ଶିଶୁଙ୍କ ଉପରେ ନିଜର ମତ ଲଦି ଦିଅନି

ରାଜ୍ୟସ୍ତରୀୟ ଶିଶୁ ପ୍ରତିଭା ମହୋତ୍ସବ

ଭୁବନେଶ୍ୱର : ଶିଶୁର ମନ ମାଟି ପିତୁଳା ସଦୃଶ। ତାକୁ ଯେମିତି ଗଢ଼ିବ ସେ ସେମିତି ବଢ଼ିବ। ଶିଶୁ ଉପରେ ନିଜର ମତ ନଲଦି ତାକୁ ନିଜର ପାଠ୍ୟଧାରା ଓ ପେସା ବାଛିବାକୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦେବା ଆବଶ୍ୟକ। ଶିଶୁ ବିକାଶ ଓ ସମାଜ ଉନ୍ନୟନ କେନ୍ଦ୍ର (ସିସିଡବ୍ଲୁଏସ୍‌ଡି) ପକ୍ଷରୁ ଜୟଦେବ ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ଶିଶୁ ପ୍ରତିଭା ମହୋତ୍ସବରେ ଏପରି ଆଲୋକପାତ କରିଛନ୍ତି ଅତିଥିବୃନ୍ଦ।

ଓୟୁଏଟିର କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ, ବିଶିଷ୍ଟ କବି ହରପ୍ରସାଦ ଦାସ, ବିଜେବି କଲେଜର ଅଧ୍ୟକ୍ଷ ପ୍ରଫେସର ମହମ୍ମଦ ନଓ୍ଵାଜ ହାସନ, ‘ସୁବାର୍ତା’ର ସମ୍ପାଦକ ପ୍ରଦ୍ୟୁମ୍ନ ଶତପଥୀ, ରାଜ୍ୟ ସମାଜ ମଙ୍ଗଳ ବୋର୍ଡର ଅଧ୍ୟକ୍ଷା ଲତିକା ପ୍ରଧାନ, ଜାତୀୟ ମାନବାଧିକାର କମିସନ୍‌ର କୋର୍‌ ଗ୍ରୁପ୍‌ ସଦସ୍ୟ ମନୋଜ ଜେନା, ‘ସମାଜ’ର ମୁଖ୍ୟ ସଂଯୋଜକ ସୁରେଶ ଚନ୍ଦ୍ର ମନ୍ତ୍ରୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିବା ସହ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ରାଜ୍ୟସ୍ତରରେ ଶିଶୁ ବିକାଶ ମେଧାବୃତ୍ତି ପରୀକ୍ଷାରେ ୧୫ ହଜାର ପିଲା ଭାଗ ନେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୧୫ ଜଣ ଏବଂ ସଂଗଠନ ପକ୍ଷରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର ୫୩ ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।

କେନ୍ଦ୍ରର ସଭାପତି ସୁଧାନିଧି ରାଉତ କାର୍ଯର୍୍ୟକ୍ରମରେ ଅଧ୍ୟକ୍ଷତା କରିଥିବାବେଳେ ସଂଗଠନର ସମ୍ପାଦକ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ। ମହୋତ୍ସବ କମିଟି ଉପସଭାପତି ଚନ୍ଦ୍ରକାନ୍ତ ହାଜରା, ଜ୍ୟୋତ୍ସ୍ନା ରାଉତ, ଡ.ଲୋକେଶ ମିଶ୍ର, ରାଜଦର୍ଶିନୀ ପାତ୍ର, ଆର୍‌ ସୁନନ୍ଦା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର