ରାଜ୍ୟସ୍ତରୀୟ ବିଶ୍ୱ ମହିଳା ଦିବସ ପାଳିତ : ‘ମହିଳା ସଶକ୍ତୀକରଣ ତୃଣମୂଳସ୍ତରରେ ପହଞ୍ଚିଛି’

ଭୁବନେଶ୍ୱର : ଜନନାୟକ ବିଜୁ ବାବୁ ମହିଳା ସଶକ୍ତୀକରଣର ଯେଉଁ ଯୁଗ ଆରମ୍ଭ କରିଥିଲେ, ତାହା ଏବେ ସଫଳ ରୂପ ନେଲାଣି। ରାଜ୍ୟରେ ମହିଳା ସଶକ୍ତୀକରଣ ତୃଣମୂଳସ୍ତରରେ ପହଞ୍ଚିପାରିଛି। ପଞ୍ଚାୟତିରାଜ ସଂସ୍ଥାଗୁଡ଼ିକରେ ଦାୟିତ୍ୱ ନେଇଥିବା ମହିଳାମାନେ ଗାଁର ବିକାଶ ପ୍ରତି ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ। ବିକାଶ ପ୍ରକ୍ରିୟାରେ ସେମାନଙ୍କ ନେତୃତ୍ୱ ଓ ଦକ୍ଷତା ସ୍ପଷ୍ଟ ପ୍ରତିଫଳିତ। ଆଜି ବିଶ୍ୱ ମହିଳା ଦିବସ ଅବସରରେ ରାଜ୍ୟ ମହିଳା, ଶିଶୁ ବିକାଶ ଓ ମିସନ୍‌ ଶକ୍ତି ବିଭାଗ ପକ୍ଷରୁ ଜୟଦେବ ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି।

ମହିଳା ସଶକ୍ତୀକରଣରେ ଓଡ଼ିଶା ଆଗୁଆ ରାଜ୍ୟ ଭାବେ ସୁନାମ ଅର୍ଜନ କରିଛି। ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକରେ ମହିଳାମାନଙ୍କୁ ଦାୟିତ୍ୱ, ମିସନ୍‌ ଶକ୍ତି ଓ ମମତା ପରି କାର୍ଯ୍ୟକ୍ରମ ଜରିଆରେ ମହିଳାମାନଙ୍କ ରାଜନୈତିକ, ସାମାଜିକ ଓ ଅର୍ଥର୍ନୈତିକ ସଶକ୍ତୀକରଣ କରାଯାଇପାରିଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ବର୍ତ୍ତମାନ ଓଡ଼ିଶାରେ ୬୦ ପ୍ରତିଶତ ମହିଳାଙ୍କ ପାଖରେ ଜମି ଓ ଘର ଭଳି ସ୍ଥାବର ସଂପତ୍ତିର ମାଲିକାନା ରହିଛି। ୫୫%ରୁ ଅଧିକ ମହିଳାଙ୍କ ପାଖରେ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ରହିଛି। ଏଥିରୁ ସେମାନଙ୍କ ସାମାଜିକ ଓ ଅର୍ଥନୈତିକ ଉନ୍ନତି ସ୍ପଷ୍ଟ ଅନୁମେୟ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା ଲୋପାମୁଦ୍ରା ବକ୍ସିପାତ୍ର, ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା କସ୍ତୁରୀ ମହାପାତ୍ର, ସମାଜ ମଙ୍ଗଳ ବୋର୍ଡ ଅଧ୍ୟକ୍ଷା ଲତିକା ପ୍ରଧାନ, ଭିନ୍ନକ୍ଷମ ଆୟୁକ୍ତ ମିନତି ବେହେରା, ମହିଳା ସମବାୟ ବିକାଶ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ମହିଳା ଓ ଶିଶୁ ବିକାଶ ଶାସନ ସଚିବ ଚିତ୍ରା ଅରୁମୁଗମ୍‌ ଓ ମିସନ୍‌ ଶକ୍ତି ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ ପ୍ରମୁଖ ଯୋଗ ଦେଇଥିଲେ।

ଏହି ଅବସରରେ ଆଇସିଡିଏସ୍‌ କାର୍ଯ୍ୟକ୍ରମରେ ଉତ୍ତମ ସେବା ପ୍ରଦାନ କରିଥିବା ୧୦ଜଣ ଅଙ୍ଗନଓ୍ଵାଡ଼ି କର୍ମୀଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଧିତ କରିଥିଲେ। ପୁରସ୍କାର ବାବଦକୁ ସେମାନଙ୍କୁ ମାନପତ୍ର ଓ ନଗଦ ୧୫ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥିଲା। ଏହାସହ ଆଇସିଡିଏସ୍‌ କାର୍ଯ୍ୟକ୍ରମକୁ ସଫଳତାର ସହ କାର୍ଯ୍ୟକାରୀ କରିଥିବା ଗଞ୍ଜାମ, ଅନୁଗୁଳ ଓ ଝାରସୁଗୁଡ଼ା ଜିଲ୍ଲାକୁ ନଗଦ ୨୫ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ପୁଣି ଶିଶୁମାନଙ୍କୁ ଉତ୍ତମ ସେବା ଓ ଯତ୍ନ ଯୋଗାଉଥିବା ରାଜ୍ୟର ତିନିଟି ଶିଶୁ ପ୍ରଯତ୍ନ ଅନୁଷ୍ଠାନ ଯଥା କେନ୍ଦ୍ରାପଡ଼ାର ଲୁଥେରେନ୍‌ ମହିଳା ସମିତି, ପଲ୍ଲୀଶ୍ରୀ ମହିଳା ସମିତି ଓ ଖୋର୍ଧାର ଏସ୍‌.ଓ.ଏସ୍‌ ଚିଲ୍‌ଡ୍ରେନ୍‌ସ୍‌ ଭିଲେଜ ଆଦିକୁ ୨୫ହଜାର ଟଙ୍କା ପ୍ରତ୍ସୋହନ ରାଶି ପ୍ରଦାନ କରାଯାଇଥିଲା। ପୁଣି ମୟୂରଭଞ୍ଜର ଜନନୀ କାର୍ଯ୍ୟକ୍ଷମ ଗ୍ରୁପ୍‌ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, କେନ୍ଦୁଝରର ସୂତାର ମହିଳା ପେପର ମ୍ୟାଚିଂ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଓ ମା’ ତାରିଣୀ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଆଦିକୁ ୫୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ସ୍ୱରୂପ ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର