ରାଜ୍ୟସ୍ତରୀୟ ବନ ମହୋତ୍ସବ: ଏବର୍ଷ ରୋପଣ ହେବ ୪୮୮.୧୬ ଲକ୍ଷ ଚାରା

ଗଛ ଲଗାଇବା ଓ ଯତ୍ନ ନେବା ଜୀବନର ବ୍ରତ ହେଉ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଚଳିତ ବର୍ଷ ରାଜ୍ୟରେ ବନୀକରଣ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ୪୮୮.୧୬ ଲକ୍ଷ ଚାରାରୋପଣ କରାଯିବ। ଏଥିସହ ଜନସାଧାରଣ ଏବଂ ଅନୁଷ୍ଠାନଗୁଡ଼ିକୁ ସ୍ବଳ୍ପ ମୂଲ୍ୟରେ ୪୯୦.୩୦ ଲକ୍ଷ ଚାରା ଯେଗାଇ ଦିଆଯିବ। ବରମୁଣ୍ଡା ମହାନଗର ନିଗମ ସରକାରୀ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ବନ ମହୋତ୍ସବ କାର୍ଯ୍ୟକ୍ରମରେ ଆଜି ଏହି ସୂଚନା ଦିଆଯାଇଛି। ମୁଖ୍ୟ ଅତିଥି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ‌ରେ ଯୋଗଦେଇ କହିଲେ, ଗଛ ଲଗାଇବା ଓ ତା’ର ଯତ୍ନ ନେବା ସମସ୍ତଙ୍କ ଜୀବନର ବ୍ରତ ହେବା ଆବଶ୍ୟକ। ଜଳବାୟୁ ପରିବର୍ତ୍ତନର କୁ-ପ୍ରଭାବ ଦୂର ପାଇଁ ଗଛ ହିଁ ଶକ୍ତିଶାଳୀ ଅସ୍ତ୍ର। ଏଥିରେ ବନ ସୁରକ୍ଷା ସମିତିର ଭୂମିକା ଗୁରୁତ୍ବପୂର୍ଣ୍ଣ। ୨୦୧୯ରୁ ୨୦୨୦ ମଧ୍ୟରେ ଓଡ଼ିଶାରେ ୫୩୭ ବର୍ଗ କିଲୋମିଟର ଜଙ୍ଗଲ ବୃଦ୍ଧି ପାଇଛି। ଚଳିତବର୍ଷ ବନୀକରଣ, ଜଙ୍ଗଲ ସୁରକ୍ଷା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସୁନ୍ଦରଗଡ଼ର ଝୁରିମଲ ବନସଂରକ୍ଷଣ ସମିତିକୁ ରାଜ୍ୟର ସର୍ବଶ୍ରେଷ୍ଠ ବନସୁରକ୍ଷା ସମିତି ଭାବରେ ସମ୍ମାନିତ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

କାର୍ଯ୍ୟକ୍ରମରେ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ ଅମାତ, ସାମାଜିକ ସୁରକ୍ଷା, ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ପଣ୍ଡା, ଜଙ୍ଗଲ, ପରିବେଶ, ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର୍‌ ସୁଲୋଚନା ଦାସ ପ୍ରମୁଖ ପ୍ରମୁଖ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମରେ ରାଜ୍ୟର ପ୍ରଧାନ ମୁଖ୍ୟ ବନସଂରକ୍ଷକ ଦେବୀଦତ୍ତ ବିଶ୍ବାଳ ସ୍ବାଗତ ଭାଷଣ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିମା ନନ୍ଦ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ପୂର୍ବ ଆୟୋଜିତ ବକ୍ତୃତା, ଚିତ୍ରାଙ୍କନ, ପ୍ରବନ୍ଧ ଲିଖନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ପରେ ସ୍ମରଣିକା ଉନ୍ମୋଚିତ ହୋଇଥିଲା।

ସୂଚନା ଅନୁଯାୟୀ, ପ୍ରତିବର୍ଷ ଭଳି ଚଳିତ ବର୍ଷ ଜୁଲାଇ ପ୍ରଥମ ସପ୍ତାହରେ ବନ ମହୋତ୍ସବ ସପ୍ତାହ ପାଳନ କରାଯାଇଥିଲା। ବର୍ଷା ଋତୁରେ ପ୍ରାକୃତିକ ଜଙ୍ଗଲର ପୁନର୍ଜନନ, କୃତ୍ରିମ ଜଙ୍ଗଲ, ସହରାଞ୍ଚଳ ବନୀକରଣ, ପଥପାର୍ଶ୍ବ ବନୀକରଣ ମାଧ୍ୟମରେ ବୃକ୍ଷରୋପଣ ପାଇଁ ମାର୍ଗଦର୍ଶିକା ପ୍ରସ୍ତୁତ ହୋଇଛି। ଉଦ୍ଭିଦ ଜଗତରେ ଔଷଧୀୟ ଗଛର ମୂଲ୍ୟ ଅଧିକ। ତେଣୁ ଜଙ୍ଗଲ ଜାତୀୟ ଉଦ୍ଭିଦ ସହିତ ଔଷଧୀୟ ବୃକ୍ଷର ଚାହିଦା ପୂରଣ ପାଇଁ ରାଜ୍ୟ ସରକାର ପ୍ରୋତ୍ସାହନ ଦେଉଛନ୍ତି।

ସମ୍ବନ୍ଧିତ ଖବର