ରାଜ୍ୟସ୍ତରୀୟ ଫୁଲ ପ୍ରଦର୍ଶନୀ ଉଦ୍‌ଘାଟିତ: ଫୁଲ ଗହଣରେ କିଛି ସମୟ…

ଭୁବନେଶ୍ବର: ଡାଲିଆ ସାଙ୍ଗକୁ ଜିନିଆ। ତା’ ସାଙ୍ଗକୁ ଗୋଲାପ, ଜାର୍ଭେରା, ମ୍ୟାରିଗୋଲ୍‌ଡ, ସାଲାଭିୟା, ଗ୍ଲାଡିଓଲି, କ୍ୟାଲେଣ୍ଡୁଲା, ଫ୍ଲୋରିବୁନ୍ଦା ପରି ଭଳିକି ଭଳି ଫୁଲର ସମ୍ଭାର। କେଉଁଠି ଫୁଲ କୁଣ୍ଡରେ ଶୋଭା ପାଉଛି ତ ଆଉ ‌କେଉଁଠି ଫୁଲର ତୋରଣ। ଯୁଆଡ଼େ ଚାହିଁଲେ ଖାଲି ଫୁଲ ହିଁ ଫୁଲ। ଏଭଳି ପରିବେଶକୁ ହାତଛଡ଼ା‌ କରିବାକୁ ଚାହୁନାହାନ୍ତି ରାଜଧାନୀବାସୀ। ଫୁଲ ଗହଣରେ ସମୟ କାଟିବା ସହ ସାଙ୍ଗମାନଙ୍କ ସହ ସେଲ୍‌ଫି ନେଇ ସେୟାର କରୁଛନ୍ତି। ଏଭଳି ଏକ ମନୋରମ ପରିବେଶ ଦେଖିବାକୁ ମିଳୁଛି ଏକାମ୍ର କାନନରେ। ରିଜିଓନାଲ୍‌ ପ୍ଲାଣ୍ଟ ରିସୋର୍ସ ସେଣ୍ଟର (ଆରପିଆର୍‌ସି) ଓ ପ୍ଲାଣ୍ଟ ଲଭର୍ସ ଆସୋସିଏସନ୍‌ର ମିଳିତ ସହଯୋଗରେ ଏକାମ୍ର କାନନରେ ଆଜିଠାରୁ ଆରମ୍ଭ ହୋଇଛି ଦୁଇଦିନିଆ ରାଜ୍ୟସ୍ତରୀୟ ବାର୍ଷିକ ଫୁଲ ପ୍ରଦର୍ଶନୀ। ଚଳିତବର୍ଷ ଏଠାରେ ୩୦ରୁ ଅଧିକ ପ୍ରଜାତିର ଫୁଲ ଶୋଭା ପାଉଛି। ୫୦୦ ଅଂଶଗ୍ରହଣକାରୀ ରହିଛନ୍ତି। ଅଳଙ୍କାର ଗଛ ବି ପ୍ରଦର୍ଶିତ ହୋଇଛି। ବିଭିନ୍ନ ବେସରକାରୀ ସ˚ସ୍ଥା, ନର୍ସରି ଓ ଅନୁଷ୍ଠାନ ମଧ୍ୟ ଭାଗ ନେଇଛନ୍ତି। ଏବର୍ଷ ସ୍ବତନ୍ତ୍ର ଭାବେ ‘ବନ୍‌ସଇ’ ସେକ୍ସନ ଖୋଲାଯାଇ ସେଠାରେ ୧୦୦ରୁ ଅଧିକ କ୍ଷୁଦ୍ରାକାର ଗଛ ପ୍ରଦର୍ଶିତ କରାଯାଇଛି। ସେହିପରି ଫୁଲ‌ରେ ରଙ୍ଗୋଲି, ପରିବାରେ କଳାକୃତି, ଫୁଲ ଚାରା, ମଞ୍ଜି, ଚାଷ ପାଇଁ ବ୍ୟବହୃତ ଯନ୍ତ୍ରପାତି ବିକ୍ରି ପାଇଁ ଷ୍ଟଲ୍‌ ପଡ଼ିଛି। ଉଦ୍ୟାନକୃଷି ବିଭାଗ ଓ ଏକାମ୍ରବନ ପକ୍ଷରୁ ସ୍ବତନ୍ତ୍ର ଷ୍ଟଲ ଖୋଲିଛି। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରି କହିଲେ, ଫୁଲ ପ୍ରଦର୍ଶନୀ ଦ୍ବାରା ରାଜଧାନୀବାସୀ ଉପକୃତ ହେଉଛନ୍ତି। ଫୁଲ ବିଷୟରେ ଜାଣିବା ସହ ଘରସଜ୍ଜା ପାଇଁ ଫୁଲ ନେଉଛନ୍ତି। ଆଗାମୀ ଦିନରେ ଏହାକୁ ଅଧିକ ଆକର୍ଷଣୀୟ କରିବା ଦିଗରେ ପଦକ୍ଷେପ ନିଆଯିବ। ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ଅତିରିକ୍ତ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଆରପିଆରସିର ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା ପିସିସିଏଫ ରେବେକା ନାୟର, ପରିବେଶ ନିର୍ଦ୍ଦେଶକ କେ. ମୁରୁଗେସନ୍‌, ପ୍ଲାଣ୍ଟ ଲଭର୍ସ ଆସୋସିଏସନ୍‌ ସଭାପତି କ୍ଷୀରୋଦ ନାୟକ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ। ଏହି ଅବସରରେ ବାର୍ଷିକ ସ୍ମରଣିକା ‘ସବୁଜିମା’, ଆର୍‌ପିଆରସି ଦ୍ବାରା ପ୍ରସ୍ତୁତ ୮ଟି ପୁସ୍ତକ, ବିବରଣିକା ଆଦି ଲୋକାର୍ପିତ ହୋଇଥିଲା।

ବଢ଼ିଲା ଗୋଲାପ ବଗିଚାର ଆକର୍ଷଣ
ଏକାମ୍ରକାନନରେ ଥିବା ଗୋଲାପ ବଗିଚାର ଆକର୍ଷଣକୁ ବୃଦ୍ଧି କରାଯାଇଛି। ଦୀର୍ଘବର୍ଷ ହେଲା ବଗିଚା ଭିତରେ ଅଚଳ ହୋଇ ପଡ଼ିଥିବା ୱାଟର ଫାଉଣ୍ଟେନ୍‌କୁ ପୁଣିଥରେ କାର୍ଯ୍ୟକ୍ଷମ କରାଯାଇଛି। ଭଳିକି ଭଳି ଗୋଲାପ ଫୁଲ ଗଛ ଭିତରେ ଫାଉଣ୍ଟେନ୍‌ ଆଜି ଦେଖଣାହାରୀଙ୍କ ଆକର୍ଷଣ ପାଲଟିଥିଲା। ‌ଯୁବପିଢ଼ି ଗୋଲାପ ଫୁଲ ବଗିଚାରେ ଛିଡ଼ା ହୋଇ ଫାଉଣ୍ଟେନ୍‌ ନିକଟରେ ସେଲ୍‌ଫି ନେଉଥିବା ଦେଖିବାକୁ ମିଳିଥିଲା। ସେପଟେ ଆରପିଆରସି ଭିତରେ ଆଜି ଅତ୍ୟାଧୁନିକ ଟିସୁ କଲଚର ଲାବରୋଟାରିକୁ ମନ୍ତ୍ରୀ ଶ୍ରୀ ରାଉତରାୟ ଉଦ୍‌ଘାଟନ କରିଥିଲେ। ଏହାଦ୍ବାରା କୃଷକମାନେ ଉପକୃତ ହୋଇପାରିବେ। ବାର୍ଷିକ ୫ ଲକ୍ଷ କଦଳୀ ଓ ଅର୍କିଡ୍‌ ଉତ୍ପାଦିତ କରିବାକୁ ଲକ୍ଷ୍ୟ ରଖାଯାଇଛି।

ସମ୍ବନ୍ଧିତ ଖବର