ରାଜ୍ୟସ୍ତରୀୟ ଗୀତିନାଟ୍ୟ ଉତ୍ସବ ଉଦ୍‌ଯାପିତ

ଭୁବନେଶ୍ୱର : କ୍ଷମତାର ଲାଳସା, ସିଂହାସନର ଆକର୍ଷଣ ମଣିଷକୁ ଅନ୍ଧ କରିଦିଏ। ଏପରିକି ଏହା ଭାଇ ଭାଇ ମଧ୍ୟରେ କଳହର ସୂତ୍ରପାତ କରେ। ଏଭଳି ଏକ କଳହର ନଗ୍ନ ରୂପ ମହାଭାରତରେ ମଧ୍ୟ ଲିପିବଦ୍ଧ। ମହାଭାରତ ଯୁଦ୍ଧର ଏଭଳି ଏକ କଥାବସ୍ତୁକୁ ନେଇ ଆଜି ମଞ୍ଚସ୍ଥ ହୋଇଥିଲା ଗୀତିନାଟ୍ୟ ‘କର୍ଣ୍ଣ ବଧ’। ମାହାଙ୍ଗାସ୍ଥିତ ଗଣକବି ବୈଷ୍ଣବ ପାଣି କ୍ଲବ୍‌ ପକ୍ଷରୁ ପରିବେଷିତ ଏହି ଗୀତିନାଟ୍ୟର ନିର୍ଦ୍ଦେଶନା ଦେଇଥିଲେ ଭଜକୃଷ୍ଣ ମହାନ୍ତି। ଏହା ପରେ ପରେ ‘ଲୋଭ ଯେ ମୃତ୍ୟୁର କାରଣ ହୁଏ’ ଏଭଳି କଥାବସ୍ତୁକୁ ନେଇ ମଞ୍ଚକୁ ଆସିଥିଲା ଗୀତିନାଟ୍ୟ ’କାର୍ତ୍ତବୀର୍ଯ୍ୟ ସଂହାର’। ଏଥିରେ ପିତୃହତ୍ୟାର ପ୍ରତିଶୋଧ ନେବା ପାଇଁ ପର୍ଶୁରାମଙ୍କ ରାଜା କାର୍ତ୍ତବୀର୍ଯ୍ୟ ହତ୍ୟାର କଥା ଦର୍ଶାଯାଇଥିଲା। କଟକ ସଂସ୍କୃତି ବିହାର ଦ୍ୱାରା ପରିବେଷିତ ଏହି ଗୀତିନାଟ୍ୟର ନିର୍ଦ୍ଦେଶନା ନାରାୟଣ ସିଂହ ଦେଇଥିଲେ।

ଗଣକବି ବୈଷ୍ଣବ ପାଣିଙ୍କ ଜୟନ୍ତୀ ଅବସରରେ ରାଜ୍ୟ ସଂସ୍କୃତି ବିଭାଗ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ପକ୍ଷରୁ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ‘ରାଜ୍ୟସ୍ତରୀୟ ଗୀତିନାଟ୍ୟ ଉତ୍ସବ’ର ଆଜି ଥିଲା ଶେଷ ସଂଧ୍ୟା। ସଂସ୍କୃତି ସଚିବ ମନୋରଞ୍ଜନ ପାଣିଗ୍ରାହୀ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ସଂସ୍କୃତିବିତ୍‌ ଶାରଦା ପ୍ରସନ୍ନ ନାୟକ, ନାଟ୍ୟକାର ଶୈଳେଶ୍ୱର ନନ୍ଦ ଓ ସଙ୍ଗୀତ ନାଟକ ଏକାଡେମିର ସଚିବ ପ୍ରଦୀପ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ମୃତ୍ୟୁଞ୍ଜୟ ରଥ ମଞ୍ଚ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର