ଭୁବନେଶ୍ବର: ଅରୁନ୍ଧତୀ ସାଂସ୍କୃତିକ ସଂଗଠନ ପକ୍ଷରୁ ରାଜ୍ୟସ୍ତରୀୟ ଅରୁନ୍ଧତୀ ଉତ୍ସବ-୨୦୨୨ ଗୁରୁ କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୫ଜଣ କୃତବିଦ୍ୟ କଳାକାରଙ୍କୁ ସଂଗୀତ କ୍ଷେତ୍ର ପାଇଁ ‘ଅରୁନ୍ଧତୀ ସମ୍ମାନ’ରେ ସମ୍ମାନିତ କରାଯାଇଛି। କାର୍ଯ୍ୟକ୍ରମରେ ଗୁରୁ ଜୀବନ ପ୍ରକାଶ ଦାସ ଶାସ୍ତ୍ରୀୟ ସୀତାର ବାଦନ କରିଥିଲେ ଏବଂ ଗୁରୁ ସମରେନ୍ଦ୍ର ନାୟକ ତବଲାରେ ସହଯୋଗ କରିଥିଲେ। ସ୍ବନାମଧନ୍ୟ ଗାୟିକା ଡ. ସଂଗୀତା ଗୋସାଇଁ, ଗଜଲରେ ଶ୍ରୀକର ପାଢ଼ୀ, ଓଡ଼ିଶୀ ସଂଗୀତରେ ନିମାକାନ୍ତ ରାଉତରାୟ, କଣ୍ଠଶିଳ୍ପୀ ଆଦ୍ୟାଶା ଦାସ ଓ ଅର୍ପିତା ଶତପଥୀ ପ୍ରମୁଖ ସଂଗୀତ ପରିବେଷଣ କରିଥିଲେ। ଭିନ୍ନକ୍ଷମ କିଶୋର ଶିଳ୍ପୀ ଅସିତ୍ ଓ ଅମିତ୍ ବଂଶୀ ଓ ତବଲା ବଜାଇ ଉପସ୍ଥିତ ଦର୍ଶକଙ୍କୁ ବିମୋହିତ କରିଥିଲେ।
ଘୁଡ଼ୁକି ଲୋକନୃତ୍ୟ ଶିଳ୍ପୀ ନୀଳକଣ୍ଠ ତରାଇ, ଓଡ଼ିଶା ସଂଗୀତ ଶିଳ୍ପୀ ନିମାକାନ୍ତ ରାଉତରାୟ, ବିଶିଷ୍ଟ ସମ୍ବଲପୁରୀ କବି ତଥା ଗୀତିକାର ଅର୍ଜୁନ ମେହେର, ପଶ୍ଚିମ ଓଡ଼ିଶାର ଜଣାଶୁଣା କବି ତଥା ସଂଗୀତକାର ଡ. ପ୍ରେମଚାନ୍ଦ ମହାନ୍ତି ଓ ଯୁବ ତବଲା ବାଦକ ଗଜରାଜ ମୋହିନୀଙ୍କୁ ଅରୁନ୍ଧତୀ ସମ୍ମାନ-୨୦୨୨ରେ ସମ୍ମାନିତ କରାଯାଇଛି। ଏଥିସହ ଭିନ୍ନକ୍ଷମ କିଶୋର ପ୍ରତିଭା ଯମଜ ଭ୍ରାତା ବଂଶୀ ବାଦକ ଅସିତ୍ ମହାପାତ୍ର ଓ ତବଲା ବାଦକ ଅମିତ ମହାପାତ୍ରଙ୍କୁ ‘ଅରୁନ୍ଧତୀ କିଶୋର ପ୍ରତିଭା ସମ୍ମାନ’ରେ ସମ୍ମାନିତ କରାଯାଇଥିଲା।
ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ପ୍ରାଣବିନ୍ଦୁ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଅନୁଷ୍ଠାନର ସଭାପତି ଉମାକାନ୍ତ ଭୂୟାଁଙ୍କ ସଭାପତିତ୍ବରେ ମୁଖ୍ୟବକ୍ତା ଭାବେ ଗୁରୁ କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ, ସମ୍ମାନିତ ଅତିଥି ଭାବେ ବନସଂରକ୍ଷକ ହର୍ଷବର୍ଦ୍ଧନ ଉଦ୍ଗାତା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଂଜନ କୁମାର ଦାସ, ନିର୍ମାଣ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ତଥା ସ୍ବତନ୍ତ୍ର ସଚିବ ଇଂ. ମନୋରଞ୍ଜନ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।
ଅନୁଷ୍ଠାନର ମୁଖ୍ୟ କାର୍ଯ୍ୟକ୍ରମ ସଂଯୋଜକ ସମରେନ୍ଦ୍ର ନାୟକ ସ୍ବାଗତ ଭାଷଣ ଦେଇଥିବା ବେଳେ ସାଧାରଣ ସଂପାଦକ ଦେବାନନ୍ଦ ସାମଲ ‘ଅରୁନ୍ଧତୀ’ର ପୃଷ୍ଠଭୂମି ଓ ଲକ୍ଷ୍ୟ ସଂପର୍କରେ ସୂଚନା ଦେଇଥିଲେ। ସଂପାଦିକା ରଶ୍ମିରେଖା ଜେନା, ସହକାରୀ ସଂପାଦକ ବିଶ୍ବଜିତ ଭୋଇ, ଶତ୍ରୁଘ୍ନ ସାମଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।