ଭୁବନେଶ୍ବର: ଓଡ଼ିଶା କୃଷି ଓ ବୈଷୟିକ ବିଦ୍ୟାଳୟ ପରିସରରେ ତିନି ଦିନବ୍ୟାପୀ ଚାଲିଥିବା ‘ରାଜ୍ୟସ୍ତରୀୟ କୃଷି-ଶିକ୍ଷା ମେଳା-୨୦୨୩’ ଉଦ୍‌ଯାପିତ ହୋଇଯାଇଛି। କୃଷି ଓ ଆନୁସଙ୍ଗିକ ବିଷୟକ ଜ୍ଞାନକୌଶଳକୁ ପ୍ରଦର୍ଶିତ କରିବା ତଥା ଏହାର ବହୁଳ ପ୍ରଚାର ଓ ପ୍ରସାର ପାଇଁ ବିଶ୍ବବିଦ୍ୟାଳୟ ପରିସରରେ ଏହି ମେଳାର ଆୟୋଜନ କରାଯାଇଥିଲା। ଉଦ‌୍‌ଯାପନୀ ଉତ୍ସବରେ କୃଷି ଓ କୃଷକ ସଶକ୍ତିକରଣ, ମସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ, କୃଷିକ୍ଷେତ୍ରର ବିକାଶ ନିମନ୍ତେ ନୂଆ ବୈଷୟିକ ଯନ୍ତ୍ରପାତି, ଆଧୁନିକ ଜ୍ଞାନକୋଶଳ, ନୂତନ କିସମ ଓ କୃଷକଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ବିଶ୍ବବିଦ୍ୟାଳୟରେ ଆୟୋଜିତ ଏହି ମେଳା ଦ୍ବାରା ଉଭୟ କୃଷି ଓ ଶିକ୍ଷାର ଆଦାନପ୍ରଦାନ ହୋଇପାରିଛି ବୋଲି ସେ କହିଥିଲେ। ଓଡ଼ିଶାର ବନ ସଂରକ୍ଷକ ପ୍ରଧାନ ମୁଖ୍ୟ ଦେବୀଦତ୍ତ ବିଶ୍ବାଳ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆଧୁନିକ ଜ୍ଞାନକୌଶଳର ଆବଶ୍ୟକ‌ତା ଉପରେ ଗୁରୁତ୍ବ ଆରୋପ କରିଥିଲେ। ନନ୍ଦନକାନନ ଜୀବ ଉଦ୍ୟାନର ନିର୍ଦ୍ଦେଶକ ମନୋଜ ଭି ନାଏର ଜୈବ ବିବିଧତା ଉପରେ ଆଲୋକପାତ କରି ସାମ୍ପ୍ରତିକ ପରିପ୍ରେକ୍ଷୀରେ ଯୁବଗୋଷ୍ଠୀ କୃଷିକ୍ଷେତ୍ରରେ ଅଧିକ ଆଗ୍ରହୀ ହେବାକୁ ପରାମର୍ଶ ଦେଇଥିଲେ। ଯୁବପିଢ଼ି କୃଷି ପ୍ରତି ଆଗ୍ରହ ପ୍ରକାଶ କଲେ, ସମାଜର ଭବିଷ୍ୟତ ସୁନ୍ଦର ହେବ ବୋଲି ସେ କହିଥିଲେ। ପୂର୍ବାହ୍ନରେ ‘ପ୍ରାଣୀପାଳନ ଓ ମତ୍ସ୍ୟଚାଷରେ ଉଦ୍ୟୋଗୀକରଣ ବିକାଶ’ ଏବଂ ‘କୃଷକ ଉତ୍ପାଦକ ସଂଗଠନ, ସ୍ବୟଂ ସହାୟକ ଗୋଷ୍ଠୀ ସଶକ୍ତିକରଣ’ ଉପରେ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା।

