ଭାଷା ସୁରକ୍ଷାର ସେନାପତି ଥିଲେ ଫକୀରମୋହନ: ମୁଖ୍ୟମନ୍ତ୍ରୀ

ରାଜ୍ୟସ୍ତରୀୟ ଫକୀରମୋହନ ଜୟନ୍ତୀ ସମାରୋହ

ଭୁବନେଶ୍ୱର: ଓଡ଼ିଆ ଭାଷାର ସୁରକ୍ଷା ଓ ବିକାଶ ପାଇଁ ଫକୀରମୋହନଙ୍କ ଅବଦାନକୁ ଓଡ଼ିଆ ଜାତି ଭୁଲି ପାରିବ ନାହିଁ। ତାଙ୍କର ଶକ୍ତିଶାଳୀ ରଚନା ଭାଷା, ସାହିତ୍ୟ କ୍ଷେତ୍ରରେ ଏକ ନୂଆ ଜାଗରଣ ସୃଷ୍ଟି କରିଥିଲା। ବାସ୍ତବରେ ଫକୀରମୋହନ ଥିଲେ ଓଡ଼ିଆ ଭାଷା ସୁରକ୍ଷାର ସେନାପତି। ଏପରି ମତବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ସଂଧ୍ୟାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶା ସାହିତ୍ୟ ଏକାଡେମି, ରାଜ୍ୟସ୍ତରୀୟ ଫକୀରମୋହନ ସ୍ମୃତି ସଂସଦ ଓ ଡକ୍ଟର ଦାଶ ଫାଉଣ୍ଡେସନ ସହଯୋଗରେ ଜୟଦେବ ଭବନଠାରେ ଆୟୋଜିତ ବ୍ୟାସକବି ଫକୀରମୋହନଙ୍କ ଜୟନ୍ତୀ ତଥା ସ୍ମୃତି ସମାରୋହରେ ମୁଖ୍ୟମନ୍ତ୍ରୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଆହୁରି କହିଲେ, ସାହିତ୍ୟ ବିନା ସଭ୍ୟତା ଆଗେଇ ପାରିବନାହିଁ। ଭାଷା, ସାହିତ୍ୟ ଗୋଟିଏ ଜାତିର ଆତ୍ମା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଆ ଭାଷାର ପ୍ରସାର ଦିଗରେ କାର୍ଯ୍ୟ କରୁଥିବା ସଂଗଠନ ଓ ବ୍ୟକ୍ତିବିଶେଷଙ୍କୁ ଫକୀରମୋହନ ଓଡ଼ିଆ ଭାଷା ସମ୍ମାନ ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ। ଏଥିସହିତ ଛାତ୍ରବୃତ୍ତି ପୋର୍ଟାଲର ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ, ସଂସ୍କୃତିମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା, ସାଂସଦ ପସନ୍ନ ପାଟ୍ଟଶାଣୀ, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଧାୟକ ବିଜୟ କୁମାର ମହାନ୍ତି, ମେୟର ଅନନ୍ତ ନାରାୟଣ ଜେନା, ଅତିରିକ୍ତ ମୁଖ୍ୟଶାସନ ସଚିବ ଜିଭିଭି ଶର୍ମା ପ୍ରମୁଖ ଯୋଗ ଦେଇଥିଲେ।

ପ୍ରଦାନ କରାଯିବ ‘ଫକୀରମୋହନ ଓଡ଼ିଆ ଭାଷା ସମ୍ମାନ’
ଛାତ୍ରବୃତ୍ତି ପୋର୍ଟାଲର ଶୁଭାରମ୍ଭ

ସଂସ୍କୃତି ବିଭାଗ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ସମାରୋହରେ ପୌରୋହିତ୍ୟ କରିଥିଲେ। ବିଭାଗୀୟ ନିର୍ଦେଶକ ବିଜୟ କୁମାର ନାୟକ ସ୍ୱାଗତ ଭାଷଣ ଦେଇଥିଲେ। ଓଡ଼ିଶା ସାହିତ୍ୟ ଏକାଡେମି ପ୍ରକାଶିତ ‘ଚଳନ୍ତି ଓଡ଼ିଆ ଅଭିଧାନ’ ସ୍ନେହପ୍ରଭା ଦାସଙ୍କ ଅନୁଦିତ ଫକୀରମୋହନଙ୍କ ଉପନ୍ୟାସ ‘ପ୍ରାୟଶ୍ଚିତ’, ‘ଭିଣ୍ଟେଜ ଷ୍ଟୋରଜ୍‌ ଅଫ୍‌ ଫକୀରମୋହନ ସେନାପତି’ ଓ ‘ସେନାପତିମାନଙ୍କ ଦୃଷ୍ଟିରେ ସେନାପତିଙ୍କ କ୍ଷୁଦ୍ରଗଳ୍ପ’ ପୁସ୍ତକ ଉନ୍ମୋଚିତ ହୋଇଥିଲା। ବ୍ୟାସକବିଙ୍କ ଉପରେ ଆଧାରିତ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା। ଶେଷରେ ଫକୀରମୋହନ ସ୍ମୃତି ସଂସଦର କାର୍ଯ୍ୟକାରୀ ସଭାପତି ଗୋପୀନାଥ ମହାନ୍ତି ଧନ୍ୟବାଦ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର