ଅଭିମନ୍ୟୁ ବଧ ଓ ଶାମ୍ବ ବିବାହ ମଞ୍ଚସ୍ଥ

ରାଜ୍ୟସ୍ତରୀୟ ଗୀତିନାଟ୍ୟ ଉତ୍ସବର ଦ୍ବିତୀୟ ଦିବସ

ଭୁବନେଶ୍ବର: ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଂଗୀତ ନାଟକ ଏକାଡେମି ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଚାଲୁଥିବା ରାଜ୍ୟସ୍ତରୀୟ ଗୀତିନାଟ୍ୟ ଉତ୍ସବର ଆଜି ଥିଲା ଦ୍ବିତୀୟ ସଂଧ୍ୟା। ଆଜି ଅଭିମନ୍ୟୁ ବଧ ଓ ଶାମ୍ବ ବିବାହ ଅନୁଷ୍ଠିତ ହୋଇଥିଲା।ମହାଭାରତ ଯୁଦ୍ଧରେ ଚକ୍ରବ୍ୟୂହ ରଚନା କରିଛନ୍ତି କୌରବ ସେନାଧ୍ୟକ୍ଷ ଗୁରୁ ଦ୍ରୋଣ। ଅର୍ଜୁନଙ୍କ ଅନୁପସ୍ଥିତିରେ ଚକ୍ରବ୍ୟୂହ ଭେଦ କରିବାର କ୍ଷମତା ରଖିଥିଲେ ଅଭିମନ୍ୟୁ। କିନ୍ତୁ ଚକ୍ରବ୍ୟୂହରୁ ଫେରି ଆସିବାର ବିଦ୍ୟା ତାଙ୍କୁ ଜଣାନଥିଲା। ସପ୍ତରଥୀଙ୍କ ଆକ୍ରମଣରେ ନିହତ ହେବା ପୂର୍ବରୁ ଅଭିମନ୍ୟୁ ନିଜ ବୀରତ୍ବର ପରକାଷ୍ଠା ଦେଖାଇ ପୁରାଣର ଏକ ମହାନ ଚରିତ୍ର ଭାବେ ଏବେ ବି ଚର୍ଚିତ। ଏହି ପ୍ରସଙ୍ଗରେ ଆଜି ମାହାଙ୍ଗର କୋଠପଦାସ୍ଥିତ ଗଣକବି ବୈଷ୍ଣବ ପାଣି କ୍ଲବ୍ ପକ୍ଷରୁ ପରିବେଷିତ ହୋଇଥିଲା ‘ଅଭିମନ୍ୟୁ ବଧ’। ରମେଶ ଚନ୍ଦ୍ର ମହାନ୍ତି ଓ କିଶୋର ଚନ୍ଦ୍ର ଦାଶଙ୍କ ରଚନା ଓ ସୁଶାନ୍ତ କୁମାର ନନ୍ଦ ଏହାର ପରିଚାଳନା କରିଥିଲେ। ସେହିପରି ହସ୍ତିନା ନରେଶ ଦୁ‌େର୍ଯ୍ୟାଧନଙ୍କ ଏକମାତ୍ର ଅଲିଅଳ କନ୍ୟା ଚନ୍ଦ୍ରାବତୀର ବିବାହ ପାଇଁ ସ୍ବୟଂବର ସଭାର ଆୟୋଜନ କରାଯାଏ। ମାତ୍ର ନାରଦ ଏହି ସଭାରେ ପ୍ରବେଶ କରି ସ୍ବୟଂବରକୁ ବାରଣ କରିବା ସହ ଶ୍ରୀକୃଷ୍ଣଙ୍କ ପୁଅ ଶାମ୍ବଙ୍କ ସହିତ ବିବାହ କରିବାକୁ ପ୍ରସ୍ତାବ ଦିଅନ୍ତି। ଏଥିରେ ଦୁ‌େର୍ଯ୍ୟାଧନ ରାଗିଯିବା ସହ ଶ୍ରୀକଷ୍ଣଙ୍କୁ ଭର୍ତ୍ସନା କରନ୍ତି। ନାରଦ ନିଜ ଜିଦ୍‌ରେ ଅଟଳ ରହିବା ସହ ଚନ୍ଦ୍ରାବତୀ-ଶାମ୍ବଙ୍କ ବିବାହ ପାଇଁ ଯୋଗସୂତ୍ର ତିଆରି କରନ୍ତି। କଟକର ଅରିଲୋସ୍ଥିତ ପଲ୍ଲୀମଙ୍ଗଳ ସାଂସ୍କୃତିକ ସଂସଦ ପକ୍ଷରୁ ଆଜି ମଞ୍ଚସ୍ଥ ହୋଇଥିବା ‘ଶାମ୍ବ ବିବାହ’ର ନିର୍ଦେଶନା ଭଜକୃଷ୍ଣ ମହାନ୍ତି ଦେଇଥିବା ବେଳେ ସଂଗୀତ ନିର୍ଦେଶନା ଦେଇଥିଲେ ଚକ୍ରଧର ତ୍ରିପାଠୀ। ଆଜିର ସଂଧ୍ୟାରେ ଅତିଥି ଭାବେ ପୂର୍ବତନ ଡିଜି ବିପିନ ବିହାରୀ ମିଶ୍ର, ବଟକୃଷ୍ଣ ତ୍ରିପାଠୀ, ଓଡ଼ିଶା ସଂଗୀତ ନାଟକ ଏକାଡେମିର ପୂର୍ବତନ ସଚିବ ପ୍ରଦୀପ ମିଶ୍ର, ଲାଲା ବିରେନ୍ ରାୟ, ଲକ୍ଷ୍ମୀକାନ୍ତ ପାଲିତ ଓ ସଂଗୀତ ନାଟକ ଏକାଡେମିର ସଚିବ ବିଜୟ ଜେନା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର