ରାଜ୍ୟସ୍ତରୀୟ ଶିଶୁ ପ୍ରତିଭା ମହୋତ୍ସବ: ଜ୍ଞାନରେ ଧନୀ ହୁଅ

ଭୁବନେଶ୍ବର: ଗୁଣାତ୍ମକ ଶିକ୍ଷା ହିଁ ଦେଶକୁ ସମୃଦ୍ଧି ପଥରେ ଅଗ୍ରସର କରେ। ତେଣୁ ଜ୍ଞାନରେ ଆମେମାନେ ଧନୀ ହେବା ଉଚିତ। ସୃଜନ କାର୍ଯ୍ୟ, କର୍ତବ୍ୟ ଓ ଶୃଙ୍ଖଳା ‌କେବଳ ଜଣେ ବ୍ୟକ୍ତିଙ୍କୁ ଶିଖରରେ ପହଞ୍ଚାଏ ନାହିଁ, ବରଂ ସମଗ୍ର ଦେଶ ସମୃଦ୍ଧ ହୁଏ। ଶିଶୁ ବିକାଶ ଓ ସମାଜ ଉନ୍ନୟନ କେନ୍ଦ୍ର (ସିସିଡବ୍ଲୁଏସ୍‌ଡି) ପକ୍ଷରୁ ଜୟଦେବ ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ଶିଶୁ ପ୍ରତିଭା ମହୋତ୍ସବରେ ଅତିଥିମାନେ ଏହା କହିଛନ୍ତି।

ଏହି ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମିର ସଚିବ ଡ. ଜୟନ୍ତୀ ରଥ, ଷ୍ଟେଟ୍‌ ବ୍ୟାଙ୍କ ଅଫ୍ ଇଣ୍ଡିଆର ଆଞ୍ଚଳିକ ପ୍ରବନ୍ଧକ ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ, ପ୍ରାକ୍ତନ ପ୍ରଶାସକ ଗୋସ୍ବାମୀ ଗୋଲାମ ଦେବତା, ବରିଷ୍ଠ ସାମ୍ବାଦିକ ବିମଳ କୁମାର ‌ଭଂଜଦେଓ ଅତିଥି ଭାବେ ଯୋଗଦେଇ ପୁରସ୍କୃତ ଶିଶୁ ପ୍ରତିଭାମାନଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗର ସ୍ବତନ୍ତ୍ର ଶାସନ ସଚିବ ରବିନାରାୟଣ ମହାନ୍ତି, ମଞ୍ଜୁ ରାୟ, ପ୍ରାକ୍ତନ ପ୍ରଶାସକ ପଦ୍ମନାଭ ଚୌଧୁରୀ, ପ୍ରଫେସର୍‌ ପ୍ରେମାନନ୍ଦ ମହାପାତ୍ର ପ୍ରମୁଖ ଯୋଗଦେଇ ମୂଲ୍ୟବୋଧ ଶିକ୍ଷା ଉପରେ ବକ୍ତବ୍ୟ ରଖିଥିଲେ। ସମଗ୍ର ରାଜ୍ୟର ୧୬ ହଜାର ପିଲାଙ୍କ ମଧ୍ୟରେ ବିଭିନ୍ନ ବିଷୟରେ ପ୍ରତିଯୋଗିତା କରାଯାଇଥିବା ବେଳେ ଆଜି ୨୬୪ଜଣ ଶିଶୁ ପ୍ରତିଭାଙ୍କୁ ପୁରସ୍କୃତ କରାଯାଇଥିଲା। ସିସିଡବ୍ଲୁଏସ୍‌ଡିର ସଭାପତି ସୁଧାନିଧି ରାଉତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ସମ୍ପାଦକ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ ମହୋତ୍ସବର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ‌ଅନୁଷ୍ଠାନର ଯୋଜନା ନିର୍ଦେଶିକା ଜ୍ୟୋତ୍ସ୍ନା ରାଉତ ସ୍ବାଗତ ଭାଷଣ ଓ ପ୍ରକଳ୍ପ ନିର୍ଦେଶକ ଆର୍‌.ସୁନନ୍ଦା ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର