ରାଜ୍ୟସ୍ତରୀୟ ପୁସ୍ତକ ମହୋତ୍ସବ ଉଦ୍‌ଯାପିତ: ଟୋକିଓ, ୱାସିଂଟନ୍‌କୁ ବି ବଳିଯାଇପାରେ ପୁରୀ, କୋଣାର୍କ

ଭୁବନେଶ୍ବର: ସମଗ୍ର ବିଶ୍ବ ଅବଚେତନ ଥିବା ବେଳେ ଭାରତୀୟ ପୁସ୍ତକ ବିଶ୍ବକୁ ଦିଗ୍‌ଦର୍ଶନ ଦେଇ ଆସିଛି। ତେବେ ସମଗ୍ର ଦୁନିଆର ସାହିତ୍ୟ ଓ ଦର୍ଶନ କୁହେ ସମସ୍ତଙ୍କୁ ଭଲପାଅ, ସ୍ବୀକାର କର। ଏହା କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ଦ୍ବିତୀୟ ରାଜ୍ୟସ୍ତରୀୟ ପୁସ୍ତକ ମହୋତ୍ସବର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ କହିଲେ, ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପୁରୀ ଓ କୋଣାର୍କ କ୍ଷେତ୍ରର ବିକାଶ ପାଇଁ ଯେଉଁ ପ୍ରକ୍ରିୟା ଚଳାଇଛନ୍ତି, ଅନୁଭବ ହେଉଛି ଟୋକିଓ ଓ ୱାସିଂଟନ୍‌କୁ ବି ଆମ ପ୍ରଦେଶର ପର୍ଯ୍ୟଟନ ବଳିଯିବ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ଏହି ପୁସ୍ତକ ମହୋତ୍ସବ ଯେପରି ଦେଶର ଏକ ନମ୍ବର ମେଳା ସହ ସମକକ୍ଷ ହେବ, ସେନେଇ ପ୍ରୟାସ କରାଯିବ। ସ୍ବାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ କହିଲେ, ସାହିତ୍ୟ ବିନା ଉତ୍ତରଣ ସମ୍ଭବ ନୁହେଁ। ସ୍ବାଧୀନତା ଆନ୍ଦୋଳନ ସମୟରେ ସେଇ ସାହିତ୍ୟ ହିଁ ଦେଶପ୍ରେମର ବହ୍ନି ଜାଳିଥିଲା। ସର୍ବୋଦୟ ନେତ୍ରୀ ବିରଜା ଦେବୀ କହିଲେ, ଗୁଗୁଲ୍‌ର ଉତ୍ତର‌ କେବେ ହୃଦୟକୁ ଛୁଏଁ ନାହିଁ। ବହି ହିଁ ମଣିଷକୁ ଊର୍ଧ୍ବକୁ ନିଏ। ବିଭାଗୀୟ ପ୍ରମୁଖ ଶାସନ ସଚିବ ମନୋରଂଜନ ପାଣିଗ୍ରାହୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମି ପ୍ରକାଶିତ ଡ. ସିଦ୍ଧେଶ୍ବର ମହାପାତ୍ରଙ୍କ ‘ପୁରୀ ବୋଲି’, କୃତିବାସ ନାୟକଙ୍କ ନାଟକ ‘ମୁଁ ସ୍ବାତୀ ମହାପାତ୍ର’, ଡ. ଉପେନ୍ଦ୍ର ପ୍ରସାଦ ନାୟକଙ୍କ ‘ମିଛ ଯନ୍ତ୍ରଣା’, ଭାନୁମତୀ ସାହୁଙ୍କ ‘ନୀଳ ଜହ୍ନ’, ପ୍ରଦୀପ କୁମାର ରଥଙ୍କ ‘ୟୁରୋପ ଏକ ବର୍ଣ୍ଣିଳ ବିସ୍ମୟ’ ପୁସ୍ତକ ଅତିଥିମାନେ ଲୋକାର୍ପଣ କରିଥିଲେ। ବିଭାଗୀୟ ନିର୍ଦେଶକ ବିଜୟ କୁମାର ନାୟକ ସ୍ବାଗତ ଭାଷଣ ଦେଇ ଥିବା ବେଳେ ଓଡ଼ିଶା ସାହିତ୍ୟ ଏକାଡେମି ସଚିବ ଡ. ଜୟନ୍ତୀ ରଥ ଉପସ୍ଥିତ ଥିଲେ। ଡ. ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର