ରାଜ୍ୟସ୍ତରୀୟ ଖଦି ଓ ଗ୍ରାମୋଦ୍ୟୋଗ ପ୍ରଦର୍ଶନୀ : ଖଦିକୁ ଅନୁସରଣ କଲେ ମହାତ୍ମାଙ୍କୁ ପାଇବା

ଭୁବନେଶ୍ବର : ମହାତ୍ମା ଗାନ୍ଧୀଙ୍କୁ ପୂରା‌ପୂରି ଅନୁସରଣ କରିବା କଠିନ। କିନ୍ତୁ ଯଦି ଆମେ ଖଦିକୁ ଅନୁସରଣ କରିବା, ଆମ ଭିତରେ ମହାତ୍ମାଙ୍କୁ ପାଇ ପାରିବା। ଆମେ ଏବେ ଯେଉଁ ‘ଭ୍ୟାଲୁ ଆଡିସନ୍‌’ କଥା କହୁଛେ, ସେତେବେଳେ ଗାନ୍ଧୀ ତାହା ଚିନ୍ତା କରୁଥିଲେ। ତାହା ହେଲା ଖଦି ତିଆରି ପୋଷାକ। ଖଦି ସୂତା ବହୁତ ଦୁର୍ବଳ ହୋଇଥିଲେ ବି ଖଦିର ବିଚାରଧାରା ଅତ୍ୟନ୍ତ ଶକ୍ତିଶାଳୀ। ପୂରା ଦେଶକୁ ଏହି ସୂତା ବାନ୍ଧି ରଖିଛି। ତେଣୁ ଖଦି ଏକ ବସ୍ତ୍ର ନୁହେଁ, ଏକ ବିଚାର। ରାଜ୍ୟ ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ କାର୍ଯ୍ୟାଳୟ ପରିସରରେ ଆଜିଠାରୁ ଆରମ୍ଭ ହୋଇଥିବା ରାଜ୍ୟସ୍ତରୀୟ ଖଦି ଓ ଗ୍ରାମୋଦ୍ୟୋଗ ପ୍ରଦର୍ଶନୀ‌ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶକ୍ତି, ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର ଆଜି ଏହା କହିଛନ୍ତି।

ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ ଯେ ରାଜ୍ୟ ସରକାର ଖଦିକୁ ବଞ୍ଚାଇ ରଖିବା ଏବଂ ବୁଣାକାରମାନଙ୍କୁ ଉତ୍ସାହିତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ। ଅହିଂସାକୁ ସମ୍ବିଧାନରେ ସ୍ଥାନ ଦେବା ସହ ଗାନ୍ଧୀ ବିଚାରଧାରାକୁ ବଞ୍ଚାଇ ରଖିବା ପାଇଁ ଓଡ଼ିଶା ନିରନ୍ତର ଚେଷ୍ଟା ଚଲାଇ ଆସୁଛି। ଗୋଟେ ଆଦର୍ଶକୁ ବଞ୍ଚାଇ ରଖିବା ପାଇଁ ଆମକୁ ଏକାଠି କାମ କରିବା ପାଇଁ ପଡ଼ିବ। ଖଦି ବିଚାରଧାରାକୁ ବଞ୍ଚାଇ ରଖିବା ପାଇଁ ଆମେ ନିହାତି ଭାବେ ଏଥିରେ ସାମିଲ ହେବା ଆବଶ୍ୟକ ବୋଲି ସେ କହିଥିଲେ। ଭୁବନେଶ୍ବର (ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ଆଜି ବି ଖଦିକୁ ବହୁତ ଲୋକ ଭଲ ପାଉଛନ୍ତି। ଆଜି ସଂଧ୍ୟାରେ ଖଦି ବଜାରରେ ଲୋକମାନଙ୍କ ଭିଡ଼, ଏହା ବୟାନ କରୁଛି। ବୁଣାକାରମାନଙ୍କୁ ଉତ୍ସାହିତ କରିବା ପାଇଁ ଆମେ ଖଦି ପିନ୍ଧିବା ଦରକାର। କାର୍ଯ୍ୟକ୍ରମରେ ସଭାପତିତ୍ବ କରି ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡର ସଭାପତି ସଂଗ୍ରାମ କେଶରୀ ପାଇକରାୟ କହିଥିଲେ, ଦେଶକୁ ସ୍ବାଧୀନ କରିବା ପାଇଁ ମହାତ୍ମା ଗାନ୍ଧୀ ଖଦି ଓ ଅହିଂସାକୁ ଅମୋଘ ଅସ୍ତ୍ର ଭାବେ ବ୍ୟବହାର କରିଥିଲେ। ଆଜି ବି ଖଦିକୁ ବାଦ୍‌ ଦେଇ ଦେଶର ଆର୍ଥିକ ପ୍ରଗତି ପରିକଳ୍ପନା କରାଯାଇନପାରେ।

କାର୍ଯ୍ୟକ୍ରମରେ ଡା. ଅରୁନ୍ଧତୀ ଦେବୀ, ବରିଷ୍ଠ ଗାନ୍ଧୀବାଦୀ ଓ ସମାଜସେବୀ ଡା. ଦେବେନ୍ଦ୍ର ମାନସିଂ, ପୂର୍ବତନ ମନ୍ତ୍ରୀ ରବି ଲାବଣ୍ୟ, ପୂର୍ବତନ ବିଧାୟକ ଅଜୟ ନାୟକ, ପୃଥ୍ବୀରାଜ ସାହୁ, ପ୍ରଶାନ୍ତ ମହାନ୍ତି, ସମୀର ସାମନ୍ତରାୟ, ମୀନା ମାଝି, ସଦାଶିବ ଜେନା ଓ ସରୋଜ କୁମାର ବୋଷ ପ୍ରମୁଖ ବୋର୍ଡର ସଦସ୍ୟମାନେ ଉପସ୍ଥିତ ଥିଲେ। ଖଦି ବୋର୍ଡର ସଚିବ ଅବଦୁଲ ଅଲିମ ଖାନ ଧନ୍ୟବାଦ ଦେଇଥିଲେ।

ପ୍ରଦର୍ଶନୀରେ ୬୦ଟି ଷ୍ଟଲ ଖୋଲିଥିବା ବେଳେ ଚରଖା ଏବଂ ତନ୍ତବୁଣାର ଡେମୋ ପ୍ରଦର୍ଶିତ କରାଯାଉଛି। ଏହି ଷ୍ଟଲମାନଙ୍କରେ କାର୍ପାସ, ସିଲକ୍ ଓ ମସଲିନ ଖଦିରୁ ପ୍ରସ୍ତୁତ ଶାଢ଼ି, ଲୁଙ୍ଗି, ଗାମୁଛା ଓ ବିଭିନ୍ନ ପୋଷାକ ବିକ୍ରି କରାଯିବା ସହ ପ୍ରଦର୍ଶିତ ହେଉଛି। ଏହାସହ ବେତ, ବାଉଁଶ ଏବଂ ଝୋଟ ତିଆରି ଘରକରଣା ସାମଗ୍ରୀ, ଚମଡ଼ା ଉତ୍ପାଦ, ଘଣା ସୋରିଷ ତେଲ, ବିଶୁଦ୍ଧ ମହୁ, କନ୍ଧମାଳ ହଳଦୀ, ଝୁଣା ଓ ମସଲା ବିକ୍ରି କରାଯାଉଛି। କରୋନା ଯୋଗୁଁ ଏଥର ପ୍ରଦର୍ଶନୀରେ ଖାଦ୍ୟ ଷ୍ଟଲ୍‌କୁ ଅନୁମତି ମିଳି ନାହିଁ। ଏହି ମେଳା ଆସନ୍ତା ୨୮ତାରିଖ ପର୍ଯ୍ୟନ୍ତ ଚାଲିବ।

ସଭା ପରେ ସଚିନ ଏବଂ ତାଙ୍କ ଟିମ୍‌ଙ୍କ ପକ୍ଷରୁ ଗାନ୍ଧୀଙ୍କ ପ୍ରିୟ ଭଜନ ‘ବୈଷ୍ଣବ ଜନ ତୋ ତେନେ କହିୟେ’ ଗୀତରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର