ଷ୍ଟାର୍ଟଅପ୍‌ଙ୍କ ଜିନିଷ କିଣିବେ ରାଜ୍ୟ ସରକାର, ଟାଇ ଭୁବନେଶ୍ବର-ଆଇଆଇଏମ୍ ସମ୍ବଲପୁର ମଧ୍ୟରେ ଏମ୍‌ଓୟୁ

ଓଡ଼ିଶା ଷ୍ଟାର୍ଟଅପ୍ ହବ୍ ଉଦ୍‌ଘାଟନ ଖୁବ୍‌ଶୀଘ୍ର

ଭୁବନେଶ୍ବର: ରାଜ୍ୟ ସରକାର ଆସନ୍ତା ଆର୍ଥିକ ବର୍ଷରୁ ଷ୍ଟାର୍ଟଅପ୍‌ ସଂସ୍ଥାଗୁଡ଼ିକ ତିଆରି କରୁଥିବା ଜିନିଷ କିଣି‌ବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି ଟାଇ ଭୁବନେଶ୍ବର ପକ୍ଷରୁ ଷ୍ଟାର୍ଟଅପ୍ ଓଡ଼ିଶାର ମିଳିତ ସହଯୋଗରେ ଆୟୋଜନ କରାଯାଇଥିବା ହଲ୍‌ ଅଫ୍‌ ଫେମ୍‌ରେ ଅତିଥି ଭାବେ ଯୋଗଦେଇ ରାଜ୍ୟ ଏମ୍ଏସ୍‌ଏମ୍‌ଇ ସଚିବ ସତ୍ୟବ୍ରତ ସାହୁ ଏହି ସୂଚନା ଦେଇଛନ୍ତି। ଶ୍ରୀ ସାହୁ କହିଛନ୍ତି ଯେ ଷ୍ଟାର୍ଟଅପ୍‌ ସଂସ୍ଥାଗୁଡ଼ିକର ଉତ୍ପାଦର ପ୍ରଚାରପ୍ରସାର କରିବା ଏବଂ ସେଗୁଡ଼ିକୁ କିଣିବା ଲାଗି ନିଷ୍ପତ୍ତି ହୋଇଛି। ମୁଖ୍ୟମନ୍ତ୍ରୀନ ବୀନ ପଟ୍ଟନାୟକ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଥିବାରୁ ସେ ଆନନ୍ଦ ପ୍ରକଟ କରିଛନ୍ତି। ରାଜ୍ୟ ସରକାର ଷ୍ଟାର୍ଟଅପ୍‌ ନୀତିରେ ସଂଶୋଧନ କରି ଏକ ନୂଆ ନୀତି ଆଣିବେ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି। ଏଥିପାଇଁ କିଛି ଦିନ ତଳେ କିଟ୍‌-ଟିବିଆଇରେ ଅଂଶୀଦାରମାନଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସେଥିରୁ ମିଳିଥିବା ମତାମତ ଅନୁସାରେ ପୁରୁଣା ନୀତିର କେତେକ ଧାରାରେ ପରିବର୍ତ୍ତନ ଆଣିବାକୁ ଓଡ଼ିଶା ଷ୍ଟାର୍ଟଅପ୍ ପରିଷଦ ପରାମର୍ଶ ଦେଇଥିଲା। ତାହାକୁ ଗ୍ରହଣ କରି ସରକାର ଏକ ସଂଶୋଧିତ ଚିଠା ନୀତି ତିଆରି କରିଛନ୍ତି। ଆସନ୍ତା ମାର୍ଚ୍ଚ ୫ରୁ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହେଉଥିବା ପାଞ୍ଚଦିନିଆ ଏଣ୍ଟରପ୍ରେନ୍ୟୁଅରସିପ୍ ୱିକ୍-୨୦୨୧ରେ ଷ୍ଟାର୍ଟଅପ୍‌ମାନଙ୍କ ପାଇଁ ଏକ ସ୍ବତନ୍ତ୍ର ହାଙ୍ଗର୍‌ ରହିବ ବୋଲି ସେ ଘୋଷଣା କରିଛନ୍ତି। ଇନ୍‌ଫୋସିଟିରେ ୧୮୦ କୋଟି ଟଙ୍କା ବିନିଯୋଗରେ ଇଡ୍‌କୋ ତରଫରୁ ବିକଶିତ କରାଯାଇଥିବା ଓଡ଼ିଶା ଷ୍ଟାର୍ଟଅପ୍‌ ହବ୍‌କୁ ଖୁବ୍‌ଶୀଘ୍ର ଉଦ୍‌ଘାଟନ କରାଯିବ ବୋଲି ସେ କହିଛନ୍ତି।

ହଲ୍‌ ଅଫ୍‌ ଫେମ୍‌ରେ ୨୫ଟି ଷ୍ଟାର୍ଟଅପ୍ ସଂସ୍ଥା ସେମାନଙ୍କ ଉତ୍ପାଦ ଓ ସେବାଗୁଡ଼ିକୁ ପ୍ରଦର୍ଶିତ କରିଥିଲେ। ୧୦ଟି ସଂସ୍ଥା ସେମାନଙ୍କ ଚିନ୍ତାଧାରାକୁ ନିବେଶକଙ୍କ ସାମ୍ନାରେ ଉପସ୍ଥାପନ କରିବାର ସୁଯୋଗ ପାଇଥିଲେ। ଏହି ଅବସରରେ ଷ୍ଟାର୍ଟଅପ୍‌ଗୁଡ଼ିକର ମେଟରିଂ ପାଇଁ ଟାଇ ଭୁବନେଶ୍ବର ଓ ଆଇଆଇଏମ୍ ସମ୍ବଲପୁର ମଧ୍ୟରେ ଏକ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷରିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ଡିପିଆଇଆଇଟି ସଚିବ ଗୁରୁପ୍ରସାଦ ମହାପାତ୍ର, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀ, ଓଡ଼ିଶା ଦକ୍ଷତା ବିକାଶ ପରିଷଦର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ, ଟାଇ ଭୁବନେଶ୍ବରର ସଭାପତି ଦେବାଶିଷ ପଟ୍ଟନାୟକ, ଭିପି ସୁନିଲ ତନେଜା ଓ ଆଇଆ‌ଇଏମ୍ ସମ୍ବଲପୁର ମହାଦେବ ଜୈସୱାଲ୍‌ ଅତିଥି ଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର