‘ଈଶ୍ବର ଆମ ସପକ୍ଷରେ’ରୁ ପଞ୍ଚମବେଦର ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଆରମ୍ଭ

ଭୁବନେଶ୍ବର: ମଣିଷ ହିଁ ସାରା ପ୍ରାକୃତିକ ସର୍ଜନାର ଶତ୍ରୁ। ମଣିଷର ମୃତ୍ୟୁ ହେଲେ ଯାଇ ପୃଥିବୀ ରକ୍ଷା ପାଇବ। ପରିବେଶ ଧ୍ବଂସକାରୀ ହିଂସା ପ୍ରଣୋଦିତ ତଥା ପରମାଣୁ ଅସ୍ତ୍ରରେ ସଜ୍ଜିତ ମହା ସ୍ବାର୍ଥପର ମଣିଷ ତା’ର ଅପକର୍ମ ପାଇଁ ଶାସ୍ତି ପାଇବା ଉଚିତ। ଏଣୁ ସକଳ ପ୍ରାଣୀଜଗତ, ବୃକ୍ଷଲତା ଓ କୀଟପତଙ୍ଗ ଈଶ୍ବରଙ୍କ ଦରବାରରେ ଏକଜୁଟ୍‌ ହୋଇଛନ୍ତି କରୋନା ସପକ୍ଷରେ। ତେବେ ଏହି ସଙ୍କଟମୟ ସ୍ଥିତିରେ ଈଶ୍ବର କ’ଣ କରିବେ? ନ୍ୟାୟ କରିବାକୁ ଯାଇ ପୃଥିବୀ ପୃଷ୍ଠରେ ବିଷବଳୟ ସୃଷ୍ଟିକାରୀ ମଣିଷ ନିଜେ ସେଇ ବିଷପାନ କରି ମରିଯାଉ ବୋଲି ଚାହିବେ ନା ସମଗ୍ର ଜୀବଜଗତର ଆକୁଳ ନିବେଦନକୁ ଆଗ୍ରହ୍ୟ କରି ତାଙ୍କର ପ୍ରିୟ ମାନବ ଜାତିକୁ ଏ ବିଶ୍ବ ମହାମାରୀରୁ ସୁରକ୍ଷା ଦେବା ପାଇଁ ଅଭୟ ପ୍ରଦାନ କରିବେ? ସାମ୍ପ୍ରତିକ ମହାମାରୀଜନିତ ଏମିତି ଏକ ଗଭୀର ଭାବାବେଗ ପ୍ରସଙ୍ଗକୁ ନେଇ ଭୁବନେଶ୍ବରର ନାଟ୍ୟ ସଂସ୍ଥା ‘ପଞ୍ଚଧ୍ବନି ନାଟ୍ୟ ପରିଷଦ’ ପକ୍ଷରୁ ମଞ୍ଚସ୍ଥ ହୋଇଥିଲା ନାଟକ ‘ଈଶ୍ବର ଆମ ସପକ୍ଷରେ’।

‘ପଞ୍ଚମବେଦ’ ପକ୍ଷରୁ ବିଜୁ ନାଟ୍ୟକେନ୍ଦ୍ର’ଠାରେ ଅନୁଷ୍ଠିତ ‘ଅଷ୍ଟାଦଶତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ’ର ଉଦ୍‌ଘାଟନୀ ସଂଧ୍ୟାରେ ଆଜି ପରିବେଷିତ ଏହି ନାଟକର ରଚନା ପଞ୍ଚାନନ ଦାସ କରିଥିଲେ। ପ୍ରକାଶ ମହାରଣା ଏହାର ନିର୍ଦ୍ଦେଶନା ନେଇଥିବା ବେଳେ ମାନସ ପରିଡ଼ା ସହ-ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଥିଲେ।

ଆଜିର ସଂଧ୍ୟାର ଅତିଥି ଭାବେ ନାଟ୍ୟବ୍ୟକ୍ତିତ୍ବ ଉପେନ୍ଦ୍ର ନାୟକ, ସଞ୍ଜୟ ପ୍ରହରାଜ, ସମା‌ଜସେବୀ ମାନବେନ୍ଦ୍ର ମିଶ୍ର ଓ ଗୌରୀଶଙ୍କର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ହରେନ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର