ଭୁବନେଶ୍ୱର: ଫୁଲରେ ସଜେଇ ହେଇଛି ଏକାମ୍ରକାନନ। ଗୋଲାପ, ସୂର୍ଯ୍ୟମୁଖୀ, ପିଟୁନିଆ, କାଲେଣ୍ଡୁଲା, ଜିନିଆ, ଜାର୍ଭେରା, ଗ୍ଲାଡିଓଲି, ଡାଲିଆ, ଗେଣ୍ଡୁ ପରି ଭଳିକି ଭଳି ଫୁଲର ସମ୍ଭାରରେ ଛାଇ ଯାଇଛି ଉଦ୍ୟାନ। ମନୋରମ ପରିବେଶ ସାଙ୍ଗକୁ ଫୁଲର ହାଲ୍କା ସୁଗନ୍ଧ ଉଦ୍ୟାନର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରୁଛି। କୋରାପୁଟ କଫି ସହିତ ଡାଲଖାଇ ନୃତ୍ୟ ପର୍ଯ୍ୟଟକଙ୍କୁ ମତୁଆଲା କରୁଛି। ଅପରାହ୍ଣ ବେଳକୁ ପୂରା ପାର୍କ ଖଚାଖଚ୍ ଭିଡ଼ରେ ପୂରି ଯାଇଥିଲା। ପିଲାଠୁ ବୁଢ଼ା ପର୍ଯ୍ୟନ୍ତ ସବୁ ବର୍ଗର ଲୋକେ ବଗିଚା ବୁଲି ରଙ୍ଗବେରଙ୍ଗର ଫୁଲ ଦେଖିବା ସହ ସେଲ୍ଫି ନେଇଥିଲେ। ଆଜି ପ୍ରଥମ ଦିନରେ ପାଖାପାଖି ୩୦ ହଜାର ଲୋକଙ୍କ ସମାଗମ ହୋଇଥିବା ଜଣାଯାଇଛି।
ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର ଓ ପ୍ଲାଣ୍ଟ ଲଭର୍ସ ଆସୋସିଏସନ୍ର ମିଳିତ ଆନୁକୂଲ୍ୟରେ ତଥା ଓଏମ୍ସି, ଓଏଫଡିସି, ଉଦ୍ୟାନ ବିଭାଗ ନିର୍ଦ୍ଦେଶାଳୟ, ନାଲ୍କୋ, ଏମଜିଏମ ମିନେରାଲ ଓ ସୋଆ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀରେ ଏଭଳି ଦେଖିବାକୁ ମିଳିଛି। ପ୍ରଦର୍ଶନୀରେ ଡାଲିଆ, ସୂର୍ଯ୍ୟମୁଖୀ ଓ ବିଭିନ୍ନ ପତ୍ରରେ ସୁସଜ୍ଜିତ ଗେଟ୍ ଓ ଷ୍ଟେଜ ନିକଟରେ ସୂର୍ଯ୍ୟମୁଖୀ, ମନ୍ଦାର ଫୁଲ ଓ ପତ୍ରରେ ତିଆରି ସେଲ୍ଫି ପଏଣ୍ଟ ପ୍ରମୁଖ ଆକର୍ଷଣ ସାଜିଥିଲା। ଭାରତୀୟ ପ୍ରାଶାସନିକ ଅଧିକାରୀ ଦେବୀଦତ୍ତ ବିଶ୍ୱାଳ ଅତିଥି ଭାବେ ଯୋଗଦେଇ ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବେ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁରେଶ ପନ୍ତ ଚଳିତ ବର୍ଷ ଉଦ୍ୟାନ କୃଷି ଓ ଛାତ ଉପର ବଗିଚାକୁ ବେଶୀ ଗୁରୁତ୍ୱ ଦିଆଯାଇଛି ବୋଲି କହିଥିଲେ। ଏହି ଅବସରରେ ପ୍ରମୁଖ ବନ ସଂରକ୍ଷକ ଓ ହେଡ ଅଫ୍ ଫରେଷ୍ଟ ଫୋର୍ସର ‘ଗବେଷଣା ରିପୋର୍ଟ ୨୦୨୨-୨୩’ ଓ ପ୍ଲାଣ୍ଟ ଲଭର୍ସ ଆସୋସିଏସନ୍ର ସ୍ମରଣିକା ‘ସବୁଜିମା’ ଉନ୍ମୋଚିତ ହୋଇଥିଲା। ସେହିପରି ଅପରାହ୍ନ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ପ୍ରାଶାସନିକ ଅଧିକାରୀ ପୁସାଜୁଲ ମେକ୍ରୋ, ସମ୍ମାନିତ ଅତିଥି ଭାବେ ପ୍ଲାଣ୍ଟ ଲଭର୍ସ ଆସୋସିଏସନ୍ର ସଭାପତି କ୍ଷୀରୋଦ ପଟ୍ଟନାୟକ ଓ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁରେଶ ପନ୍ତ ଯୋଗଦେଇ ପେଣ୍ଟିଂ, ପୋଷ୍ଟର ପ୍ରତିଯୋଗିତା, ଶ୍ରେଷ୍ଠ ବଗିଚା ପ୍ରିଯୋଗିତାର ବିଜୟୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମରେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ସମେତ ଅନ୍ୟ ସ୍କୁଲ ଗୁଡ଼ିକୁ ‘ସବୁଜ ବିଦ୍ୟାଳୟ ସମ୍ମାନ’ ପ୍ରଦାନ କରାଯାଇଥିଲା। ସାଇ ଇଣ୍ଟରନ୍ୟାସନାଲ ସ୍କୁଲ କ୍ରମାଗତ ଭାବରେ ୧୧ ବର୍ଷ ଧରି ଏହି ସମ୍ମାନ ପାଉଛି।
ପ୍ରଦର୍ଶନୀରେ ୩୬ଟି ଫାର୍ମ, ୧୯ଟି ନର୍ସରି, ୪୪ଟି ଷ୍ଟଲରେ ସୌଖୀନ ଗଛ ପ୍ରଦର୍ଶିତ ହୋଇଥିଲା। ପ୍ରଦର୍ଶନୀର ଅଧିକାଂଶ ଷ୍ଟଲରେ ଛୋଟ ଗଛ, ପନିପରିବା ମଞ୍ଜି, ଫୁଲ ମଞ୍ଜି କିଣିବାକୁ ଭିଡ଼ ପରିଲକ୍ଷିତ ହେଉଛି। ପାତ୍ରପଡ଼ାସ୍ଥିତ ଗ୍ରିନ ରିଭଲ୍ୟୁସନର ପରିଚାଳନା ନିର୍ଦ୍ଦେଶକ ବିଶ୍ୱଜିତ ସ୍ୱାଇଁଙ୍କ କହିବା ଅନୁଯାୟୀ ଛାତ ଉପର ବଗିଚାରେ ଗଛ ଲଗାଇବା ପାଇଁ ଲୋକମାନେ ଆଲଭେରା, ଲେମନ ଗ୍ରାସ, ବିଭିନ୍ନ ପରିବା ଗଛ, ଶାଗ ଗଛ ଆଦି ନେଉଛନ୍ତି। ବିଶେଷ କରି ମହିଳାମାନେ ଏଥିପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। ଏପରିକି କିଭଳି ଛାତ ଉପରେ କମ୍ ଜାଗାରେ ଅଧିକ ଗଛ ଲଗାଇ ହେବ ସେ ନେଇ ପରାମର୍ଶ ନେଉଛନ୍ତି। ଚଳିତ ବର୍ଷ ପ୍ରଦର୍ଶନୀରେ ସେ ଛାତ ଉପର ବଗିଚା ପାଇଁ ଏକ ନୂଆ ପ୍ରଣାଳୀ ହାଇଡ୍ରୋପୋନିକ ସିଷ୍ଟମ ଆଣିଛନ୍ତି। ଏହି ପ୍ରଣାଳୀରେ ଛାତ ଉପରେ ଲମ୍ୱା ପ୍ଲାଷ୍ଟିକ ନଳୀଗୁଡ଼ିକୁ ଏକ ଟାଙ୍କି ସହ ସଂଯୋଗ କରାଯାଇଛି। ଏହି ନଳୀ ମଧ୍ୟରେ ଛୋଟ ଛୋଟ ଗାତ ରହିଛି। ଏଥିରେ ଅଳ୍ପ ମାଟି, କୋକୋବିଟ୍, ପାରାଲାଇଟ ଆଦି ବ୍ୟବହାର କରି ଶାଗ ଜାତୀୟ ଗଛ ଲଗାଯାଇପାରିବ। ସେହିପରି କେନ୍ଦ୍ର ପକ୍ଷରୁ ପ୍ରସ୍ତୁତ ହେଉଥିବା ଜିଆ ଖତ ଓ ଫୁଲ, ପରିବାର ମଞ୍ଜି କିଣିବାକୁ ମଧ୍ୟ ଭିଡ଼ ହୋଇଥିଲା।