିବାକୁ ହେଲେ ଶିକ୍ଷାଦାନ ପ୍ରକ୍ରିୟାକୁ ସୁଦୃଢ଼ କରିବା ସହ ସମସ୍ତେ ସଚେତନ ହେବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଅନ୍ୟତମ ଅତିଥି ଭାବେ ଯୋଗଦେଇ କହିଲେ, ଶିଶୁଙ୍କ ସୁରକ୍ଷା ଓ ଶିକ୍ଷାଦାନକୁ ସୁନିଶ୍ଚିତ କରିବା ପାଇଁ ରାଜ୍ୟର ସମସ୍ତ ଜିଲ୍ଲାରେ କିସ୍ର ଶାଖା କେନ୍ଦ୍ର ଖୋଲାଯିବ। ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ଯୋଗଦେଇ ଶିଶୁଙ୍କ ଅଧିକାର ସୁରକ୍ଷା ପାଇଁ ହୋଇଥିବା ଯୋଜନା ଓ ବ୍ୟବସ୍ଥାଗୁଡ଼ିକ ଉପରେ ଆଲୋକପାତ କରିଥିଲେ। ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ସ୍ବାଗତ ଭାଷଣ ଦେଇ ଗତ ବର୍ଷକ ମଧ୍ୟରେ ୫୦୦ରୁ ଅଧିକ ଶିଶୁ ଅଧିକାର ସଂପୃକ୍ତ ମାମଲାର ଫଇସଲା କରାଯିବା ସହ ଜନଶୁଣାଣି ମାଧ୍ୟମରେ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚି ପାରିଥିବା କହିଥିଲେ। ରାଜସ୍ଥାନ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସଙ୍ଗୀତା ବେନିଓ୍ୱାଲ୍ ଓ ଆକ୍ସନ୍-ଏଡ୍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସନ୍ଦୀପ ଚାଚ୍ରା ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାୟଗଡ଼ା, ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାପାଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉତ୍ତମ ପ୍ରଦର୍ଶନ କରିଥିବା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଶିଶୁ କଲ୍ୟାଣ ପରିଷଦ ଓ ବାଲ୍ୟ ବିବାହରୁ ଦୂରେଇ ରହିଥିବା କିଶୋରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।