ଶିଶୁ ପ୍ରତିଭାର ବିକାଶରେ ସାରା ବିଶ୍ବ ମହକାୟିତ ହେବ

ରାଜ୍ୟସ୍ତରୀୟ ଶିଶୁ ଉତ୍ସବ ‘ମହକ’ ଉଦ୍‌ଘାଟିତ

ଭୁବନେଶ୍ବର: ଶିଶୁମାନଙ୍କ ଅନ୍ତର୍ନିହିତ ଓ ଲୁକ୍କାୟିତ ପ୍ରତିଭାର ବିକାଶ ହୋଇପାରିଲେ, ସେହି ମହକ ସାରା ବିଶ୍ୱକୁ ମହକାୟିତ କରିବ। ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ଓଡ଼ିଶା ରାଜ୍ୟ ଶିଶୁପ୍ରଯତ୍ନ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ଆୟୋଜିତ ରାଜ୍ୟସ୍ତରୀୟ ଶିଶୁ ଉତ୍ସବ ‘ମହକ’କୁ ଉଦ୍‌ଘାଟନ କରି ବିଭାଗୀୟ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍‌ ଆଜି ଏହା କହିଛନ୍ତି। କଳିଙ୍ଗ ଷ୍ଟାଡିୟମ୍‌ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେ ଆହୁରି କହିଲେ ଯେ ସୃଜନଶୀଳତା ଓ ବୌଦ୍ଧିକ ଗୁଣର ପରିପ୍ରକାଶ କ୍ଷେତ୍ରରେ ଶିଶୁ ମହୋତ୍ସବ ‘ମହକ’ ଭଳି କାର୍ଯ୍ୟକ୍ରମ ନିଶ୍ଚିତ ଭାବେ ସହାୟକ ହୋଇପାରିଛି। ଏହା ମାଧ୍ୟମରେ ଶିଶୁମାନଙ୍କ ଲୁକ୍କାୟିତ ପ୍ରତିଭା ପରିସ୍ଫୁଟ ହୋଇପାରିଛି।

ସମ୍ମାନିତ ଅତିଥି ବିଭାଗୀୟ ଶାସନ ସଚିବ ଶୁଭା ଶର୍ମା କହିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଶୁମାନଙ୍କ ବିକାଶ ଦିଗରେ ସର୍ବାଧିକ ଗୁରୁତ୍ୱାରୋପ କରି ଆସିଛନ୍ତି। ‘ମହକ’ ମୁଖ୍ୟମନ୍ତ୍ରୀଙ୍କ ଶିଶୁମାନଙ୍କ ପ୍ରତି ସ୍ନେହ ଓ ସଦିଚ୍ଛାର ଅଂଶବିଶେଷ। ଅନ୍ୟତମ ସମ୍ମାନିତ ଅତିଥି ବିଭାଗୀୟ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ କହିଲେ, କରୋନା ମହାମାରୀ ପରେ ପ୍ରଥମଥର ପାଇଁ କଳିଙ୍ଗ ଷ୍ଟାଡିୟମ୍‌ରେ ‘ମହକ’ ଶିଶୁ ଉତ୍ସବ ପାଳିତ ହେବା ଗର୍ବ ଓ ଗୌରବର ବିଷୟ। ରାଜ୍ୟର ୩୦ଟି ଜିଲ୍ଲାରୁ ୫ ଶହରୁ ଊର୍ଦ୍ଧ୍ବ ପିଲାମାନେ ଏଠି ଏକତ୍ରିତ ହୋଇ ନିଜର ପ୍ରତିଭା ପ୍ରଦର୍ଶନ କରିବେ ଓ ଏହା ୟୁଟ୍ୟୁବ୍‌ ଓ ଟ୍ୱିଟର୍‌ ଭଳି ସୋସିଆଲ୍‌ ମିଡିଆରେ ପ୍ରସାରିତ ହେବ। ବିଭାଗୀୟ ଉପଦେଷ୍ଟା ସୁମିତ୍ରା ଜେନା କହିଲେ, ପିଲାମାନଙ୍କ ଅନ୍ତର୍ନିହିତ ଗୁଣାବଳୀ ବାସ୍ତବିକ ଚମତ୍କାର। ସେଗୁଡ଼ିକ ସମୁଚିତ ଭାବେ ସାକାର ହୋଇପାରିବା ଦିଗରେ ବିଭାଗ ନିଷ୍ଠାପର ଉଦ୍ୟମ ଜାରି ରଖିଛି।

ବିଭାଗୀୟ ଅତିରିକ୍ତ ଶାସନ ସଚିବ ରେଗା ଗୀତାରାଣୀ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ଓଡ଼ିଶା ରାଜ୍ୟ ଶିଶୁପ୍ରଯତ୍ନ ଅନୁଷ୍ଠାନର କାର୍ଯ୍ୟକ୍ରମ ପରିଚାଳକ ପ୍ରୀତିକାନ୍ତ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ। ‘ଆଦୃତ’ ଶିଶୁ ଅନୁଷ୍ଠାନର ପିଲାମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ।

ସମ୍ବନ୍ଧିତ ଖବର