ଭୁବନେଶ୍ବର: ଶୁକ୍ରବାର ସାରା ଦେଶରେ ପାଳିତ ହେବ ୭୯ତମ ସ୍ୱାଧୀନତା ଦିବସ। ଭୁବନେଶ୍ୱର ଗାନ୍ଧୀମାର୍ଗରେ ମହାସମାରୋହରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହେବ। ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜାତୀୟ ପତାକା ଉତ୍ତୋଳନ କରିବେ। ଏଥିପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ଆଜି ଫୁଲ୍ ଡ୍ରେସ୍ ରିହର୍ସାଲ୍ କରାଯାଇଛି। ସେହିପରି ଏହି ସମୟରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ରାଜ୍ୟସ୍ତରୀୟ ଏହି ଉତ୍ସବକୁ ତ୍ରିସ୍ତରୀୟ ସୁରକ୍ଷା ବଳୟରେ କରାଯିବାକୁ କମିସନରେଟ୍ ପୁଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଆଜି ପରେଡ୍ ରିହର୍ସାଲ୍ରେ ସାମିଲ ହୋଇ ପୁଲିସ ଡିଜି ୱାଇବି ଖୁରାନିଆ ସ୍ଥିତି ସମୀକ୍ଷା କରିଥିଲେ। ପ୍ରୋଟକଲ୍ ମୁତାବକ, ମୁଖ୍ୟମନ୍ତ୍ରୀଙ୍କ କାର୍କେଡ୍ ସକାଳ ୮ଟା ୪୫ ମିନିଟ୍ରେ ଗାନ୍ଧୀମାର୍ଗରେ ପ୍ରବେଶ କରିବ। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ଓ ଏନ୍ସିସି ଡେପୁଟି ଡାଇରେକ୍ଟର୍ ଜେନେରାଲ୍ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବେ। ମୁଖ୍ୟମନ୍ତ୍ରୀ ପେଣ୍ଡାଲ୍ ଉପରକୁ ଯାଇ ୯ଟା ସୁଦ୍ଧା ଜାତୀୟ ପତାକା ଉତ୍ତୋଳନ କରିବେ। ପୁଲିସ୍ ବ୍ୟାଣ୍ଡ-୧ ଓ ୨ ଦ୍ବାରା ଜାତୀୟ ସଙ୍ଗୀତ ପରିବେଷଣ କରାଯିବ। ଆଇପିଏସ୍ ଅନନ୍ୟା ଅୱସ୍ତି ପରେଡ୍ର କମାଣ୍ଡର୍ ଦୟିତ୍ୱ ତୁଲାଇବେ। ଓଡ଼ିଶା ସ୍ପେସାଲ ଆର୍ମଡ୍ ପୁଲିସ (ଓଏସ୍ଏପି), ଓଡ୍ରାଫ୍, ଆନ୍ଧ୍ର ପୁଲିସ, ସ୍ପେସାଲ ସିକ୍ୟୁରିଟି ବାଟାଲିଅନ୍ର ୮ଟି ଟ୍ରୁପ୍ ଦ୍ବାରା ପ୍ରଦର୍ଶିତ ପରେଡ୍ର ଅଭିବାଦନ ଗ୍ରହଣ କରିବେ ମୁଖ୍ୟମନ୍ତ୍ରୀ। ସେହିପରି ୪୮ଟି କଣ୍ଟିଜେଣ୍ଟ ପରେଡ୍ରେ ସାମିଲ୍ ହୋଇ ଚିତ୍ତାକର୍ଷକ କଳା ପ୍ରଦର୍ଶନ କରିବେ। ଆଜି ରିହର୍ସାଲ୍ ସମୟରେ ପୁଲିସ ଡିଜି ଶ୍ରୀ ଖୁରାନିଆ, ପୁଲିସ କମିସନର ସୁରେଶ ଦେବଦତ୍ତ ସିଂ, ଅତିରିକ୍ତ ପୁଲିସ କମିସନର ନରସିଂହ ଭୋଳ, ଡିସିପି ଜଗମୋହନ ମୀନାଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ।
ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳନ ସମୟରେ ଯେଭଳି କୌଣସି ପ୍ରକାର ଅପ୍ରୀତିକର ସ୍ଥିତି ସୃଷ୍ଟି ନହୁଏ, ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ବର ସହ ନେଇଛି କମିସନରେଟ୍ ପୁଲିସ। ଏଥିପାଇଁ ଆସନ୍ତା ୧୫ ତାରିଖ ସକାଳ ସାଢ଼େ ୬ଟାରୁ ସାଢ଼େ ୯ଟା ଯାଏଁ ଲୋୟର୍ ପିଏମ୍ଜି ଚାରିପାଖ ସିଲ୍ ରହିବ। ଆଖପାଖ ରାସ୍ତାରେ ଯାତାୟାତ ବନ୍ଦ ରହିବ। ଡିସିପି ଜଗମୋହନ ମୀନାଙ୍କ ନେତୃତ୍ବରେ ୫ ଜଣ ଅତିରିକ୍ତ ଡିସିପି, ୮ଜଣ ଏସିପି, ୨୦ଜଣ ଇନ୍ସେପେକ୍ଟରଙ୍କ ସମେତ ଶହେରୁ ଊର୍ଧ୍ବ ଅଧିକାରୀ ସୁରକ୍ଷା ଦାୟିତ୍ବରେ ରହିବେ। ୧୫ ପ୍ଲାଟୁନ୍ ଫୋର୍ସ, ସ୍ପେସାଲ ବ୍ରାଞ୍ଚ, ଗୁଇନ୍ଦା ସହ ୧ ୟୁନିଟ୍ ସ୍ପେସାଲ ଅପରେସନ ଗ୍ରୁପ୍ (ଏସ୍ଓଜି), ଓଡ଼ିଶା ତ୍ୱରିତ୍ କାର୍ଯ୍ୟବଳ (ଓସାଫ୍), କୁଇକ୍ ରିଆକ୍ସନ ଟିମ୍(କ୍ୟୁଆର୍ଟି), ସନ୍ଧାନୀ କୁକୁର, ବମ୍ ସ୍କ୍ୱାଡ୍, ସାଦା ପୋଷାକଧାରୀ ପୁଲିସ ମଧ୍ୟ ଉତ୍ସବସ୍ଥଳରେ ସୁରକ୍ଷାରେ ରହିବେ। ରାଜଭବନ, ଏଜି ଛକ ଓ ଅନ୍ୟ ସମ୍ବେଦନଶୀଳ ଜାଗାରେ ମଧ୍ୟ ପୁଲିସ ମୁତୟନ କରାଯିବ। ଏହାଛଡ଼ା ପ୍ରତିଟି ଦିଗ ଉପରେ ନଜର ରଖିବା ପାଇଁ ଉତ୍ସବସ୍ଥଳ ଭିତରେ ଓ ଚାରିପାଖେ ସିସି କ୍ୟାମେରା ଖଞ୍ଜାଯାଇଛି। ଗୋଟିଏ କଣ୍ଟ୍ରୋଲ୍ ରୁମ୍ ଖୋଲାଯାଇଛି। କଣ୍ଟ୍ରୋଲ୍ ରୁମ୍ରୁ ଅଧିକାରୀ ଗାନ୍ଧୀମାର୍ଗ ଓ ଆଖପାଖ ଅଞ୍ଚଳ ଉପରେ ନଜର ରଖିବେ। ଆଜି ସନ୍ଧାନୀ କୁକୁର ଓ ବମ୍ ସ୍କ୍ୱାଡ୍ ଉତ୍ସବସ୍ଥଳକୁ ତନ୍ନତନ୍ନ କରି ଯାଞ୍ଚ କରିଛନ୍ତି। ଅନ୍ୟପଟେ ୧୫ ତାରିଖ ସକଳା ୬ଟାରୁ କାର୍ଯ୍ୟକ୍ରମ ଶେଷ ପର୍ଯ୍ୟନ୍ତ ଗାନ୍ଧୀମାର୍ଗକୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକ ଉପରେ ଟ୍ରାଫିକ୍ କଟକଣା ଲାଗୁ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/14/dffsfxvbbv-2025-08-14-02-32-27.jpg)