ରାଜ୍ୟସ୍ତରୀୟ କୃଷି ମହୋତ୍ସବର ଦ୍ୱିତୀୟ ଦିବସ : ସମ୍ମାନିତ ହେଲେ ୩୦ ସଫଳ ଚାଷୀ

ଭୁବନେଶ୍ୱର : କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ବରମୁଣ୍ଡା ପଡ଼ିଆରେ ଆୟୋଜିତ ରାଜ୍ୟସ୍ତରୀୟ କୃଷି ମହୋତ୍ସବର ଦ୍ୱିତୀୟ ଦିବସରେ ରାଜ୍ୟର ୩୦ ଜଣ ସଫଳ ଚାଷୀଙ୍କୁ ସମ୍ମାନିତ କରାଯାଇଛି। ମହୋତ୍ସବରେ ମୁଖ୍ୟଅତିଥି ଭାବେ ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଚାଷୀଙ୍କୁ ସମ୍ମାନିତ କରି କହିଲେ, ରାଜ୍ୟ ସରକାର ଚାଷୀଙ୍କ ଉନ୍ନତିକୁ ସର୍ବଦା ଗୁରୁତ୍ୱ ଦେଇ ଆସିଛନ୍ତି। ସମବାୟ ବ୍ୟାଙ୍କଗୁଡ଼ିକ ଚାଷୀଙ୍କୁ ଋଣ ଯୋଗାଇ ଦେବା ସହ ସବ୍‌ସିଡ୍‌ ମଧ୍ୟ ପ୍ରଦାନ କରୁଛନ୍ତି। ଚଳିତ ବର୍ଷ ଏପର୍ଯ୍ୟନ୍ତ ୩୪ ଲକ୍ଷ ଟନ୍‌ରୁ ଅଧିକ ଧାନ ସଂଗ୍ରହ ସରିଥିବା ବେଳେ, ପାଖାପାଖି ୬୦ ଲକ୍ଷ ଟନ୍‌ର ଧାନ ସଂଗ୍ରହ ଲକ୍ଷ୍ୟ ରକ୍ଷାଯାଇଛି। ଆଗାମୀ ଦିନରେ ପାରମ୍ପରିକ କୃଷିକୁ ବ୍ୟବସାୟିକ କୃଷିରେ ରୂପାନ୍ତରିତ କରାଯିବା ନେଇ ଧ୍ୟାନ ଦିଆଯିବ ବୋଲି ଶ୍ରୀ ପାତ୍ର କହିଥିଲେ।

ସମ୍ମାନିତ ଅତିଥି ନୟାଗଡ଼ ବିଧାୟକ ଡ. ଅରୁଣ ସାହୁ, କୃଷି ଉତ୍ପାଦନ କମିସନର୍‌ ଗଗନ କୁମାର ଧଳ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ସମବାୟ କମିସନର୍‌ ରଞ୍ଜନା ଚୋପ୍ରା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ପ୍ରଦୀପ କୁମାର ଜେନା ଓଡ଼ିଶାରେ ଜଳ ସେଚନର ସ୍ଥିତି ବାବଦରେ ସୂଚନା ଦେଇଥିଲେ। କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ମହୋତ୍ସବରେ ଅଧ୍ୟକ୍ଷତା କରି କହିଲେ, ରାଜ୍ୟ ସରକାର କୃଷିର ଉନ୍ନତି ପାଇଁ ଅନବରତ ଚେଷ୍ଟା ଚଳାଇଛନ୍ତି। କୃଷି ପାଇଁ ବିଭିନ୍ନ ରିହାତି ଦେଉଛନ୍ତି। ଆଗାମୀ ଦିନରେ ଚାଷୀମାନଙ୍କ ଉନ୍ନତି ପାଇଁ ଆହୁରି ଅନେକ ଯୋଜନା କରାଯିବ। ଏଏଚ୍‌ଭିଏସ୍‌ ର ନିର୍ଦେଶକ ମହେନ୍ଦ୍ର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର