ଭୁବନେଶ୍ୱର: ଭାରତୀୟ କମ୍ୟୁନିଷ୍ଟ ପାର୍ଟି ରାଜ୍ୟ ପରିଷଦ ଆନୂକୁଲ୍ୟରେ କମ୍ୟୁନିଷ୍ଟ ପାର୍ଟିର ପ୍ରତିଷ୍ଠାତା ସମ୍ପାଦକ ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବିପ୍ଳବୀ ଭଗବତୀ ଚରଣ ପାଣିଗ୍ରାହୀଙ୍କ ୮୨ତମ ରାଜ୍ୟସ୍ତରୀୟ ସ୍ମୃତି ସମାରୋହ ଅନୁଷ୍ଠିତ ହୋଇଛି। ଆଶିଷ କାନୁନ୍‌ଗୋଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସିପିଆଇ ରାଜ୍ୟ ସମ୍ପାଦକ ପ୍ରଶାନ୍ତ ମିଶ୍ର ବିପ୍ଳବୀ ଭଗବତୀ ଚରଣଙ୍କ ଜୀବନୀ ସମ୍ପର୍କରେ ବକ୍ତବ୍ୟ ଦେଇଥିଲେ। ମାତ୍ର ୩୩ ବର୍ଷ ବୟସ ମଧ୍ୟରେ ବିପ୍ଳବୀ ଭଗବତୀ ଚରଣ ଓଡ଼ିଶାରେ ଗଡ଼ଜାତ ପ୍ରଜା ଆନ୍ଦୋଳନର ଅନ୍ୟତମ ବିନ୍ଧାଣି ସାଜିଥିଲେ। ସିପିଆଇ(ଏମ୍‌) ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ, ସିପିଆଇ(ଏମ୍‌ଏଲ୍‌) ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର ସମାରୋହରେ ଭଗବତୀଙ୍କ ବହୁମୁଖୀ ପ୍ରତିଭା ଓ ଏକ ସମତାସମ୍ପନ୍ନ ସମାଜ ପ୍ରତିଷ୍ଠା ଲାଗି ତାଙ୍କର ଅବଦାନ ସମ୍ପର୍କରେ କହିଥିଲେ। ଏହି ଅବସରରେ ନୂଆଦୁନିଆ ସାପ୍ତାହିକର ‘ଭଗବତୀ ବିଶେଷାଙ୍କ-୨୦୨୫’ ସଂଖ୍ୟା ଉନ୍ମୋଚିତ ହୋଇଥିଲା। 

Advertisment

ଭଗବତୀଙ୍କ ବାର୍ତ୍ତାକୁ ସମଗ୍ର ରାଜ୍ୟରେ ପହଞ୍ଚାଇବା ପାଇଁ ପତ୍ରିକାର ସମ୍ପାଦକ ରମେଶ ଚନ୍ଦ୍ର ପାଢ଼ୀ ଘୋଷଣା କରିଥିଲେ। ବିଶ୍ୱ ଶିକ୍ଷକ ସଂଘର ଅଧ୍ୟକ୍ଷ ଅମିୟ ମହାନ୍ତି, ଶିକ୍ଷକ ମହାସଂଘର ନେତା ଧନଞ୍ଜୟ ମହାପାତ୍ର, ଶ୍ରମିକ ନେତା ବନମାଳି ବାଇଙ୍କୁ ‘ଭଗବତୀ ଚରଣ ପାଣିଗ୍ରାହୀ ସ୍ମୃତି ସଂଗଠକ ସମ୍ମାନ’ ଓ ଶିକ୍ଷାକ୍ଷେତ୍ରରେ ଜୀବନବ୍ୟାପୀ ଅବଦାନ ପାଇଁ ଶିକ୍ଷାବିତ୍ ବିବେକାନନ୍ଦ ଦାଶଙ୍କୁ ‘ଭଗବତୀ ଚରଣ ପାଣିଗ୍ରାହୀ ସ୍ମୃତି ଶିକ୍ଷା ସମ୍ମାନ’ ପ୍ରଦାନ କରିଥିଲେ। ସିପିଆଇ ଜାତୀୟ ପରିଷଦ ସଭ୍ୟ ଏନ୍ ନାରାୟଣ ରେଡ୍ଡୀ, ରାଜ୍ୟ ସହସମ୍ପାଦକ ଜୟନ୍ତ ଦାସ, ଖୋର୍ଦ୍ଧାଜିଲ୍ଲା ସିପିଆଇ ସମ୍ପାଦକ ଅମିୟ ପଟ୍ଟନାୟକ, ସୁର ଜେନା, ବିଜୟ ମହାନ୍ତି, କୈଳାସ ପୁହାଣ, ଅଧ୍ୟାପକ ମାନସ ବେହେରା, ବସନ୍ତ କୁମାର ପାଇକରାୟ, ସତୀଶ ମିଶ୍ର, ଉତ୍କଳ ମହିଳା ସମିତିର ରାଜ୍ୟ ସଭାନେତ୍ରୀ ପ୍ରମୋଦିନୀ ପାଇକରାୟ, ଛାତ୍ରସଂଘ ନେତ୍ରୀ ସଂଘମିତ୍ରା ଜେନା, ଅଶୋକ ସାହୁ, ଶଙ୍କର୍ଷଣ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।