Advertisment

ମେଳାରେ ବିଭିନ୍ନ ଜିଲ୍ଲାରୁ ପାଖାପାଖି ୭୧ଟି ଷ୍ଟଲ୍‌ କରାଯାଇ ଓୟୁଏଟି ଦ୍ବାରା ବିକଶିତ କିସମ, ଯନ୍ତ୍ରପାତି, ବିହନ ଆଦି ପ୍ରଦର୍ଶିତ ହୋଇଥିଲା। ଉତ୍ସବରେ ବିଭିନ୍ନ ଜିଲ୍ଲାରୁ ପ୍ରାୟ ୪୦୦ କୃଷକ ଯୋଗ ଦେଇଥିଲେ। ପ୍ରତିଦିନ ଭୁବନେଶ୍ୱରସ୍ଥିତ ବିଭିନ୍ନ ବିଦ୍ୟାଳୟର ପାଖାପାଖି ୬୦୦ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ। ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ଉତ୍ସବରେ ପୌରାହିତ୍ୟ କରି ମେଳାର ଉଦ୍ଦେଶ୍ୟ ବିଷୟରେ ଉଲ୍ଲେଖ କରିଥିଲେ। ଉଦ‌୍‌ଯାପନୀ ଉତ୍ସବରେ ଗବେଷଣା ଅଧ୍ୟକ୍ଷ ପ୍ରଫେସର ସଂଗ୍ରାମ କେଶରୀ ସ୍ବାଇଁ ସ୍ବାଗତ ଭାଷଣ ଦେଇଥିଲେ ଓ ସମ୍ପ୍ରସାରଣ ଓ ଶିକ୍ଷା ନିର୍ଦ୍ଦେଶାଳୟର ଅଧ୍ୟକ୍ଷ ପ୍ରଫେସର ପ୍ରସନ୍ନଜିତ ମିଶ୍ର ଧନ୍ୟବାଦ ଦେଇଥିଲେ।

ମେଳାର ସ୍ବତନ୍ତ୍ର ଆକର୍ଷଣ
ଏହି କୃଷି ଶିକ୍ଷା ମେଳାର ୭୧ଟି ଷ୍ଟଲରେ ଓୟୁଏଟି ଦ୍ବାରା ବିକଶିତ ବିହନ, ଖାଦ୍ୟ, ମେସିନ ଠାରୁ ଆରମ୍ଭ କରି ବିଶ୍ବବ୍ୟାଙ୍କ ସହାୟତା ଚାଲିଥିବା ମାଟି ସଂରକ୍ଷଣ କାର୍ଯ୍ୟକ୍ରମ ସାମିଲ କରାଯାଇଥିଲା। ହସ୍ତତନ୍ତ ଏବଂ ବୟନ ବିଭାଗର ଷ୍ଟଲ ମଧ୍ୟ ଥିଲା। ମିଲେଟ୍‌ ପ୍ରସ୍ତୁତ କୁକିଜ୍‌, ସାଣ୍ଡୱିଚ୍‌, ବର୍ଗର, ପାଉଁରୁଟି, ମୁଢି ପାପଡ଼, ବରା ପାଖରେ ମଧ୍ୟ ଭିଡ଼ ଜମିଥିଲା। କ୍ଲାସ ପାଠରେ କୃଷି ବିଦ୍ୟାର୍ଥୀମାନେ କେବଳ ନିଜ ବିଭାଗ ବିଷୟରେ ଜାଣୁଛନ୍ତି, ମାତ୍ର ଏଭଳି ମେଳା ଜରିଆରେ ସେମାନେ ସାମଗ୍ରିକ ଭାବରେ କୃଷି, ଉଦ୍ୟାନ ଓ ମୃତ୍ତିକା ଗବେଷଣା ବିଷୟରେ ଜାଣିପାରିବା ପାଇଁ ସୁଯୋଗ ଦିଆଯାଇଥିଲା। ଏହି ଅବସରରେ ଭୁବନେଶ୍ବର ନିକଟସ୍ଥ ଚାଷୀମାନେ ମଧ୍ୟ ସାମିଲ ହୋଇଥିଲେ। ନୟାଗଡ଼ର ଜଣେ ଚାଷୀ କହିଲେ, ‘‘ନୂଆ ବିହନ ଓ ଯନ୍ତ୍ରପାତି ବିଷୟରେ ଜାଣିଲେ ସିନା ଚାଷରେ ଉପଯୋଗ କରିପାରିବୁ। ତେଣୁ ଯେଉଁଠି ଏଭଳି କୃଷି ପ୍ରଦର୍ଶନୀ ହୁଏ, ମୁଁ ନିଶ୍ଚିତ ଯାଏ।’’

ମହୁଲର କେକ୍, କୁକି ଓ କ୍ୟାଣ୍ଡି

ଓଡ଼ିଶାରେ ପ୍ରତିବର୍ଷ ୫୦ରୁ ୬୦ ହଜାର ଟନ ମହୁଲ ଫୁଲ ଉତ୍ପାଦନ ହୁଏ। ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଆଦିବାସୀମାନେ ବର୍ଷକୁ ୨୫ରୁ ୩୦ ଦିନ ଏହା ସଂଗ୍ରହ କରି ଅର୍ଥ ଉପାର୍ଜନ କରନ୍ତି। ସାଧାରଣରେ ଧାରଣା ରହିଛି ଯେ ମହୁଲରୁ କେବଳ ମଦ ତିଆରି ହୋଇପାରେ। ମାତ୍ର ୧୦ ବର୍ଷରୁ ଊର୍ଧ୍ବ ସମୟ ହେଲା ଓୟୁଏଟି ପକ୍ଷରୁ ଅଣନିଶାଯୁକ୍ତ ଖାଦ୍ୟରେ ମହୁଲର ବ୍ୟବହାର ନେଇ ଗବେଷଣା ହେଉଛି। ପ୍ରାଧ୍ୟାପକ ଉମାଶଙ୍କର ପାଲ କହନ୍ତି, ମହୁଲରୁ କେବଳ ଦେଶୀମଦ ମହୁଲି ହୁଏ ନାହିଁ। ଆଦିବାସୀ ଅଞ୍ଚଳରେ ଲୋକେ ଏହାର ଫୁଲକୁ ଶୁଖାଇ ଚାଉଳରେ ବାଟି ପିଠା କରିବା ସହିତ ଭାଜିକରି ଭାତ ସହିତ ମଧ୍ୟ ଖାଆନ୍ତି। ଏହାର ସ୍ବାଦ ମିଠା ହୋଇଥିବାରୁ ଓୟୁଏଟି ପକ୍ଷରୁ ଏହାର ଅତ୍ୟାଧୁନିକ ରୂପ ଦିଆଯିବା ପାଇଁ କେକ୍‌, କୁକି, କ୍ୟାଣ୍ଡି, ଜାମ୍‌, କିସ୍‌ମିସ୍‌ ଓ ଲଡ଼ୁରେ ମହୁଲ ବ୍ୟବହାର ସହିତ ମହୁଲ ସଢା ପ୍ରସ୍ତୁତ କରାଯାଉଛି। ଏହାକୁ ଗ୍ରାଇଣ୍ଡିଂ କରି ପାଉଡର ଭାବରେ ମଧ୍ୟ ବ୍ୟବହାର କରା ଯାଇପାରେ। ଝାଡ଼ଖଣ୍ଡ ଓ ଛତିଶଗଡ଼ରେ ଏହାର ଭଲ ଚାହିଦା ରହିଛି। ଓଡ଼ିଶାରେ ମହୁଲର ପ୍ରୋସେସିଂ ସେଣ୍ଟର ପାଇଁ ଯୋଜନା କରାଯାଉଛି। ରାଜ୍ୟରେ ଏହାର ବଜାର ସୃଷ୍ଟି ପାଇଁ ସୁନ୍ଦରଗଡ଼ର ଏକ ଗୋଷ୍ଠୀଙ୍କ ସହିତ ଆଲୋଚନା କରାଯାଉଛି। ଅନୁସୂଚିତ ଜାତି-ଜନଜାତି ବିଭାଗ ପକ୍ଷରୁ ଅଣନିଶାଯୁକ୍ତ ଖାଦ୍ୟରେ ଏହାର ବ୍ୟବହାର ନେଇ ଓୟୁଏଟି ପକ୍ଷରୁ ପ୍ରଶିକ୍ଷଣ ଦିଆଯାଉଛି।

ଆଖୁ, ମକା ସମେତ ୨୧ଟି ନୂତନ ବିହନ

ଚିନିକଳ ବନ୍ଦ ହୋଇଯିବା ପରେ ନୟାଗଡ଼ରେ ଆଖୁ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି। ତା’କୁ ପୂର୍ବସ୍ଥିତିକୁ ଫେରାଇ ଆଣିବା ପାଇଁ କାର୍ଯ୍ୟ କରୁଛି ନୟାଗଡ଼ସ୍ଥିତ ଓୟୁଏଟିର ଆଖୁ ଗବେଷଣା କେନ୍ଦ୍ର। ଅଧ୍ୟାପିକା ଜ୍ୟୋତିରେଖା ପଟ୍ଟନାୟକ କହନ୍ତି, ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଓୟୁଏଟି ସବିତା, ନୀଳମାଧବ, ନୀଳଚକ୍ର, କଳିଙ୍ଗ ସୁଗର କେନ୍‌ ଭଳି ୪ଟି ସଅଳ କିସମ ଏବଂ ୨ଟି ମଧ୍ୟମ କିସମର ଆଖୁ ବିହନ ବିକଶିତ କରିଛି। ଏଥିରୁ ହେକ୍ଟର ହିସାବରେ ୧୧୨.୬୬ ଟନ୍‌ ଆଖୁ ଉତ୍ପାଦିତ ହୋଇପାରେ। ଏହାର ରୋଗ ପ୍ରତିରୋଧକ ଶକ୍ତି ରହିଛି। ଅଧ୍ୟାପକ ଦିଗବିଜୟ ସ୍ବାଇଁ କହିଛନ୍ତି, ଗୋ’ଖାଦ୍ୟ, କର୍ନଫ୍ଲେକ୍ସ, କର୍ନଫ୍ଲୋର, ପପକର୍ନ ସମେତ ଆହୁରି ବିଭିନ୍ନ ପ୍ରକାର ଖାଦ୍ୟ ପାଇଁ ମକାର ଭଲ ଚାହିଦା ରହିଛି। ୨୦୨୦ ମସିହାରେ ବିକଶିତ କରାଯାଇଥିବା ୯୦-୯୫ ଦିନିଆ କଳିଙ୍ଗରାଜ ବିହନର ଆଦର ବଢିବାରେ ଲାଗିଛି। ଏହା ମରୁଡ଼ିସହଣୀ ହୋଇଥିବାରୁ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହାର ବ୍ୟବହାର ହେଉଛି। ୨୦୨୧ରେ ବିକଶିତ ପ୍ରୋଟିନଯୁକ୍ତ ଚିନାବାଦାମ ବିହନ କଳିଙ୍ଗ-୧୦୧ ସମେତ ଧାନ, ମିଲେଟ୍, ପଇଡ଼ ଆଦି ବିକଶିତ ବିହନର ସ୍ବତନ୍ତ୍ର ଷ୍ଟଲ୍‌ ଥିଲା।
ସେହିପରି ଛତୁ ଚାଷ ଏବଂ ଏହାର ଉତ୍ପାଦନ ବୃଦ୍ଧି ବିଷୟରେ ଓୟୁଏଟି ଓ ଛତୁମଞ୍ଜି କମ୍ପାନି ପକ୍ଷରୁ ଦୁଇଟି ଭିନ୍ନ ଷ୍ଟଲ୍‌ ଲାଗିଥିଲା। ବର୍ତ୍ତମାନ ଛତୁର ଚାହିଦା ଦୃଷ୍ଟିରୁ ସେ ଷ୍ଟଲ୍‌ରେ ଭଲ ଗହଳି ହେଉଥିଲା।