ରାଜ୍ୟସ୍ତରୀୟ କୃଷି ମହାକୁମ୍ଭ ଓ ଜିଲ୍ଲାସ୍ତରୀୟ କୃଷି ପ୍ରଦର୍ଶନୀ ଉଦ୍‌ଯାପିତ

କୃଷି, ଗୋପାଳନ ଓ କୁଟୀର ଶିଳ୍ପ ସମାହାରରେ ଦେଶର ଅର୍ଥନୀତି ସୁଦୃଢ଼ ହେବ: ରାଜ୍ୟପାଳ

ଭୁବନେଶ୍ବର : କୃଷି, ଗୋ-ପାଳନ ଓ କୁଟୀର ଶିଳ୍ପ ହେଉଛନ୍ତି ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା। ଏହି ତିନି ଶିଳ୍ପର ସମାହାରରେ ଦେଶର ଅର୍ଥନୀତି ସୁଦୃଢ଼ ହେବ। ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ୫ ଦିନ ଧରି ଚାଲିଥିବା ରାଜ୍ୟସ୍ତରୀୟ କୃଷି ମହାକୁମ୍ଭ ଓ ଜିଲ୍ଲାସ୍ତରୀୟ କୃଷି ପ୍ରଦର୍ଶନୀର ଉଦ୍‌ଯାପନୀ ଉତ୍ସବରେ ଯୋଗଦେଇ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ଆଜି ଏହା କହିଛନ୍ତି। ଏହି ଅବସରରେ କୃଷକଙ୍କ ପ୍ରତ୍ୟେକ ଉତ୍ପାଦକୁ ଜାତୀୟ ଉତ୍ପାଦ ଭାବେ ଗ୍ରହଣ କରିବାକୁ ରାଜ୍ୟପାଳ ଶ୍ରୀ ଲାଲ ଆହ୍ବାନ କରିବା ସହ ରାଜ୍ୟ ସରକାରଙ୍କ ‘କାଳିଆ’, ‘ବଳରାମ’ ଯୋଜନା ଓ ମହିଳା ଏସ୍‌ଏଚ୍‌ଜି ଗଠନକୁ ପ୍ରଶଂସା କରିଥିଲେ।

କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ଅରୁଣ କୁମାର ସାହୁ ଉତ୍ସବରେ ଅଧ୍ୟକ୍ଷତା କରି କହିଲେ, ୧୯୯୯ ମସିହା ମହାବାତ୍ୟାରେ ଅନ୍ୟ ରାଜ୍ୟରୁ ଚାଉଳ ରିଲିଫ୍ ଆକାରରେ ଆସିଥିଲା। ମାତ୍ର ଏବେ ଅନ୍ୟ ରାଜ୍ୟକୁ ଓଡ଼ିଶାରୁ ଚାଉଳ ରିଲିଫ୍ ଆକାରରେ ଯାଉଛି। ସେହିଭଳି ସାରା ଭାରତରେ ପାଳଛତୁ ଉତ୍ପାଦନରେ ରାଜ୍ୟ ୧ ନମ୍ବର ସ୍ଥାନରେ ଥିବାରୁ ଛତୁକୁ ଏଥର ମାସ୍କଟ୍ ଭାବେ ଗ୍ରହଣ କରାଯାଇଛି। ଏହାସହ ଛତୁର ବିଭିନ୍ନ କିସମ ଉତ୍ପାଦନରେ ଓଡ଼ିଶା ଯେପରି ଭାରତର ଶୀର୍ଷ ସ୍ଥାନକୁ ଯିବ, ତାହାକୁ ଆହ୍ବାନ ଭାବେ ଗ୍ରହଣ କରାଯାଇଥିବା ସେ କହିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟରେ କୃଷି ପାଇଁ ପୂର୍ବରୁ ଦେଖାଦେଇଥିବା ବିଭିନ୍ନ ସମସ୍ୟା ଯେପରି ଜଳସେଚନ, ବିଦ୍ୟୁତ୍ ଯୋଗାଣ ଭଳି ପ୍ରମୁଖ କ୍ଷେତ୍ରରେ ସୁବିଧା କରାଯାଇଥିବା କହିଥିଲେ। ଏହାସହ ବ୍ୟାଙ୍କ୍‌ରୁ ଚାଷୀଙ୍କ ପାଇଁ ସୁବିଧାରେ ଋଣ ଯୋଗାଇବା ପାଇଁ ବିଭିନ୍ନ ବ୍ୟାଙ୍କ ସହିତ ବୈଠକ ହୋଇଥିବା ମଧ୍ୟ ସୂଚନା ଦେଇଥିଲେ।

‘ଫିକି’ର ଅଧ୍ୟକ୍ଷା ମୋନିକା ନୈୟାର ପଟ୍ଟନାୟକ ଯୋଗଦେଇ ରାଜ୍ୟର କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଫିକି ପ୍ରୟାସରତ ବୋଲି କହିଥିଲେ। ଏହାସହ ବିଭିନ୍ନ ସରକାରୀ କାର୍ଯ୍ୟରେ ଫିକିକୁ ଶିଳ୍ପାୟନ ସହଯୋଗୀ ଭାବେ ସହଭାଗୀ କରିଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ସଚିବ ସୌରଭ ଗର୍ଗ, କୃଷି ଉତ୍ପାଦନ କମିସନର୍ ରାଜ କୁମାର ଶର୍ମା ପ୍ରମୁଖ ଯୋଗ ଦେଇ କୃଷକଙ୍କ ପାଇଁ ହେଉଥିବା ବିଭିନ୍ନ ସୁବିଧାସୁଯୋଗ ତଥା ମୋବାଇଲ୍ ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ ବ୍ୟବସ୍ଥା କରାଯାଇଥିବା ଉପରେ ବକ୍ତବ୍ୟ ରଖିଥିଲେ। ଶେଷରେ ‘ଇମେଜ୍‌’ର ମୁଖ୍ୟ ନିର୍ଦ୍ଦେଶକ ମଧୁସୂଦନ ମିଶ୍ର ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଗୁଡ଼ିକୁ ପୁରସ୍କୃତ କରାଯାଇଥିଲା।

ଓଡ଼ିଶାରେ ରହିଛି ପର୍ଯ୍ୟାପ୍ତ ଶୀତଳଭଣ୍ଡାର, ସମନ୍ବିତ ଚାଷ କ୍ଷେତ୍ରକୁ ପ୍ରସାରିତ କରାଯିବ: କୃଷି ମନ୍ତ୍ରୀ
ଭୁବନେଶ୍ବର : ଶୀତଳଭଣ୍ଡାରରେ ସବୁ ଜାତୀୟ ପରିବା ରହିପାରେ ନାହିଁ। ଓଡ଼ିଶାରେ ଯେତେ ସଂଖ୍ୟକ ଶୀତଳଭଣ୍ଡାର ରହିଛି, ଏହା ପର୍ଯ୍ୟାପ୍ତ ଅଟେ। କୃଷି ଓଡ଼ିଶା କାର୍ଯ୍ୟକ୍ରମର ଉଦ୍‌ଯାପନୀ ଦିବସରେ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି କୃଷି ମନ୍ତ୍ରୀ ଡ.ଅରୁଣ ସାହୁ। ‘କୃଷି ଓଡ଼ିଶା-୨୦୨୧’ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ରାଜ୍ୟରେ ପ୍ରତି ଗ୍ରାମପଞ୍ଚାୟତରେ ସମନ୍ବିତ ଚାଷ କ୍ଷେତ୍ରର ପ୍ରସାର କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଯୁବ କୃଷି ଉଦ୍ୟୋଗୀ, କୃଷି ସ୍ନାତକମାନଙ୍କ ପାଇଁ ପ୍ରୋତ୍ସାହନ ତାଲିମ କରାଯିବ। ମାଣ୍ଡିଆ ଚାଷର ସଫଳତା ନେଇ କହିଥିଲେ, ମାଣ୍ଡିଆରେ ପିଜାଠାରୁ ବିସ୍କୁଟ ତିଆରି କରାଯାଉଛି। ଏସ୍‌ଏଚ୍‌ଜିଗୁଡ଼ିକ ଏଥିରେ ସାମିଲ ହୋଇ ଚାଷରେ ସଫଳତା ପାଇଥିବା କହିଛନ୍ତି। କରୋନା ମହାମାରୀ ସମୟରେ କୃଷି ଓଡ଼ିଶା-୨୦୨୧ ଏକ ଆହ୍ବାନ ଥିଲା। କୋଭିଡ୍‌ ମାର୍ଗଦର୍ଶିକା ଅନୁପାଳନ କରାଯାଇ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

ସମ୍ବନ୍ଧିତ ଖବର