ଭୁବନେଶ୍ୱର: ମିସ୍ ଆଣ୍ଡ୍ ମିଷ୍ଟ୍ରେସ୍ ମଡେଲ୍ସ ଇଣ୍ଡିଆ ପକ୍ଷରୁ ବୁୁଧବାର ଦିନ ଚନ୍ଦ୍ରଶେଖରପୁରସ୍ଥିତ ରକ୍ସି ହଲ୍ରେ ରାଜ୍ୟସ୍ତରୀୟ ମଡେଲିଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ବାଳିକା, ଯୁବତୀ ଓ ମହିଳାମାନେ ର୍ୟାମ୍ପ ସୋ’ରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ପ୍ରଥମେ ଟିନ୍ଏଜ୍ ବିଭାଗରେ ୧୨ ବର୍ଷରୁ ୧୮ବର୍ଷ ବୟସର ବାଳିକା ପ୍ରତିଯୋଗୀମାନେ ର୍ୟାମ୍ପ ସୋ’ରେ ଚାଲିଥିଲେ। ପରେ ମିସ୍ ବିଭାଗରେ ଅବିବାହିତ ଯୁବତୀ ପ୍ରତିଯୋଗୀମାନଙ୍କ ସୋ’ ଅନୁଷ୍ଠିତ ହୋଇଥିଲା ଓ ଶେଷରେ ମିସେସ୍ ବିଭାଗରେ ବିବାହିତ ମହିଳାମାନେ ଅଂଶ ଗ୍ରହଣ କରିଥିଲେ। ସେହିଭଳି ସ୍ବତନ୍ତ୍ର ଗୋଲ୍ଡ ବିଭାଗରେ ୪୧ ବର୍ଷରୁ ୫୦ ବର୍ଷ ବୟସର ମହିଳାମାନେ ର୍ୟାମ୍ପ୍ରେ ଚାଲିଥିଲେ।
ରଙ୍ଗିନ୍ ଆଲୋକମାଳା ଓ ଡିଜେ ସଂଗୀତର ତାଳେ ତାଳେ ଚାଲିଥିଲେ ପ୍ରତିଯୋଗୀମାନେ।
ଜଣକ ପରେ ଜଣେ ପ୍ରତିଯୋଗୀ ର୍ୟାମ୍ପ୍ରେ ଚାଲିବା ସହ ଯାଦୁକରୀ ଚାହାଣୀ ଓ ଅଙ୍ଗଭଙ୍ଗୀ ପ୍ରଦର୍ଶନ କରିଥିଲେ। ସଂସ୍ଥାର ରାଜ୍ୟ ନିର୍ଦେଶିକା ସବିତା ମହାକୁଡ଼ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ରଞ୍ଜନ କୁମାର ଯୋଗ ଦେଇଥିଲେ। ଏଥିରେ ବିଚାରକ ଭାବେ ପ୍ରିୟଙ୍କା ପ୍ରିୟଦର୍ଶିନୀ, ସନ୍ତୋଷୀ ମଲ୍ଲିକ, ଶୁଭଲକ୍ଷ୍ମୀ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ସଂସ୍ଥାର ଜାତୀୟ ନିର୍ଦେଶକ ଅସ୍ଫାକ୍ ସାହା ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ। ରଶ୍ମିରେଖା ଦାସ, ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ଚିନ୍ମୟୀ ସାହୁ, ଶୈଳେଶ କୁମାର ଓ ଅନ୍ୟ କର୍ମକର୍ତାମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।