ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ: ଦିଲ୍ଲୀପ ଜଣେ ଦକ୍ଷ ରାଜ‌ନୀତିଜ୍ଞ, ପ୍ରଭାବଶାଳୀ ଶିଳ୍ପୋଦ୍ୟୋଗୀ

ଭୁବନେଶ୍ବର: ଦିଲ୍ଲୀପ ରାୟ ଜଣେ ଦକ୍ଷ ରାଜ‌ନୀତିଜ୍ଞ ଓ ପ୍ରଭାବଶାଳୀ ଶିଳ୍ପୋଦ୍ୟୋଗୀ। ଓଡ଼ିଶାକୁ ଅନ୍ତର୍ଜାତୀୟ ସ୍ତରରେ ପରିଚୟ ଦେବାରେ ଦିଲ୍ଲୀପ ରାୟଙ୍କ ଭୂମିକା ଅତୁଳନୀୟ। ହୋଟେଲ ମେ’ ଫେୟାର ମାଧ୍ୟମରେ ସେ କେବଳ ନିଯୁକ୍ତି ସୁବିଧା ଦେଇନାହାନ୍ତି, ଓଡ଼ିଶାର ବିକାଶ ଧାରାରେ ନିଜକୁ ସାମିଲ କରାଇପା‌ରିଛନ୍ତି। ଆଜି ମେ’ ଫେୟାରର ପ୍ରତିଷ୍ଠାତା ତଥା ବିଶିଷ୍ଟ ଶିଳ୍ପପତି ଦିଲ୍ଲୀପ ରାୟଙ୍କ ଜନ୍ମ ଦିବସ ଅବସରରେ ‘ରାଜ୍ୟସ୍ତରୀୟ ଦିଲ୍ଲୀପ ରାୟ ଜୟନ୍ତୀ କମିଟି’ ପକ୍ଷରୁ ଅନୁଷ୍ଠିତ ଜୟନ୍ତୀ ସମାରୋହରେ ଉପସ୍ଥିତ ଅତିଥିମାନେ ଏହା କହିଛନ୍ତି।

କମିଟିର ସଦସ୍ୟ ସମରେନ୍ଦ୍ର ସାହୁଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୂର୍ବତନ ସାଂସଦ ପ୍ରସନ୍ନ ପଟ୍ଟଶାଣୀ କହିଲେ, ମଣିଷ ପାଖରେ କ୍ଷମତା ଥିଲେ ସମସ୍ତେ ଭଲ ପାଆନ୍ତି। କିନ୍ତୁ କ୍ଷମତା ହାତରୁ ଗଲା ପରେ, କେତେ ଜଣ ତୁମକୁ ଭଲ ପାଆନ୍ତି ଓ ପାଖରେ ରୁହନ୍ତି; ତାହା ହିଁ ତୁମ ନେତୃତ୍ବର ସାକ୍ଷୀ ହୁଏ।

ଆଜିର ସମୟରେ ଏହି ନେତୃତ୍ବର ଘୋର ଅଭାବ ରହିଛି। ଅହଂକାରର ବଶବର୍ତ୍ତୀ ହୋଇ ଆମ ରାଜନେତାମାନେ ଦେଶରେ ଯେଉଁ ନକାରାତ୍ମକ ପରିବେଶ ସୃଷ୍ଟି କରୁଛନ୍ତି ତାହା କଦାପି ଗ୍ରହଣୀୟ ନୁହେଁ ବୋଲି ଶ୍ରୀ ପାଟ୍ଟଶାଣୀ କହିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଧାୟକ ସୁରେଶ ରାଉତରାୟ କହିଲେ, ଓଡ଼ିଶାରେ ଶିଳ୍ପ ବିକାଶର ନେତୃତ୍ବ ଦିଲ୍ଲୀପ ରାୟ ନେଇଛନ୍ତି। ସଫଳତାର ଭିନ୍ନ ଏକ ସୀମା ନିର୍ଦ୍ଧାରଣ କରିଥିବା ଶ୍ରୀ ରାୟ ଜଣେ ମିଷ୍ଟ ଭାଷୀ ଓ ଏକ ନିଆରା ବ୍ୟକ୍ତିତ୍ବର ଅଧିକାରୀ ବୋଲି ସେ କହିଥିଲେ।

ଏହି ଅବସରରେ ‘ଦିଲ୍ଲୀପ ରାୟ-ଆଇକନ୍‌ ଅଫ୍‌ ସାଇଲେଣ୍ଟ୍‌ ସକ୍‌ସେସ୍‌’ ଶୀର୍ଷକ ବିଷୟ ଉପରେ ଆଲୋଚନା କରି ଶିକ୍ଷାବିତ୍‌ ତଥା ‘କ୍ବିନ୍‌ ମେରି ଲଣ୍ଡନ ବିଶ୍ବବିଦ୍ୟାଳୟ’ର ଆସୋସିଏଟ୍‌ ପ୍ରଫେସର ତସ୍‌ନୀମ୍‌ ତବସୁମ୍‌ କହିଥିଲେ, ମେ’ ଫେୟାର ଭଳି ହୋଟେଲ ଶୃଙ୍ଖଳ ଜରିଆରେ ଦିଲ୍ଲୀପ ରାୟ କେବଳ ନିଜର ନୁହେଁ ସାରା ଓଡ଼ିଶାର ବିକାଶ କରିପାରିଛନ୍ତି। ଏହାଦ୍ବାରା ସେ ନିଯୁକ୍ତି ସୁବିଧା ସୃଷ୍ଟି କରିବା ସହ ଓଡ଼ିଶାକୁ ଏକ ଅତ୍ୟାଧୁନିକ ଜୀବନଶୈଳୀ ଯୋଗାଇପାରିଛନ୍ତି। ଆଧୁନିକତା ଭିତରେ ସେ ନିଜ ମାଟି କଥା କେବେ ଭୁଲିନାହାନ୍ତି।

ମେ ଫେୟାର ହୋଟେଲ ପରିସରକୁ ପ୍ରାକୃତିକ ପରିବେଶ, ଓଡ଼ିଶାର କଳାକୃତି, ଆର୍କିଟେକ୍‌, ପୋଟ୍ରେଟ୍‌ ଆଦି ସହ ରାଜ୍ୟ ତଥା ଦେଶର କଳା, ସଂସ୍କୃତି, ଇତିହାସ ଓ ଐତିହ୍ୟର ବାହକ ଭାବେ ସଜ୍ଜିତ କରାଯାଇଛି। ଫଳରେ ବାହାରୁ ଆସୁଥିବା ପର୍ଯ୍ୟଟକମାନେ ହୋଟେଲ ପରିସରରୁ ହିଁ ଓଡ଼ିଶା ଓ ଭାରତର ବିବିଧତା ଓ ନିଖୁଣତା ସମ୍ପର୍କରେ ଜାଣିପାରୁଛନ୍ତି। ଏଥିସହ ଜଣେ ଦକ୍ଷ ରାଜନେତା ଭାବେ ସେ ସବୁବେଳେ ନିଜ ନିର୍ବାଚନମଣ୍ଡଳୀ କଥା ଚିନ୍ତା କରନ୍ତି ଓ ସେଠାର ବିକାଶ ଦିଗରେ କାମ କରିଆସିଛନ୍ତି।

ଏଭଳି ଜଣେ ସଫଳ ବ୍ୟକ୍ତିତ୍ବ ନିଜର ଆତ୍ମପ୍ରଚାର କରନ୍ତି ନାହିଁ, ବରଂ ଇତିହାସ ତାଙ୍କୁ ନିରବ ସଫଳତାର ଆଦର୍ଶ ଭାବେ ମନେ ରଖେ ବୋଲି ଡ. ତବସୁମ୍‌ କହିଛନ୍ତି। ଆଜିର କାର୍ଯ୍ୟକ୍ରମରେ ଦିଲ୍ଲୀପ ରାୟଙ୍କ ରାଜନୈତିକ ସଚିବ ଦୁର୍ଗାପ୍ରସାଦ ମହାନ୍ତି ଅନ୍ୟତମ ଅତିଥି ଭାବେ ଉପସ୍ଥିତ ଥିଲେ। କମିଟିର ସଭାପତି ସୁଶୀଲ ରାୟ ଏଥିରେ ଉପସ୍ଥିତ ଥିଲେ।

ପାଟ୍ଟଶାଣୀଙ୍କ କ୍ଷୋଭ, ସୁରଙ୍କ କଟାକ୍ଷ

ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ତାଙ୍କର ଲୋକସଭା ଟିକେଟ୍‌ କଟିବା ଓ ରାଜ୍ୟସଭା ଟିକେଟ୍‌ ନ ମିଳିବାର ଦୁଃଖକୁ ଭୁଲିପାରୁ ନାହାନ୍ତି। ଆଜି ପୁଣି ଥରେ ବିଜେଡି ନେତୃତ୍ବ ଉପରେ ନିଜ କ୍ଷୋଭ ପ୍ରକାଶ କରିଛନ୍ତି ପାଟ୍ଟଶାଣୀ। ଭାଷଣ ପ୍ରସଙ୍ଗରେ ସେ କହିଥିଲେ ଯେ ଦିନେ ନବୀନ ପଟ୍ଟନାୟକଙ୍କ ସହ ଦିଲ୍ଲୀପ ରାୟ ଓ ‌ସେ ମିଶି ଏହି ବିଜେଡି ଗଢ଼ିଥିଲେ। ସମସ୍ତଙ୍କ ତ୍ୟାଗ, ବଳିଦାନ ଓ ସଂଘର୍ଷରେ ଆଜି ଯେତେବେଳେ ଦଳ କ୍ଷମତାସୀନ ହୋଇଛି, ସେତେବେଳେ ଆମକୁ ସାଇଡ୍‌ କରିଦିଆଯାଇଛି। ମହାପ୍ରଭୁ ଜଗନ୍ନାଥ ସବୁ ଦେଖୁଛନ୍ତି। ଏହାର ଉଚିତ ଜବାବ ଦିନେ ତାଙ୍କୁ ମିଳିବ ବୋଲି କହିଥିଲେ ଶ୍ରୀ ପାଟ୍ଟଶାଣୀ।

ପାଟ୍ଟଶାଣୀ ସିଧାସଳଖ ରାଜ୍ୟସଭା ଟିକେଟ୍‌ କଥା କହି ନ ଥିଲେ ବି ତାଙ୍କ ଅସନ୍ତୋଷ ଯେ ସେଇଥି ପାଇଁ, ତାହା ବୁଝିବାକୁ କାହାରିକୁ ବାକି ନ ଥିଲା। ପାଟ୍ଟଶାଣୀଙ୍କ ପରେ କହିବା ପାଇଁ ପାଳି ପଡ଼ିଥିଲା ବିଧାୟକ ସୁରେଶ ରାଉତରାୟଙ୍କର। ନିଜର ସ୍ବଭାବ ସୁଲଭ ଢଙ୍ଗରେ ସିଧାସଳଖ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଉଦ୍ଦେଶ୍ୟରେ କହିଥିଲେ ଯେ ପାଟ୍ଟଶାଣୀଙ୍କୁ ରାଜ୍ୟସଭା ଟିକେଟ୍‌ଟିଏ ଦେଇଦିଅ। ସେ ସଂସଦକୁ ଯାଆନ୍ତୁ। ସେଠାକୁ ଯାଇଥିବା ସାଂସଦମାନେ ତ କିଛି କହିପାରୁ ନାହାନ୍ତି। ପାଟ୍ଟଶାଣୀ ଜଣେ ଜ୍ଞାନୀଗୁଣୀ ଲୋକ, ସଂସଦରେ ସେ କିଛି କହିପାରିବେ।

ସମ୍ବନ୍ଧିତ ଖବର