ରବୀନ୍ଦ୍ର ମଣ୍ଡପରେ ରାଜ୍ୟସ୍ତରୀୟ ସ୍ମୃତିସଭା: ଗୀତରେ ଲତା ଓ ହୋତାଜୀଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ଏ ମେରେ ୱତନ୍‌ କେ ଲୋଗୋ…, ଆଜି ମୁଁ ଶ୍ରାବଣୀ…, ତୁଝ୍‌ସେ ନାରାଜ ନେହିଁ ହେ ଜିନ୍ଦେଗୀ…, ଏକ ପ୍ୟାର୍‌ କା ନଗ୍‌ମା ହୈ… ଆଦି ଚିରସବୁଜ ଗୀତ‌ ଦର୍ଶକଙ୍କ ୯୦ ଦଶକର ପୁରୁଣା ସ୍ମୃତିକୁ ଉଜ୍ଜୀବିତ କରିଦେଉଥିଲା। ଗୀତର ତାଳେ ତାଳେ ଦର୍ଶକ ଝୁମି ଉଠୁଥିଲେ। କିଂବଦନ୍ତି ଗାୟିକା ଭାରତରତ୍ନ ଲତା ମଙ୍ଗେଶକର ଓ ଓଡ଼ିଶାର ପ୍ରଖ୍ୟାତ ଶାସ୍ତ୍ରୀୟ ସଙ୍ଗୀତଗୁରୁ ଡ. ଦାମୋଦର ହୋତାଙ୍କ ରାଜ୍ୟସ୍ତରୀୟ ସ୍ମୃତିସଭାରେ ଏମିତି ଅବସର ଜୁଟିଥିଲା। ‘ଓଡ଼ିଶା ସିନେ କ୍ରିଟିକ୍‌ ଆସୋସିଏସନ୍’, ‘ସଂସ୍କୃତି ଓ ସଂସ୍କୃତି’ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କିଶୋର କଳାକାର ରାକେଶ ବିଶ୍ବାଳ ଭାଓଲିନ୍‌ରେ ଲତାଙ୍କ ସଙ୍ଗୀତର ସ୍ବର ପରିବେଷଣ କରିଥିବା ବେଳେ କଣ୍ଠଶିଳ୍ପୀ ଆଦ୍ୟାଶା ଦାସ, ଲୋଭା ବିଶ୍ବାଳ, ଛନ୍ଦା ମିଶ୍ର, ସୀମା ମହାନ୍ତି, ପ୍ରୀତିନନ୍ଦା ରାଉତରାୟ, ପ୍ରତିଭା ପ୍ରଧାନ, ଅଚ୍ୟୁତ ମିଶ୍ର, ଅରୋଶିଷ ପାଣି, ଅର୍ଣ୍ଣବ ପଣ୍ଡା, କୈଳାସ ମଲ୍ଲିକ, ଆଶିଷ ଦତ୍ତ ପ୍ରମୁଖ ସଂଗୀତରେ ଦୁଇ ଦିବଙ୍ଗତ ପ୍ରତିଭାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

କାର୍ଯ୍ୟକ୍ରମରେ ‘କିଟ୍’ ଓ ‘କିସ୍’ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି, ‘କାଦମ୍ବିନୀ’ର ସମ୍ପାଦିକା ଡ. ଇତି ସାମନ୍ତ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ବରିଷ୍ଠ ଅଧିକାରୀ ସୁବୋଧ ଆଚାର୍ଯ୍ୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅନୁଷ୍ଠାନର ସଭାପତି ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ସ୍ଵାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ତଥା ବରିଷ୍ଠ ସିନେ ସମୀକ୍ଷକ ଦିଲ୍ଲୀପ ହାଲି ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ। ସଂଗୀତଜ୍ଞ ଅବନୀକାନ୍ତ ଦାସ ସଂଗୀତ ସନ୍ଧ୍ୟାକୁ ସଂଯୋଜନା କରିଥିବା ବେଳେ ମଞ୍ଚ ଉପସ୍ଥାପନା କରିଥିଲେ ଅଭିଷେକ। ଅନ୍ୟମାନଙ୍କ ମଧ୍ୟରେ ରବୀନ୍ଦ୍ର ବିଶ୍ବାଳ, ପ୍ରଶାନ୍ତ ପାଇକରାୟ, ମଣ୍ଡୁ ମହଲା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର