ଓଡ଼ିଆ ଜାତିକୁ ବାନ୍ଧି ରଖିଛି ଭାଗବତ 

ଜଗନ୍ନାଥ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ

ଭୁବନେଶ୍ୱର : ଓଡ଼ିଆ ଜାତିକୁ ଭାଗବତ ବାନ୍ଧି ରଖିଛି। ଆମ ଧମନୀରେ ଭାଗବତ ବାଣୀ ରକ୍ତ ଭଳି ପ୍ରବାହିତ ହେଉଛି। ତେଣୁ ଆମ ଉତ୍ତର ପିଢ଼ି ନିକଟରେ ଏହି ବାଣୀକୁ ଲୋକପ୍ରିୟ ତଥା ଆଦୃତ କରିବା ପାଇଁ ଡିଜିଟାଲ ମାଧ୍ୟମକୁ ଗ୍ରହଣ କରିବାରେ କିଛି ଅସୁବିଧା ନାହିଁ ବୋଲି କହିଛନ୍ତି ବ୍ରହ୍ମଗିରି ବିଧାୟକ ସଂଜୟ ଦାସବର୍ମା। ଓଡ଼ିଶା ସାହିତ୍ୟ ଏକାଡେମି ପକ୍ଷରୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମିଳିତ ସହଯୋଗରେ ଆୟୋଜିତ ଅତିବଡ଼ୀ ଜଗନ୍ନାଥ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ଦାସବର୍ମା ଏହା କହିଛନ୍ତି।

ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ କହିଲେ, ଓଡ଼ିଆ ଭାଷା, ସଂସ୍କୃତି ଓ ଅସ୍ମିତାକୁ ଓଡ଼ିଶାରେ ୨ ଜଗନ୍ନାଥ ବଞ୍ଚାଇ ରଖିଛନ୍ତି। ଜଣେ ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଅନ୍ୟ ଜଣକ ହେଉଛନ୍ତି ଅତିବଡ଼ୀ ଜଗନ୍ନାଥ ଦାସ। ଆଜି ବି ପ୍ରତିଟି ଗାଁରେ  ସଂଧ୍ୟାରେ ଭାଗବତ ଗାଦିରୁ ଭାସି ଆସେ ତାଙ୍କ ରଚିତ ଭାଗବତର ଧ୍ୱନି। ସେ ହେଉଛନ୍ତିି ଓଡ଼ିଶାର ଜଣେ ଶ୍ରେଷ୍ଠ ସାଂସ୍କୃତିକ ଆଇକନ୍‌। ଓଡ଼ିଶାର ଏହି ସଂସ୍କୃତିକୁ ବଜାୟ ରଖିବା ପାଇଁ ରାଜ୍ୟ ସଂସ୍କୃତି ବିଭାଗରୁ ପ୍ରୟାସ ଆରମ୍ଭ ହେଉଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ୩୬୦୦ଟି ଭାଗବତ ଟୁଙ୍ଗୀ ପୁନରୁଦ୍ଧାର କରାଯାଇଥିବା ବେଳେ ୯ କୋଟି ଟଙ୍କା ବ୍ୟୟ ହୋଇଛି। ୭୨୦୦ଟି ଭାଗବତ ଟୁଙ୍ଗୀ ପୁନରୁଦ୍ଧାର କରାଯିବା ସହ ୧୮ କୋଟି ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ ହୋଇଛି ବୋଲି ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ଓଡ଼ିଆ ସାହିତ୍ୟ ଏକାଡେମିର ସଭାପତି ହରିହର ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହରେ ବରିଷ୍ଠ ସାହିତ୍ୟିକ ରାଜକିଶୋର ମିଶ୍ର ମୁଖ୍ୟବକ୍ତା ଭାବେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ବିଜୟ କୁମାର ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏକାଡେମି ସଚିବ ଜୟନ୍ତୀ ରଥ ସ୍ୱାଗତ ଭାଷଣ ଦେଇଥିଲେ ଓ କାର୍ଯ୍ୟକାରୀ ପରିଷଦ ସଦସ୍ୟ ଭାଗୀରଥି ମହାସୁଆର ଧନ୍ୟବାଦ ଜଣାଇଥିଲେ। ଆଜି ପୂର୍ବାହ୍ଣରେ ଅତିବଡ଼ୀଙ୍କ ଜନ୍ମପୀଠ କପିଳେଶ୍ୱରପୁରରେ ତାଙ୍କର ଏକ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି। ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ପ୍ରତିମୂର୍ତି ନିର୍ମାଣ ପାଇଁ ୬ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି।

ସମ୍ବନ୍ଧିତ ଖବର