ପେନ୍‌ସନ୍‌ ସପ୍ତାହରେ ରାଜ୍ୟସ୍ତରୀୟ ସଚେତନତା ଶିବିର, ବୟସସୀମା ୫୦ବର୍ଷକୁ ବୃଦ୍ଧି ପାଇଁ ଓଡ଼ିଶାର ଦାବି

ଭୁବନେଶ୍ବର: କେନ୍ଦ୍ର ସରକାର ଅଣ ସଂଗଠିତ ଶ୍ରମିକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା ଏବଂ ବ୍ୟବସାୟୀ ଓ ସ୍ବରୋଜଗାରୀଙ୍କ ପାଇଁ ଜାତୀୟ ପେନସନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଉଭୟ ଯୋଜନାରେ ସାମିଲ ହେବା ପାଇଁ ବୟସ ସୀମା ୧୮-୪୦ବର୍ଷ ଭିତରେ ହୋଇଥିବା ଜରୁରୀ। ଏହାସହ ଅଣସଂଗଠିତ ଶ୍ରମିକଙ୍କ ମାସିକ ଆୟ ୧୫ହଜାର ଟଙ୍କାରୁ କମ୍ ଓ ଜାତୀୟ ପେନସନ୍‌ ଯୋଜନା ପାଇଁ ବ୍ୟବସାୟୀଙ୍କ ମାସିକ ଆୟ ୧.୫କୋଟି ଟଙ୍କାରୁ କମ୍ ହେବା ପାଇଁ ନିୟମ ରହିଛି। ଏପରି ନିୟମ ପାଇଁ ୪୧-୬୦ବର୍ଷ ଭିତ‌ରେ ଅନେକ ଶ୍ରମିକ ଏଥିରୁ ବାଦ୍ ପଡ଼ୁଛନ୍ତି। ତେଣୁ ବୟସ ସୀମାକୁ ଅତି କମ୍‌ରେ ୫୦ ବର୍ଷକୁ ବୃଦ୍ଧି କରିବା ଓ ଅଂଶଦାନ ପରିମାଣ ୧୦ ବର୍ଷକୁ କମ୍ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବା କହିଛନ୍ତି ରାଜ୍ୟ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ପେନସନ୍‌ ସପ୍ତାହ ଉପଲକ୍ଷେ ଆଜି ରାଜ୍ୟ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ପକ୍ଷରୁ ଜୟଦେବ ଭବନରେ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ସିଂ କହିଲେ, ନିକଟରେ କିଛି ରାଜ୍ୟକୁ ନେଇ ହୋଇଥିବା ବୈଠକରେ ଓଡ଼ିଶା ପକ୍ଷରୁ ଏହି ପ୍ରସ୍ତାବ ଦିଆଯାଇଛି। ଏ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନାରେ ପ୍ରାୟ ୨ଲକ୍ଷ ଓ ଜାତୀୟ ପେନସନ୍‌ ଯୋଜନାରେ ୧୫୫ଜଣ ହିତାଧିକାରୀ ସାମିଲ ହୋଇପାରିଛନ୍ତି। ଆସନ୍ତା ମାର୍ଚ ସୁଦ୍ଧା ଜାତୀୟ ପେନସନ ଯୋଜନାରେ ଥିବା ହିତାଧିକାରୀଙ୍କ ସଂଖ୍ୟା ଦେଢ଼ ଲକ୍ଷକୁ ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।

ବିଭାଗୀୟ ସଚିବ ଅନୁ ଗର୍ଗ କହିଲେ, କେନ୍ଦ୍ର ସରକାରଙ୍କ ଏହି ଦୁଇ ଯୋଜନାରେ ହିତାଧିକାରୀଙ୍କ ବୟସ ଅନୁସାରେ ଅଂଶଦାନର ପରିମାଣ ସ୍ଥିର ହୋଇଛି। ୫୫ଟଙ୍କାରୁ ୨ଶହ ଟଙ୍କା ଭିତରେ ଏହା ସୀମିତ ରହିଛି। ହିତାଧିକାରୀ ୬୦ ବର୍ଷରେ ପହଞ୍ଚିଲେ ସେମାନଙ୍କୁ ମାସିକ ୩ହଜାର ଟଙ୍କା ଲେଖାଏଁ ପେନସନ ମିଳିବ। ରାଜ୍ୟ ସରକାର ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ୨୯ଲକ୍ଷ ହିତାଧିକାରୀଙ୍କୁ ପଞ୍ଜୀକୃତ କରିଥିବା ବେଳେ ୧୭ଟି କଲ୍ୟାଣକାରୀ ଯୋଜନା ଜରିଆରେ ୧୪୭୦ କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରିଥିବା ଶ୍ରୀମତୀ ଗର୍ଗ କହିଥିଲେ। କାର୍ଯ୍ୟକ୍ରମରେ ବିଧାୟକ ଅନନ୍ତ ନାରାୟଣ ଜେନା, ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ବୋର୍ଡର ଅଧ୍ୟକ୍ଷ ସୁବାସ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରମ ଆୟୁକ୍ତ ନିରଞ୍ଜନ ସାହୁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର