ଭୁବନେଶ୍ବର: ଶାସ୍ତ୍ରୀୟ ସଂଗୀତର ପ୍ରଚାରପ୍ରସାର ପାଇଁ କାର୍ଯ୍ୟ କରୁଥିବା ଭୁବନେଶ୍ୱରର ଅନ୍ୟତମ ଅଗ୍ରଣୀ ଅନୁଷ୍ଠାନ ’ହିନ୍ଦୁସ୍ଥାନୀ ସଂଗୀତ ସଭା’ ଆନୁକୂଲ୍ୟରେ ଗତକାଲିଠାରୁ ଦୁଇଦିନିଆ ୫ମ ରାଜ୍ୟସ୍ତରୀୟ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଂଗୀତ ସମାରୋହ ସ୍ଥାନୀୟ ବୁଦ୍ଧ ମନ୍ଦିର ପ୍ରେକ୍ଷାଳୟରେ ଉଦ୍ୟାପିତ ହୋଇଯାଇଛି ।

Advertisment

ସମାରୋହରେ ବିଶିଷ୍ଟ ଶାସ୍ତ୍ରୀୟ ସଂଗୀତ ଗୁରୁ ବିଦୁଷୀ ନୈମା ଆଲାମ, ବିଶିଷ୍ଟ ଗାୟକ ତଥା ସଂଗୀତ ନିଦେ୍ର୍ଦଶକ ଗୁରୁ ପଣ୍ଡିତ ଲକ୍ଷ୍ମୀକାନ୍ତ ପାଲିତ ଏବଂ ଅନୁଷ୍ଠାନର ଉପ-ସଭାପତି ଡ଼ ସର୍ବେଶ୍ୱର ଶତପଥୀ ପ୍ରମୁଖ ଯୋଗଦେଇ ଶାସ୍ତ୍ରୀୟ ସଂଗୀତର ଉପଯୋଗିତା ଉପରେ ଆଲୋକପାତ କରିଥିଲେ ।

ଅନୁଷ୍ଠାନର ସଂପାଦକ ଡ଼. ରଘୁନାଥ ସାହୁ ଦୀର୍ଘବର୍ଷ ଧରି ସଂଗୀତ ସଭାର ଏହି ଶାସ୍ତ୍ରୀୟ ସଂଗୀତ ପରିବେଷଣ କାର୍ଯ୍ୟଧାରାକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ଆହ୍ୱାନ ଦେଇଥିଲେ । ଅନୁଷ୍ଠାନର କୋଷାଧ୍ୟକ୍ଷ ଗୁରୁ ଶ୍ରୀ କରୁଣାକର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଶାସ୍ତ୍ରୀୟ ସଂଗୀତ ସମାରୋହର ପ୍ରଥମ କାର୍ଯ୍ୟକ୍ରମ ଥିଲା ସୁଶ୍ରୀ ସୁବ୍ରତା ବିଶ୍ୱାଳଙ୍କ ଖୟାଲ ଗାୟନ ରାଗଶୁଦ୍ଧ କଲ୍ୟାଣରେ । ପରେ ଗୁରୁ ଶ୍ରୀ ବିଶ୍ୱମୋହନ ମିଶ୍ର ରାଗ-ବିହାଗରେ ଗୀଟାର ବାଦନ କରିଥିଲେ । ଗୁରୁ ଶ୍ରୀ କୃଷ୍ଣଚନ୍ଦ୍ର ଦାଶ ରାଗ-ମଧୁକୌଶ ଖୟାଲ ଶୈଳୀରେ ଗାୟନ କରିଥିଲେ । ଏହାପରେ ରାଗ-ଚଂପକଲିରେ ଏକକ ବେହେଲା ବାଦନ କରିଥିଲେ ଗୁରୁ ଶ୍ରୀ ପ୍ରଶାନ୍ତ କୁମାର ପାଢୀ ।

ଯୁବ ପ୍ରତିଭା ଗୁରୁ ଶ୍ରୀ ଅମିତ ରଥଙ୍କର ରାଗ-କଳାବତିରେ ଗାୟନ ପ୍ରସ୍ତୁତି ପରେ ଗୁରୁ ଶ୍ରୀ ଚିତରଂଜନ ମହାପାତ୍ରଙ୍କର ଏକକ ତବଲା ବାଦନ ଏହି କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ଥିଲା । ସମସ୍ତ କାର୍ଯ୍ୟକ୍ରମରେ ତବଲାରେ ସହଯୋଗ କରିଥିଲେ ଗୁରୁ ଶ୍ରୀ ସୁଶାନ୍ତ କୁମାର ଜେନା, ଗୁରୁ ଶ୍ରୀ ଶଶିକାନ୍ତ ସାହୁ ଏବଂ ହାରମୋନିୟମରେ ସହଯୋଗ କରିଥିଲେ ଗୁରୁ ଶ୍ରୀ ଜୀବନ ଦାସ । କାର୍ଯ୍ୟକ୍ରମର ଉପସ୍ଥାପକ ଥିଲେ ଶ୍ରୀଯୁକ୍ତ ବୈଦୁର୍ଯ୍ୟନାଥ କର।