ଭୁବନେଶ୍ୱର, ୪।୪ (ଇମିସ): ରଣପୁରର ବୀର ସନ୍ତାନ ସହିଦ ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ା ବ୍ରିଟିସ୍ ଶାସନ ବିରୋଧରେ ପ୍ରଜାମେଳି କରି ଅଦମ୍ୟ ସାହସ ଦେଖାଇଥିଲେ। ବ୍ରିଟିସ୍ ଶାସନକୁ ସହଯୋଗ କରୁଥିବା ରାଜାଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିବାରୁ ତାଙ୍କୁ ୧୯୪୧ ମସିହା ଏପ୍ରିଲ ୪ ତାରିଖରେ ବିହାରର ଭାଗଲପୁର ଜେଲ୍ରେ ଫାଶୀ ଦିଆଯାଇଥିଲା। ଅସୀମ ତ୍ୟାଗ ଓ ଦେଶପ୍ରେମ ପାଇଁ ଦୁହେଁ ଚିରସ୍ମରଣୀୟ ହୋଇ ରହିବେ। ଆଜି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବରେ ଯୋଗଦେଇଥିବା ବିଶିଷ୍ଟ ଅତିଥିମାନେ ଏହା କହିଛନ୍ତି।
ସୂଚନା ଓ ଲୋକସଂପର୍କ ବିଭାଗ, ରାଜ୍ୟସ୍ତରୀୟ ସହିଦ ଦିବାକର ସ୍ମୃତି କମିଟି ଏବଂ ରଣପୁର ସାଂସ୍କୃତିକ ପରିଷଦର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥିମାନେ ପ୍ରଥମେ ସହିଦ ରଘୁ-ଦିବାକରଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ସାମନ୍ତବାଦ ଚିନ୍ତାଧାରା ବିରୋଧରେ ଲଢ଼େଇ କରି ରଘୁ-ଦିବାକର ସହିଦ ହୋଇଥିଲେ। ଆଜି ବି ସମାଜରେ ଭିନ୍ନ ରୂପରେ ସାମନ୍ତବାଦ ଚିନ୍ତାଧାରା ଓ ମନୋବୃତ୍ତି ବଳବତ୍ତର ରହିଛି। ସେଥିପାଇଁ ରଘୁ-ଦିବାକରଙ୍କ ପନ୍ଥା ଆପଣାଇବାର ଆବଶ୍ୟକତା ରହିଛି। ଗଣତନ୍ତ୍ରର ଉପରସ୍ତରରେ ରହୁଥିବା ଲୋକ ପ୍ରତି ଯଦି ତଳସ୍ତର ଲୋକର ସାମାନ୍ୟତମ ଭୟ ନ ରହିବ ଏବଂ ତା’ କଥା ପ୍ରକାଶ କରିବାକୁ ସଙ୍କୋଚ ନ କରେ, ତେବେ ଗଣତନ୍ତ୍ର ସଫଳ ହେବ ଏବଂ ରଘୁ-ଦିବାକାରଙ୍କ ପ୍ରତି ଏହା ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ମନ୍ତ୍ରୀ ଶ୍ରୀ ସାହୁ କହିଥିଲେ।
ବିଶିଷ୍ଟ ଶିକ୍ଷାବିତ୍ ସତ୍ୟବାଦୀ ବଳିଆରସିଂହ ମୁଖ୍ୟବକ୍ତା ଭାବେ ଯୋଗଦେଇ ସହିଦ ରଘୁ-ଦିବାକରଙ୍କ ସାହସ ଏବଂ ଅନ୍ୟାୟ, ଅତ୍ୟାଚାର ବିରୋଧରେ ପ୍ରବଳ ଜନମତ ସୃଷ୍ଟି କରିବାର ଦକ୍ଷତା ଉପରେ ଆଲୋକପାତ କରିଥିଲେ। ଏହି ଦୁଇ ବରପୁତ୍ରଙ୍କ କାହାଣୀକୁ ପାଠ୍ୟ ପୁସ୍ତକରେ ସ୍ଥାନ ଦେବାକୁ ଦାବି କରିଥିଲେ। ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ କହିଥିଲେ ଯେ ସହିଦ ରଘୁ-ଦିବାକର ରଣପୁର ଅଞ୍ଚଳର ଗର୍ବ ଓ ଗୌରବ। ତାଙ୍କ ଦେଶପ୍ରେମର ତୁଳନା ନାହିଁ। ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସଂପାଦକ ଲେନିନ୍ ମହାନ୍ତି କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ରଘୁ-ଦିବାକରଙ୍କ ଆନ୍ଦୋଳନ ଯୋଗୁଁ ଅବହେଳିତ ଜନସାଧାରଣଙ୍କ ମନୋବଳ ତଥା ସଂଗ୍ରାମ ପାଇଁ ଉତ୍ସାହ ବୃଦ୍ଧି ପାଇଥିଲା ବୋଲି କହିଥିଲେ। ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ସ୍ବାଗତ ଭାଷଣ ଦେଇ ସହିଦଦ୍ବୟଙ୍କୁ ସାମାଜିକ ପରିବର୍ତ୍ତନର ଅଗ୍ରଦୂତ ବୋଲି କହିଥିଲେ। ସୂଚନା ଅଧିକାରୀ ପ୍ରମିଳା ମାଝୀ କାର୍ଯ୍ୟକ୍ରମ ସଂଯୋଜନା ଓ ସ୍ମୃତି କମିଟିର ସାଧାରଣ ସଂପାଦକ ଗୌରାଙ୍ଗ ନାୟକ ଧନ୍ୟବାଦ ଦେଇଥିଲେ।
ରାଜ୍ୟସ୍ତରୀୟ ସହିଦ ଦିବସ: ରଘୁ-ଦିବାକରଙ୍କ ଦେଶପ୍ରେମର ତୁଳନା ନାହିଁ
/sambad/media/post_attachments/wp-content/uploads/2022/04/28-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)