ଭୁବନେଶ୍ବର: ରାଜ୍ୟସ୍ତରୀୟ ବନ ମହୋତ୍ସବକୁ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ସ୍ଥାନୀୟ କର୍ପୋରେଟର୍ ରାମଚନ୍ଦ୍ର ରଣସିଂହଙ୍କୁ ନିମନ୍ତ୍ରଣ କରା ନଯିବା ଘଟଣାର ପ୍ରତିବାଦ କରିଛି ବିଜେପି। ଗୋଟିଏ ପଟେ ବରମୁଣ୍ଡା ସ୍କୁଲ ପଡ଼ିଆରେ ଏହି କାର୍ଯ୍ୟକ୍ରମ ଚାଲିଥିବା ବେଳେ ଅପରପକ୍ଷେ କିଛି ସମର୍ଥକଙ୍କ ସହ କର୍ପୋରେଟର୍ ଶ୍ରୀ ରଣସିଂହ ସ୍କୁଲ ଆଗରେ କଳାବ୍ୟାଜ୍ ପିନ୍ଧି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏପରିକି ସେମାନେ ଉତ୍ସବସ୍ଥଳକୁ ଧସେଇ ପଶିବା ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ସ୍କୁଲ ଗେଟ୍ ପାଖରେ ଥିବା ପୁଲିସ୍ ତାଙ୍କୁ ବାଧା ଦେଇଥିଲା। ଫଳରେ ପୂର୍ବାହ୍ନ ପ୍ରାୟ ୧୦ରୁ ୧୧ଟା ପର୍ଯ୍ୟନ୍ତ ଘଣ୍ଟାଏ କାଳ ସେ ଗେଟ୍ ସମ୍ମୁଖରେ ଧାରଣାରେ ବସିଥିଲେ। ଏହାକୁ ନେଇ ଘଟଣାସ୍ଥଳରେ ସାମୟିକ ଉତ୍ତେଜନା ପ୍ରକାଶ ପାଇଥିଲା। ଏଠାରେ ସୂଚନାଯୋଗ୍ୟ, ଗତକାଲି ବିନା ନିମନ୍ତ୍ରଣରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ମହୋତ୍ସବରେ ଯୋଗଦେବେ ବୋଲି ଟ୍ବିଟ୍ କରି କହିଥିଲେ। କିନ୍ତୁ ଆଜି ନା ତାଙ୍କୁ ନା ଭୁବନେଶ୍ବର ବିଜେପିର କୌଣସି ଛାମୁଆ ନେତାଙ୍କୁ ଉତ୍ସବ ସ୍ଥଳରେ ଦେଖା ମିଳିଲା। ଏହି ଘଟଣା ଆଜି ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଥିଲା।
କଳାବ୍ୟାଜ୍ ପିନ୍ଧି ସ୍କୁଲ ଆଗରେ ଧାରଣା ଦେଲେ କର୍ପୋରେଟର୍
ଅପରାଜିତା ଭୁବନେଶ୍ବର ନା ପୁରୀ ସାଂସଦ: ଅଶୋକ ପଣ୍ଡା
ନିମନ୍ତ୍ରଣ କାର୍ଡ ଫୋପାଡ଼ି ଦେଇଥିଲେ କର୍ପୋରେଟର୍
ଶ୍ରୀ ରଣସିଂହ ଅଭିଯୋଗ କରିଥିଲେ ଯେ ଏଭଳି ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ସାଂସଦ ଓ ସ୍ଥାନୀୟ କର୍ପୋରେଟର୍ଙ୍କୁ ଡକା ନଯିବା ଅତ୍ୟନ୍ତ ଲଜ୍ଜାଜନକ। ଏହା ଶାସକ ଦଳର ହୀନମନ୍ୟତାକୁ ପ୍ରମାଣିତ କରୁଛି। ସେହିପରି ରାଜ୍ୟ ସରକାର ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିବା ବେଳେ ମନ୍ତ୍ରୀ ଅଶୋକ ପଣ୍ଡା କାହିଁକି ଦଳୀୟ ପତାକା ସହ ରାଲିରେ ଉତ୍ସବସ୍ଥଳକୁ ଆସିଲେ ବୋଲି ସେ ପ୍ରଶ୍ନ କରିଛନ୍ତି।
ଅପରପକ୍ଷେ ଏହି ଘଟଣାରେ ମନ୍ତ୍ରୀ ଶ୍ରୀ ପଣ୍ଡା ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବନ ମହୋତ୍ସବରେ ଯୋଗ ଦେବା ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ କର୍ପୋରେଟର୍ ଶ୍ରୀ ରଣସିଂହଙ୍କୁ ନିମନ୍ତ୍ରଣ କାର୍ଡ ଦିଆଯାଇଥିଲା। କିନ୍ତୁ ଅତିଥି ତାଲିକାରେ ତାଙ୍କ ନାଁ ନଥିବାରୁ ସେ କାର୍ଡଟିକୁ ଫୋପାଡ଼ି ଦେଇଥିଲେ। ସେହିପରି ଅପରାଜିତା ଷଡ଼ଙ୍ଗୀ ଭୁବନେଶ୍ବର ନା ପୁରୀର ସାଂସଦ ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା ପ୍ରଶ୍ନ କରିଛନ୍ତି। ଲିଙ୍ଗରାଜ ମହାପ୍ରଭୁଙ୍କ ସ୍ବତନ୍ତ୍ର ପରିଚାଳନା ଆଇନ ପାଇଁ ତତ୍କାଳୀନ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ନିକଟକୁ ଯିବା ପାଇଁ ଯେତେବେଳେ ଭର୍ତ୍ତୃହରି ମହତାବ, ପ୍ରସନ୍ନ ଆଚାର୍ଯ୍ୟ, ସସ୍ମିତ ପାତ୍ର ତାଙ୍କୁ ସେଣ୍ଟ୍ରାଲ ହଲ୍କୁ ଡାକିଥିଲେ, ସେ ଯିବାକୁ ସ୍ପଷ୍ଟ ମନା କରିଦେଇଥିଲେ। ଏବେ କିନ୍ତୁ ଲୋକଙ୍କୁ ଭୁତାଇବା ପାଇଁ ଦୁଇଟି ଭିନ୍ନ ଆଇନ ଏନ୍ଏମ୍ଏ ଆକ୍ଟ ଆଣି ଲିଙ୍ଗରାଜ ମନ୍ଦିର ଆଇନ ସହ ଯୋଡ଼ୁଛନ୍ତି। ତାଙ୍କର ଏଭଳି ଆଚରଣକୁ ଲୋକେ କ୍ଷମା ଦେବେ ନାହିଁ। ଶ୍ରୀ ପଣ୍ଡା ଆହୁରି କହିଛନ୍ତି, ପୋଖରୀପୁଟ କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ମୁଖ୍ୟମନ୍ତ୍ରୀ ୨୫ଲକ୍ଷ ଟଙ୍କା ଦେଲେ, ଜାଗା ଦେଲେ। କିନ୍ତୁ ଯେତେବେଳେ ଏ ସ୍କୁଲ ହେଲା, ସେତେବେଳେ ମୋତେ କିମ୍ବା ସ୍ଥାନୀୟ କର୍ପୋରେଟର୍ଙ୍କୁ ନିମନ୍ତ୍ରଣ କରାଯାଇନଥିଲା। କିନ୍ତୁ ଆଜିର ବନ ମହୋତ୍ସବ କାର୍ଯ୍ୟକ୍ରମରେ ଅନ୍ୟ ଯେଉଁ କର୍ପୋରେଟର୍ମାନେ ଯୋଗ ଦେଇଥିଲେ ସେମାନଙ୍କୁ କାର୍ଯ୍ୟକ୍ରମରେ ଯଥୋଚିତ ସମ୍ମାନ ଦିଆଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/z4gd654dg65da4g65da.jpg)