ନିର୍ଦେଶାଳୟ ମିଶ୍ରଣକୁ ରାଜ୍ୟ ସରକାରୀ କର୍ମଚାରୀ ସମନ୍ବୟ ସମିତିର ବିରୋଧ

ଭୁବନେଶ୍ବର: ରାଜ୍ୟ ସରକାର ସଚିବାଳୟ ଓ ନିର୍ଦେଶାଳୟକୁ ମିଶ୍ରଣ ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ମିଶ୍ରଣ ଫଳରେ ବହୁ କର୍ମଚାରୀ ଛଟେଇ ହେବେ। ରାଜ୍ୟରେ ହଜାର ହଜାର ପଦବି ଖାଲି ପଡ଼ିଥିବା ବେଳେ କର୍ମଚାରୀ ଚାକିରି ହରାଇଲେ ବେକାରି ସମସ୍ୟା ଆହୁରି ବୃଦ୍ଧି ହେବ। କର୍ମଚାରୀ ଅଭାବରୁ ଜନସାଧାରଣଙ୍କ କାର୍ଯ୍ୟରେ ବ୍ୟାହତ ହେବ। ତେଣୁ ମିଶ୍ରଣ ପୂର୍ବରୁ ରାଜ୍ୟ ସରକାର ଏସବୁ ସମସ୍ୟାକୁ ଦୃଷ୍ଟି ଦେବା ଜରୁରୀ ବୋଲି କହିଛି ରାଜ୍ୟ ସରକାରୀ କର୍ମଚାରୀ ସମନ୍ବୟ ସମିତି।

ଆଜି ସମିତି ପକ୍ଷରୁ ରାଜ୍ୟ କର୍ମଚାରୀ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସଭାପତି ଲିଙ୍ଗରାଜ ମହାନ୍ତି କହିଲେ, ସରକାରୀ କର୍ମଚାରୀଙ୍କ ରହିଥିବା ସମସ୍ୟାଗୁଡ଼ିକର ସମାଧାନ ପାଇଁ ୭ଦଫା ଦାବି ସମ୍ବଳିତ ପତ୍ର ସମସ୍ତ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ତହିଁରେ ପଦବି ଉଚ୍ଛେଦ ବନ୍ଦ କରି ତଳସ୍ତରରୁ ଉପର ପର୍ଯ୍ୟନ୍ତ ଖାଲି ପଦଗୁଡ଼ିକୁ ତୁରନ୍ତ ସ୍ଥାୟୀ ଭାବେ ପୂରଣ କରାଯାଉ। ନିୟମିତ ପଦୋନ୍ନତି ସହ ଅନୁକମ୍ପା ନିଯୁକ୍ତି ଦିଆଯାଉ। ସ୍ୟାଟ୍ ଉଚ୍ଛେଦକୁ ବାତିଲ କରି ପୁନଃ ଥଇଥାନ କରାଯାଉ। ଜିଲ୍ଲାସ୍ତରୀୟ ଅମଲାମାନଙ୍କ ପୁନର୍ଗଠିତ କ୍ୟାଡର୍‌ ଅନୁସାରେ ମୁଖ୍ୟ ବିଭାଗ ଅମଲାମାନଙ୍କ ସହ ଦରମା ନିର୍ଧାରଣ ଓ ଗ୍ରେଡେସନ୍, ସେକ୍ସନ୍ ଅଫିସର, ଏଷ୍ଟାବ୍ଲିସମେଣ୍ଟ ଅଫିସର ଓ ବରିଷ୍ଠ ଏଷ୍ଟାବ୍ଲିସମେଣ୍ଟ ଅଫିସର ପଦକୁ ପଦୋନ୍ନତି ଦିଆଯାଉ। ୨୦୧୬ ମସିହା ଜାନୁଆରିରୁ ସଂଶୋଧିତ ଘରଭଡ଼ା ଭତ୍ତା କେନ୍ଦ୍ର ଅନୁରୂପ ପ୍ରଦାନ, ବର୍ଧିତ ଦରମାର ଅବଶିଷ୍ଟ ୬୦ପ୍ରତିଶତ ଅର୍ଥ ତୁରନ୍ତ ପ୍ରଦାନ କରାଯାଉ ବୋଲି ଶ୍ରୀ ମହାନ୍ତି କହିଥିଲେ। ଆସନ୍ତା ୨୪ ତାରିଖରେ ରାଜ୍ୟ ଶିକ୍ଷକ କର୍ମଚାରୀଙ୍କ ପକ୍ଷରୁ ବିଶାଳ କର୍ମଚାରୀ ସମାବେଶ ଅନୁଷ୍ଠିତ ହେବା ସହ ରାଜ୍ୟ ସରକାରଙ୍କୁ ସ୍ମାରକପତ୍ର ପ୍ରଦାନ କରାଯିବା ବୋଲି ସମିତି ପକ୍ଷରୁ ସୂଚନା ଦିଆଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଏସ୍‌.ସାହୁ, ଜ୍ୟୋତ୍ସ୍ନାମୟୀ ଦେଇ, ନରୋତ୍ତମ ପାର୍ଥସାରଥୀ, ପୂର୍ଣ୍ଣଚନ୍ଦ୍ର ନାୟକ, କାହ୍ନୁ ଚରଣ ମଲ୍ଲିକ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର