ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଓଟିଭି ଏମଡିଙ୍କୁ ନୋଟିସ୍, ଆସନ୍ତାକାଲି ହାଜର ହେବେ

ଭୁବନେଶ୍ବର:  ଓଟିଭି ପରିଚାଳନା ନିର୍ଦ୍ଦେଶିକାଙ୍କୁ କ୍ରାଇମବ୍ରାଞ୍ଚର ନୋଟିସ । ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ଓଟିଭି ଏମଡ଼ି ଜାଗୀମଙ୍ଗତ ପଣ୍ଡାଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ନୋଟିସ ଜାରି କରାଯାଇଛି । ଆସନ୍ତାକାଲି ଦିନ ୧୧ଟାରେ ହାଜର ହେବାକୁ ନୋଟିସ କରାଯାଇଛି । ଭୁବନେଶ୍ୱରସ୍ଥିତ କ୍ରାଇମବ୍ରାଞ୍ଚ ଅଫିସରେ ହାଜର ହେବାକୁ କୁହାଯାଇଛି  ।

ଦୁଇ ଦିନ ତଳେ ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦେଇଥିଲେ ରାଜ୍ୟ ସରକାର । ପୂର୍ବରୁ ମହିଳା କମିସନଙ୍କ ନିକଟରେ ହାଜର ହୋଇଥିଲେ ଶ୍ରୀମତି ପଣ୍ଡା । କିନ୍ତୁ ସେ ଶୁଣାଣି ପୂର୍ବରୁ ଚାଲିଆସିଥିଲେ ।  ପରେ ହାଜର ପାଇଁ ନୋଟିସ ହୋଇଥିଲେ ବି ତାଙ୍କ ପ୍ରତିନିଧି କମିସନରେ ହାଜର ହୋଇ ଲିଖିତ ଭାବେ ପକ୍ଷ ରଖିଥିଲେ । ଅଭିଯୋଗ ଅନୁସାରେ, ପୀଡିତାଙ୍କ ମା’ ତାଙ୍କ ନାବାଳିକ ଝିଅକୁ ଗଣଦୁଷ୍କର୍ମ କରାଯାଇଥିବା ନେଇ ଟେଲିଫୋନ ଯୋଗେ ଓଟିଭି ଏମଡିକୁ ଜଣାଇଥିଲେ । ସବୁ ଶୁଣିବା ପରେ ବି ସେ କୌଣସି ପଦକ୍ଷେପ ନେଇ ନଥିଲେ । ତେଣୁ ପୀଡିତା ନାବାଳିକାଙ୍କ ମା’ଙ୍କ ପକ୍ଷରୁ ହୋଇଥିବା ଲିଖିତ ଅଭିଯୋଗ ଓ ଦାଖଲ କରାଯାଇଥିବା ଅଡିଓ କ୍ଲିପ ଆଧାରରେ  ଓଟିଭି ଏମଡିଙ୍କୁ ମହିଳା କମିସନ ନୋଟିସ କରିଥିଲେ ।

ଲକଡାଉନ ସମୟରେ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ନେଇ ଅଗଷ୍ଟ ୩୦ ତାରିଖରେ ପୀଡିତାଙ୍କ ମା’ ଅଭିଯୋଗ କରିବା ପରେ ମାମଲା ରୁଜୁ ହୋଇଥିଲା । ଓଟିଭିର ଦୁଇଜଣ କର୍ମଚାରୀ, ୨ ଜଣ ସୁରକ୍ଷା କର୍ମୀ ଓ ୩ ଜଣ ପୁଲିସ ଏଥିରେ ସଂପୃକ୍ତ ରହିଥିବା ଅଭିଯୋଗ ହୋଇଥିଲା । ମାମଲାର ତଦନ୍ତ ଏବେ  କ୍ରାଇମବ୍ରାଂଚ କରୁଛି । ଓଟିଭିର କିଛି କର୍ମଚାରୀଙ୍କୁ ପୁଲିସ ବି ଏହି ମାମଲାରେ ଜେରା କରିସାରିଛି ।

ସମ୍ବନ୍ଧିତ ଖବର