ସାମାଜିକ ଅନୁଷ୍ଠାନ ‘ସମର୍ପିତ’ର ରାଜ୍ୟସ୍ତରୀୟ ବାର୍ଷିକ ରକ୍ତଦାତା ସମ୍ମିଳନୀ

ଭୁବନେଶ୍ୱର : ସିଓ୍ଵାଇଏସ୍‌ଡି ଅଡିଟୋରିୟମଠାରେ ରବିବାର ସାମାଜିକ ଅନୁଷ୍ଠାନ ‘ସମର୍ପିତ’ ପକ୍ଷରୁ ରାଜ୍ୟସ୍ତରୀୟ ବାର୍ଷିକ ରକ୍ତଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରୁ ରକ୍ତଭଣ୍ଡାର ଅଧିକାରୀ ଓ ଲ୍ୟାବ୍‌ ଟେକ୍‌ନିସିଆନ୍‌, ରକ୍ତଦାନ ଓ ଅନ୍ୟାନ୍ୟ ସାମାଜିକ କ୍ଷେତ୍ରରେ କାର୍ଯ୍ୟରତ ପ୍ରାୟ ଶତାଧିକ ଅଗ୍ରଣୀ ଅନୁଷ୍ଠାନମାନେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ‘ସମର୍ପିତ’ ସୋସିଆଲ ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଦିଲ୍ଲୀପ ମହାନ୍ତି ଅଧ୍ୟକ୍ଷତା କରିଥିଲେ। ଏଥି ସହିତ ଏହାର ପରିଚାଳନା କରିଥିଲେ ପ୍ରତିଷ୍ଠାତା ସମ୍ପାଦକ ଶ୍ରୀଯୁକ୍ତ ସଦାଶିବ ଜେନା।

‘ସମର୍ପିତ’ର ଅଧ୍ୟକ୍ଷ ଶ୍ରୀଯୁକ୍ତ ମହାନ୍ତି ଓଡ଼ିଶାର ୫୮ଟି ସବ୍‌ଡିଭିଜନର ୩୧୪ଟି ବ୍ଲକ୍‌ରେ ରହୁଥିବା ସମସ୍ତ ପରିବାର ରକ୍ତଜନିତ ଅଭାବରୁ ବଞ୍ଚିତ ହେବେ ନାହିଁ ବୋଲି କହିଥିଲେ। ଏଥିସହିତ ସେ ଏନେଇ ସମାଜର ଯୁବପିଢ଼ିଙ୍କୁ ସହଯୋଗର ଆବଶ୍ୟକତା ରହିଛି ବୋଲି କହିବା ସହିତ ସମର୍ପିତ ସର୍ବଦା ପ୍ରତ୍ୟେକ ବ୍ୟକ୍ତିଙ୍କୁ ସହଯୋଗ ଲାଗି ପ୍ରସ୍ତୁତ ରହିଛି ବୋଲି କହିଥିଲେ। ସେଥିପାଇଁ ସେ ସମସ୍ତ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କୁ ଏଭଳି ମହତ୍‌ କାର୍ଯ୍ୟ କରିବା ଲାଗି ଆଗେଇ ଆସିବାକୁ ଆହ୍ଵାନ ଦେଇଥିଲେ। ଏଥିରେ ପପୁଲସ ଫୋରମ୍‌ର ମେମ୍ବର ସେକ୍ରେଟାରି ଶ୍ରୀ ଗୋବିନ୍ଦ ଚନ୍ଦ୍ର ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ନାଗରିକ ସମାଜର ଅଧ୍ୟକ୍ଷ ଶ୍ରୀ ପ୍ରକାଶ ରଥ, ସମ୍‌ ହସ୍ପିଟାଲର ନିରୋଲୋଜି ବିଭାଗର ପ୍ରଫେସର ଡ. ଶିବପ୍ରସାଦ ଶତପଥି, ଶ୍ରୀ ହରେକୃଷ୍ଣ ଖୁଣ୍ଟିଆ, ସାମାଜିକ ଅନୁଷ୍ଠାନ କଳିଙ୍ଗ ଐତିହ୍ୟ ସଂସ୍କୃତି ସୁରକ୍ଷା ମଞ୍ଚର ଅଧ୍ୟକ୍ଷ ଶ୍ରୀ ସଂଗ୍ରାମ କେଶରୀ ପାଇକରାୟ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ତେବେ ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ, ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟକରୁଥିବା ସମାଜସେବୀ ଓ ସ୍ୱେଚ୍ଛାସେବୀମାନଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସର୍ବଶେଷରେ ‘ସମର୍ପିତ’ର ସାଧାରଣ ସମ୍ପାଦକ ରାକେଶ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର