ଭୁବନେଶ୍ୱର,: ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଭାରତୀୟତାର ଗୌରବ ଅକ୍ଷୁଣ୍ଣ ରଖିବାକୁ ହେଲେ ଜାତୀୟ ସଂହତିକୁ ଦୃଢ଼ କରିବାକୁ ହେବ। ଜାତୀୟ ସଂହତି ଭାରତୀୟ ଲୋକତନ୍ତ୍ରର ବିଶେଷତ୍ୱ। ଏହାକୁ କୌଣସି ବି ପରିସ୍ଥିତିରେ କ୍ଷୁଣ୍ଣ ହେବାକୁ ନଦେବା ପ୍ରତ୍ୟେକ ଭାରତୀୟଙ୍କର କର୍ତବ୍ୟ। ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀ ଜାତୀୟ ସଂହତିର ମହାନ ପ୍ରବକ୍ତା ଥିଲେ। ତାଙ୍କର ଏହି ଆଦର୍ଶକୁ ଆଗେଇ ନେବାରେ ଯୁବ ଓ ଛାତ୍ରମାନଙ୍କର ପ୍ରମୁଖ ଭୂମିକା ରହିଛି। ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଜୟଦେବ ଭବନଠାରେ ଅନୁଷ୍ଠିତ ‘ରାଜ୍ୟସ୍ତରୀୟ ଜାତୀୟ ସଂହତି ସମାରୋହ’ରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ବୋର୍ଡର ଅଧ୍ୟକ୍ଷ ତଥା ପୂର୍ବତନ ସାଂସଦ ଭୂପିନ୍ଦର ସିଂହ ଏପରି ମତ ପ୍ରକାଶ କରିଛନ୍ତି।

Advertisment

ମୁଖ୍ୟବକ୍ତା ଭାବେ ଯୋଗ ଦେଇ ବିଶିଷ୍ଟ ଶିକ୍ଷାବିତ୍‌ ଅଭିରାମ ବିଶ୍ୱାଳ କହିଲେ, ଜାତୀୟ ସଂହତି ସମସ୍ତ ଭାରତୀୟଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବାରେ ଏକ ବଳିଷ୍ଠ ମାଧ୍ୟମ। ଇନ୍ଦିରାଙ୍କ ପାଇଁ ଭାରତ ବିଦେଶ ବ୍ୟାପାର, ମହାକାଶ ବିଜ୍ଞାନ, ଅଣୁପରୀକ୍ଷଣ, ବିଦେଶରେ ଭାରତ ଉତ୍ସବ, ଏସୀୟ କ୍ରୀଡ଼ା , ଗୋଷ୍ଠୀ ନିରପେକ୍ଷ ସମ୍ମିନଳୀ ଆଦି କ୍ଷେତ୍ରରେ ପ୍ରତିଷ୍ଠା ହାସଲ କରିପାରିଥିଲା। ଜାତୀୟ ସଂହତି କ୍ଷେତ୍ରରେ ସ୍ୱର୍ଗୀୟା ଗାନ୍ଧୀ ଏକ ଅନବଦ୍ୟ ବ୍ୟକ୍ତିତ୍ୱ ଥିଲେ ବୋଲି ଶ୍ରୀ ବିଶ୍ୱାଳ ମତବ୍ୟକ୍ତ କରିଥିଲେ।

ଏହି ସମାରୋହରେ ସହଯୋଗ ପାଇଁ ଗାନ୍ଧୀ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫାର୍ମାସ୍ୟୁଟିକାଲ ସାଇନ୍ସକୁ ଲୋକସମ୍ପର୍କ ବିଭାଗ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା। ଏହି ଅବସରରେ ମହାବିଦ୍ୟାଳୟସ୍ତରରେ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ବିଭାଗୀୟ ନିର୍ଦେଶକ ଲକ୍ଷ୍ମୀଧର ମହାନ୍ତି ସମାରୋହରେ ଅଧ୍ୟକ୍ଷତା କରିଥିଲେ। ଉପନିର୍ଦେଶକ ବିବେକାନନ୍ଦ ବିଶ୍ୱାଳ ଧନ୍ୟବାଦ ପ୍ରଦାନ କରିଥିଲେ। ସୂଚନା ଅଧିକାରୀ ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଶେଷରେ ଭଜନ ଓ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରାଯାଇଥିଲା।