ବାଲ୍ୟ ବିହାହ ରୋକିବାକୁ ରାଜ୍ୟସ୍ତରୀୟ କମିଟି ବୈଠକରେ ତନାଘନା, ଅକ୍ଷୟ ତୃତୀୟା ଉପରେ ନଜର ରଖ

ଧର୍ମାନୁଷ୍ଠାନ, ମନ୍ଦିର, ଗଣବିବାହରେ ଯାଞ୍ଚ ହେବ ଜନ୍ମ ପ୍ରମାଣପତ୍ର, ମାର୍ଚ୍ଚ ସୁଦ୍ଧା ରାଜ୍ୟର ୩୦୦୭ ଗାଁ ବାଲ୍ୟବିବାହ ମୁକ୍ତ ହୋଇଛି

ଭୁବନେଶ୍ୱର: ସଂପ୍ରତି କୋଭିଡ୍‌-୧୯ ଦ୍ୱିତୀୟ ଲହରୀ ପରିପ୍ରେକ୍ଷୀରେ ବାଲ୍ୟବିବାହର ଶିକାର ହେଉଥିବା ଶିଶୁମାନେ ଖୁବ୍‌ ସମ୍ବେଦନପ୍ରବଣ ହୋଇପଡ଼ିଛନ୍ତି। ଆଗାମୀ ଦିନରେ ଆସୁଥିବା ଅକ୍ଷୟ ତୃତୀୟା ତିଥିରେ ଗଣବିବାହ ହେବା ସମ୍ଭାବନା ଥିବାରୁ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ ଏହା ଉପରେ ତୀକ୍ଷ୍‌ଣ ନଜର ରଖିବାକୁ ଆଜି ନିର୍ଦ୍ଦେଶ ଦିଆଯାଇଛି। କେବଳ ସେତିକି ନୁହେଁ, ବିଭିନ୍ନ ଧର୍ମାନୁଷ୍ଠାନ, ମନ୍ଦିର ଏବଂ ବିବାହ ମଣ୍ଡପଗୁଡ଼ିକରେ ହେଉଥିବା ବିବାହଗୁଡ଼ିକରେ ଅନୁଷ୍ଠାନର ମୁଖ୍ୟମାନେ ଜନ୍ମ ପ୍ରମାଣପତ୍ରକୁ ଯାଞ୍ଚ କରିବା ନିମନ୍ତେ ପଞ୍ଚାୟତିରାଜ ଓ ଆଇନ ବିଭାଗ ତରଫରୁ ପଦକ୍ଷେପ ନେବାକୁ ରାଜ୍ୟସ୍ତରୀୟ ବାଲ୍ୟବିବାହ ନିଷେଧ କମିଟିର ୧୧ତମ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।
ରାଜ୍ୟରେ ବାଲ୍ୟବିବାହ ପ୍ରଥା ସଂପୂର୍ଣ୍ଣ ନିଷେଧ କରିବା ଲକ୍ଷ୍ୟରେ ମହିଳା ଓ ଶିଶୁ ବିକାଶ ଏବଂ ମିସନ ଶକ୍ତି ବିଭାଗ ଦ୍ୱାରା ବ୍ୟାପକ ଯୋଜନାବଦ୍ଧ କାର୍ଯ୍ୟଖସଡ଼ା ପ୍ରସ୍ତୁତି ଉପରେ ଆଲୋଚନା ହୋଇଥିଲା। ବାଲ୍ୟବିବାହ ନିଷେଧ ପାଇଁ ଜିଲ୍ଲା, ବ୍ଲକ୍‌ ଏବଂ ପଞ୍ଚାୟତସ୍ତରରେ ଗଠିତ ଟାସ୍କ ଫୋର୍ସ ଓ କମିଟିଗୁଡ଼ିକ ଅଧିକ କ୍ରିୟାଶୀଳ ହେବା ସହ ବାଲ୍ୟବିବାହ ଦ୍ୱାରା କୋମଳମତି ଶିଶୁମାନଙ୍କ ମାନସିକ, ଶାରୀରିକ ନକାରାତ୍ମକ ପ୍ରଭାବ ସଂପର୍କରେ ସଚେତନତା ସୃଷ୍ଟି କରିବାକୁ ଆଜିର ବୈଠକରେ ନିଷ୍ପତ୍ତି ଚୂଡ଼ାନ୍ତ ହୋଇଛି।

ପ୍ରତ୍ୟେକ ଦୁଇ ମାସରେ ଅନୁଷ୍ଠିତ ହେଉଥିବା ରାଜ୍ୟସ୍ତରୀୟ ବାଲ୍ୟବିବାହ ନିଷେଧ କମିଟିର ୧୧ତମ ବୈଠକ ଭର୍ଚୁଆଲ୍‌ ମାଧ୍ୟମରେ ମହିଳା ଓ ଶିଶୁବିକାଶ ଏବଂ ମିସନ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ବାଲ୍ୟବିବାହ ନିଷେଧ କ୍ଷେତ୍ରରେ ସମ୍ମିଳିତ ଭାବେ ସହଭାଗିତାର ସହ କାର୍ଯ୍ୟ କରୁଥିବା ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ପଞ୍ଚାୟତିରାଜ ଓ ପାନୀୟଜଳ ଏବଂ ଆଇନ ଆଦି ପ୍ରମୁଖ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ୟୁନିସେଫ୍‌, ୟୁଏନ୍‌ଏଫ୍‌ପିଏ, ଆକ୍ସନ୍‌ ଏଡ୍‌, ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ, ସିଆଇଡି, କ୍ରାଇମ ବ୍ରାଞ୍ଚ, ପୁଲିସ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ। ଗତ ଦିନମାନଙ୍କରେ ଓଡ଼ିଶାରେ ବାଲ୍ୟବିବାହର ସ୍ଥିତି ଏବଂ ଭବିଷ୍ୟତରେ ବାଲ୍ୟବିବାହ ରୋକିବା ନିମନ୍ତେ ବିଭିନ୍ନ ଆକ୍ସନ୍‌ ପ୍ଲାନ୍‌ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା।

ପ୍ରମୁଖ ସଚିବ ଶ୍ରୀମତୀ ଗର୍ଗ କହିଥିଲେ, ୨୦୨୧ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା, ରାଜ୍ୟର ୩୦୦୭ଟି ଗାଁ ସଂପୂର୍ଣ୍ଣ ବାଲ୍ୟବିବାହମୁକ୍ତ ହୋଇପାରିଛି। ବାଲ୍ୟବିବାହ ରୋକିବା ଦିଗରେ ସୁଦକ୍ଷା ଯୋଜନା, କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ବାଳିକାମାନେ ହଷ୍ଟେଲ୍‌ରେ ରହିବା ଆଦି କାର୍ଯ୍ୟକ୍ରମ ବେଶ ଫଳପ୍ରଦ ହୋଇଛି ବୋଲି ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ସୂଚନା ଦେଇଥିଲେ। ବାଲ୍ୟବିବାହରୁ ଉଦ୍ଧାର କରାଯାଇଥିବା କିଶୋରୀମାନଙ୍କୁ ପରବର୍ତ୍ତୀ ସମୟରେ ଦକ୍ଷତା ବିକାଶ ମାଧ୍ୟମରେ ମୁଖ୍ୟସ୍ରୋତରେ ସାମିଲ କରିବା ନିମନ୍ତେ ପ୍ରମୁଖ ବିଭାଗଗୁଡ଼ିକର କାର୍ଯ୍ୟକ୍ରମ ଉପରେ ସବିଶେଷ ଆଲୋକପାତ କରାଯାଇଥିଲା। ବିଶେଷ କରି ବାଳିକାମାନଙ୍କ ସୁରକ୍ଷା ଓ ନିରାପତ୍ତାକୁ ସୁନିଶ୍ଚିତ କରିବା ନିମନ୍ତେ ଜିଲ୍ଲାସ୍ତରରେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେବାକୁ ବୈଠକରେ ମତପ୍ରକାଶ ପାଇଥିଲା।

ସମନ୍ୱିତ ଶିଶୁବିକାଶ ଏବଂ ସମାଜ କଲ୍ୟାଣ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ ମହିଳା ଓ ବାଳିକାମାନେ ସମ୍ମୁଖୀନ ହେଉଥିବା ଯୌତୁକ ପ୍ରଥା, ଘରୋଇ ହିଂସା, କର୍ମସ୍ଥଳୀରେ ଯୌନ ନିର୍ଯାତନା, ମହିଳା ଚାଲାଣ ଆଦି ସମ୍ବେଦନଶୀଳ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋକପାତ କରିବା ସହ ବିଭିନ୍ନ ସରକାରୀ ବିଭାଗ, ସହଭାଗୀ ସଂସ୍ଥା, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ନାଗରିକ ଅନୁଷ୍ଠାନଗୁଡ଼ିକର ମିଳିତ ପ୍ରୟାସରେ ତଦାରଖ ପ୍ରକ୍ରିୟାକୁ ଆହୁରି ଜୋରଦାର କରିବା ସହ ମହିଳାମାନଙ୍କ ପାଇଁ ଓଡ଼ିଶାକୁ ଏକ ସୁରକ୍ଷିତ ରାଜ୍ୟରେ ପରିଣତ କରିବା ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

ପ୍ରକାଶ ଥାଉକି, ୨୦୧୯ ମସିହାରେ ୟୁନିସେଫ, ୟୁଏନ୍‌ଏଫ୍‌ପିଏ, ଆକ୍ସନ୍‌ଏଡ୍‌, ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ, କ୍ରାଇମ୍‌ ବ୍ରାଞ୍ଚ ଏବଂ ପୁଲିସ ବିଭାଗ ଆଦିକୁ ଅନ୍ତର୍ଭୁକ୍ତ କରି ରାଜ୍ୟରେ ବାଲ୍ୟବିବାହ ରୋକିବା ନିମନ୍ତେ ରାଜ୍ୟସ୍ତରୀୟ ବାଲ୍ୟବିବାହ ନିଷେଧ କମିଟି ଗଠନ କରାଯାଇଥିଲା ।

ସମ୍ବନ୍ଧିତ ଖବର