ଏମ୍ସକୁ ଆଉ ୨୦ ଏକର ଜମି ଦେବେ ରାଜ୍ୟ ସରକାର

ନିର୍ମାଣ ହେବ ସୁପର ସ୍ପେସାଲିଟି ବ୍ଲକ୍, ସଂକ୍ରମଣ ୱାର୍ଡ, ସେଣ୍ଟ୍ରାଲାଇଜ୍‌ଡ ଓଟି ଖୁବଶୀଘ୍ର

ଖଣ୍ଡଗିରି : ଭୁବନେଶ୍ବର ଏମ୍ସକୁ ଆଉ ୨୦ ଏକର ଜମି ଦେବେ ରାଜ୍ୟ ସରକାର। ଏହାକୁ ନେଇ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ସାରିଛି। ଡାକ୍ତରଖାନା ସମ୍ମୁଖ ସ୍ଥିତ କାଜୁବଣ ଜମିରେ ଏମ୍ସ ପକ୍ଷରୁ ସ୍ବତନ୍ତ୍ର ଭାବରେ ସୁପର ସ୍ପେସାଲିଟି ବ୍ଲକ୍‌, ୨୦୦ ଶଯ୍ୟା ବିଶିଷ୍ଟ ସଂକ୍ରମଣ ୱାର୍ଡ ତିଆରି ହେବ ବୋଲି କହିଛନ୍ତି ଅଧୀକ୍ଷକ ସଚ୍ଚିଦାନନ୍ଦ ମହାନ୍ତି। ଏହାପରେ ଏମ୍ସରେ ଶଯ୍ୟା ଅଭାବ ସମସ୍ୟାର ସମାଧାନ ହେବା ନେଇ ଆଶା ରହିଛି।

ଏମ୍ସ ପ୍ରତି ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଝାରଖଣ୍ଡ, ଛତିଶଗଡ଼ ରୋଗୀଙ୍କ ଯେଉଁଭଳି ନିର୍ଭରଶୀଳତା ବଢ଼ିଛି; ସେହି ଅନୁଯାୟୀ ଭିତ୍ତିଭୂମିର ବିକାଶ ହୋଇ ପାରି ନ ଥିବା ଅଭିଯୋଗ ହୁଏ। ୧୦୦ ଏକର ଜମିରେ ପରିବ୍ୟାପ୍ତ ଏମ୍ସରେ ଡାକ୍ତରଖାନା, ମେଡିକାଲ କଲେଜ ଏବଂ ଆବାସିକ କଂପ୍ଲେକ୍ସ ରହିଛି। ଏଠାରେ ୧୫ ସୁପର ସ୍ପେସାଲିଟି ବିଭାଗ ସହିତ ସମୁଦାୟ ୪୩ ବିଭାଗ ରହିଛି। ଏଥିରେ ପ୍ରାୟ ଏକ ହଜାର ଶଯ୍ୟା ରହିଛି। ମାତ୍ର ଏମ୍ସକୁ ଆସୁଥିବା ରୋଗୀଙ୍କ ପାଇଁ ଏତିକି ଶଯ୍ୟା ଯଥେଷ୍ଟ ହେଉ ନାହିଁ। ପ୍ରତିଦିନ ପ୍ରାୟ ୩ ହଜାର ରୋଗୀ ଏମ୍ସ ଆଉଟ୍‌ଡୋର୍‌କୁ ଆସିଥାଆନ୍ତି। ଏଥିରୁ ଅଧିକାଂଶଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସା କରିବା ଆବଶ୍ୟକ ହୁଏ। ମାତ୍ର ଶଯ୍ୟା ଅଭାବରୁ ସେମାନଙ୍କୁ ଆଡ୍‌ମିସନ୍‌ ମିଳେ ନାହିଁ। କରୋନାଜନିତ ଲକ୍‌ଡାଉନ୍‌ ପରେ ପ୍ରାୟ ସମସ୍ତ ବିଭାଗର ଶଯ୍ୟା ସଂଖ୍ୟା ୨୦ରୁ ୩୦ ମଧ୍ୟରେ ସୀମିତ ରହିଛି। ଏଥିଯୋଗୁଁ ଶଯ୍ୟା ଅଭାବ ଆହୁରି ଉତ୍କଟ ହୋଇ ପଡ଼ିଛି। ବର୍ତ୍ତମାନ କରୋନାର ଦ୍ବିତୀୟ ଲହରି ଆଶଙ୍କା କରାଯାଉଥିବାରୁ ଏହି ସ୍ଥିତି ବଳବତ୍ତର ରହିବ। ଫଳରେ କେବଳ ଅସ୍ତ୍ରୋପଚାର ପାଇଁ ଅଧିକାଂଶ ରୋଗୀଙ୍କୁ ୪ ମାସ ଅପେକ୍ଷା କରିବାକୁ ପଡ଼ୁଛି। ଯେଉଁ ସୁପର ସ୍ପେସାଲିଟି ବିଭାଗଗୁଡ଼ିକରେ ୫୦ରୁ ୬୦ ଶଯ୍ୟା ଆବଶ୍ୟକ, ସେଠାରେ ବର୍ତ୍ତମାନ କେବଳ ୨୦ରୁ ୨୫ ଶଯ୍ୟା ରହିଛି। ଏହି ପ୍ରକ୍ରିୟାରେ କାଡିଓଲୋଜି, ୟୁରୋଲୋଜି, ନ୍ୟୁରୋଲୋଜି, ନ୍ୟୁରୋସର୍ଜରି, କ୍ଲିନିକାଲ ହେମାଟୋଲୋଜି, ବର୍ଣ୍ଣ ଆଣ୍ଡ ପ୍ଲାଷ୍ଟିକ ସର୍ଜରି, ନ୍ୟୁକ୍ଲିୟର ମେଡିସିନ, ଗାଷ୍ଟ୍ରୋଏଣ୍ଟେରୋଲୋଜି ଆଦି ସୁପର ସ୍ପେସାଲିଟି ବିଭାଗର ରୋଗୀଙ୍କ ଅବସ୍ଥା ଆହୁରି ଗୁରୁତର ହେଉଛି।

କରୋନା ଭୟରେ ବାହାରକୁ ଯାଇ ଚିକିତ୍ସା କରିବା ବ୍ୟୟ ବହୁଳ ଏବଂ ବିପଦଯୁକ୍ତ ହୋଇ ପଡ଼ିଛି। ସାଧାରଣ ରୋଗୀଙ୍କ ଅପେକ୍ଷା ସୁପର ସ୍ପେସାଲିଟି ବିଭାଗକୁ ଆସୁଥିବା ରୋଗୀଙ୍କୁ ସୁସ୍ଥ ହେବା ପାଇଁ ବି ବେଶି ସମୟ ଲାଗେ। ସେମାନଙ୍କୁ ସ୍ବତନ୍ତ୍ର ଚିକିତ୍ସାର ଆବଶ୍ୟକତା ଥାଏ। ଏହି ବିଭାଗ ପାଇଁ ବେଶି ଶଯ୍ୟାର ଆବଶ୍ୟକତା ଥାଏ। ଏଥିସହିତ ଅନେକ ସୁପର ସ୍ପେସାଲିଟି ବିଭାଗଗୁଡ଼ିକର ମଧ୍ୟ ପରସ୍ପର ସହିତ ଲିଙ୍କ୍‌ ଥାଏ। ଏଥିଯୋଗୁଁ ସମସ୍ତ ବଡ଼ ଡାକ୍ତରଖାନାରେ ସ୍ବତନ୍ତ୍ର ସୁପର ସ୍ପେସାଲିଟି ବିଭାଗ ବ୍ଲକ୍‌ ରହିଛି। ଏମ୍ସର ପ୍ରସ୍ତାବିତ ସୁପର ସ୍ପେସାଲିଟି ବ୍ଲକ୍‌ରେ ୧୫ଟି ବିଭାଗର ସ୍ବତନ୍ତ୍ର ଫ୍ଲୋର୍‌ ରହିବା ସହିତ ଗୋଟିଏ ସେଣ୍ଟ୍ରାଲାଇଜ୍‌ଡ ଓଟି ରହିବ। ଏହା କାର୍ଯ୍ୟକାରୀ ହେଲେ ଜଟିଳ ଅସ୍ତ୍ରୋପଚାର ପାଇଁ ‌ରୋଗୀଙ୍କୁ ଅଧିକ ଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ ବୋଲି ଆଶା ରହିଛି। ଏହା ବ୍ୟତୀତ ସୁପର ସ୍ପେସାଲିଟି ବ୍ଲକ୍‌ ହେଲେ ସାଧାରଣ ରୋଗୀ, ସୁପର ସ୍ପେସାଲିଟି ବିଭାଗର ଗୁରୁତର ରୋଗୀ ଏବଂ ଡାକ୍ତର ପୃଥକ ହୋଇଯିବେ। ଉଭୟ ସ୍ଥାନରେ ଗହଳି ମଧ୍ୟ କମ୍‌ ରହିବ। ଦ୍ବିତୀୟତଃ ସୁପରସ୍ପେସାଲିଟି ବିଭାଗଗୁଡ଼ିକ ମୂଳ ଡାକ୍ତରଖାନାରୁ ସ୍ଥାନାନ୍ତରିତ ହେଲେ ଏମ୍ସର ସମୁଦାୟ ଶଯ୍ୟା ସଂଖ୍ୟା ୧୫୦୦ରୁ ୧୬୦୦ ହେବା ନେଇ ଆଶା ରହିଛି। ଆହୁରି ମଧ୍ୟ ପ୍ରସ୍ତାବିତ ଏହି ୨୦ ଏକର ଜମିରେ ୨୦୦ ଶଯ୍ୟା ବିଶିଷ୍ଟ ଡାଇରିଆ, ଟିବି ଭଳି ସଂକ୍ରମଣ ଓ୍ବାର୍ଡ ଏହି ସ୍ଥାନରେ କରାଯିବା ନେଇ ଯୋଜନା ରହିଛି। ବର୍ତ୍ତମାନ ଏହି ଓ୍ବାର୍ଡ ଆୟୁଷ କୋଠାରେ ରହିଛି। ଏହା ସ୍ଥାନାନ୍ତରିତ ହେଲେ ରୋଗୀ ଏବଂ ଡାକ୍ତରଙ୍କ ପାଇଁ ସୁବିଧା ହେବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର