ଓଡ଼ିଆଙ୍କ ପାଖରେ ଚିରନମସ୍ୟ ସହିଦ ଲକ୍ଷ୍ମଣ ନାଏକ

ସ୍ବାଧୀନତା ସଂଗ୍ରାମୀ ଲକ୍ଷ୍ମଣ ନାଏକଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧଦିବସ

ଭୁବନେଶ୍ୱର: ସ୍ୱାଧୀନତା ସଂଗ୍ରାମୀ ଲକ୍ଷ୍ମଣ ନାଏକ ବ୍ରିଟିଶ ଶାସନ ବିରୁଦ୍ଧରେ ସ୍ୱର ଉତ୍ତୋଳନ ହସି ହସି ସହିଦ ହୋଇ ଯାଇଥିଲେ। କୋରାପୁଟର ତେନ୍ତୁଳିଗୁମା ପରି ଏକ ଅଖ୍ୟାତ ଗାଁରେ ଜନ୍ମଗ୍ରହଣ କରି ସେ ସ୍ୱାଧୀନତା ଆନ୍ଦୋଳନରେ ସର୍ବୋଚ୍ଚ ବଳିଦାନ ଦେଇଥିଲେ। ଯାହା ତାଙ୍କୁ ପ୍ରତି ଓଡ଼ିଆଙ୍କ ପାଖରେ ଚିରନମସ୍ୟ କରି ରଖିଛି ବୋଲି ଆଜି ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ଶବରୀ ସାଂସ୍କୃତିକ ପରିଷଦର ମିଳିତ ସହଯୋଗରେ ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ସହିଦ ଲକ୍ଷ୍ମଣ ନାଏକଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ବିଶିଷ୍ଟ ଅତିଥିମାନେ ଏପରି ମତବ୍ୟକ୍ତ କରିଛନ୍ତି। କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦୀପ ଅମାତ ଲକ୍ଷ୍ମଣ ନାଏକଙ୍କ ଅପୂର୍ବ ଦେଶପ୍ରେମ ବିଷୟରେ ଆଲୋକପାତ କରିଥିଲେ। ସେ ଆଦିବାସୀମାନଙ୍କ ମଉଡ଼ମଣି ବୋଲି ଅଭିହିତ କରିଥିଲେ। ବୀର ଲକ୍ଷ୍ମଣ ନାଏକଙ୍କ ଦେଶଭକ୍ତି ଓ ଜନସେବା ସର୍ବଦା ପ୍ରେରଣା ଦେବା ସହ ସେ ଚିରସ୍ମରଣୀୟ ହୋଇ ରହିବେ ବୋଲି ମନ୍ତ୍ରୀ ଶ୍ରୀ ଅମାତ କହିଥିଲେ। ମୁଖ୍ୟ ଅତିଥି ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟା ଲଘୁ ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗ ଦେଇଥିଲେ।

ସମ୍ମାନିତ ଅତିଥି ଭାବେ ସାଂସଦ ମୁନ୍ନା ଖାଁ, ବିଧାୟକ ତାରାପ୍ରସାଦ ବାହିନୀପତି, ବିଧାୟକ ରଘୁନାଥ ଗମାଙ୍ଗ, ବିଧାୟକ ମକରନ୍ଦ ମୁଦୁଲି ପ୍ରମୁଖ ଲକ୍ଷ୍ମଣ ନାଏକଙ୍କ ଜୀବନାଦର୍ଶ ସଂପର୍କରେ ମତ ରଖିଥିଲେ। ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ସ୍ୱାଗତ ଭାଷଣ ଦେଇଥିଲେ। ଶବରୀ ସାଂସ୍କୃତିକ ପରିଷଦର ଗୋଦାବୀଶ ମହାପାତ୍ର ଧନ୍ୟବାଦ ଦେଇଥିଲେ। ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ (ବୈଷୟିକ) ସୁରେନ୍ଦ୍ରନାଥ ପରିଡ଼ା, ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର