ମହାନ ବିପ୍ଳବୀ ବକ୍ସି ଜଗବନ୍ଧୁଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଦିବସ : ‘ବକ୍ସି ଜଗବନ୍ଧୁ’ ପାଇକ ଜାତିର କୁଳତିଳକ

ପ୍ରକାଶ ପାଇବ ସ୍ବାଧୀନତା ସଂଗ୍ରାମୀଙ୍କ ଜୀବନୀ ସଂକଳନ

ଭୁବନେଶ୍ୱର : ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର ରାୟ ତଥା‌ ବକ୍ସି ଜଗବନ୍ଧୁ ପାଇକ ଜାତିର କୁଳତିଳକ। ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ପାଇକ ବିଦ୍ରୋହର ମହାନାୟକ ବୋଲି ବକ୍ସି ଜଗବନ୍ଧୁଙ୍କ ରାଜ୍ୟସ୍ତରୀୟ ସହିଦ ଦିବସ ମହାସମାରୋହରେ ଯୋଗଦେଇ ନିଖିଳ ଓଡ଼ିଶା ପାଇକ ମହାସଂଘ ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ କହିଛନ୍ତି। ରାଜ୍ୟ ସଂଯୋଜକ କେଦାର ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁରେଶ କୁମାର ରାଉତରାୟ, ପୂର୍ବତନ ବିଧାୟକ ଦିଲ୍ଲୀପ ଶ୍ରୀଚନ୍ଦନ ଓ ପ୍ରକାଶ ଶ୍ରୀଚନ୍ଦନ ପ୍ରମୁଖ ଯୋଗଦେଇ ଦେଶଭକ୍ତ ପାଇକ ବିଦ୍ରୋହର ମହାନ୍ ସାରଥି ବକ୍ସିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ପାଇକଗୁରୁ ତଥା ଖୋର୍ଦ୍ଧା ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ପାଟ୍ଟଶାଣୀ, ଉପସଭାପତି ଭୀମସେନ ପାଇକରାୟ, ବାଣପୁର ପାଇକ ସର୍ଦ୍ଦାର ରଞ୍ଜନ ବଳିୟାର ସିଂହ, ରାଜ୍ୟ ଉପଦେଷ୍ଟା ବିଭୂତି ଭୂଷଣ ସ୍ୱାଇଁ, ଭୁବନେଶ୍ୱର ପାଇକ ସଂଘ ସଭାପତି ଅଜୟ ନାୟକ, ଭାସ୍କର ସୁନ୍ଦରରାୟ, ଜିତେନ୍ଦ୍ରୀୟ ମାନସିଂହ, ଶିବପ୍ରସାଦ ମିଶ୍ର, ରାଜୀବ ନୟନ ରଥ, ଗଡ଼ଦୋକନ୍ଦା ଦଳବେହେରା, ମନୋରଞ୍ଜନ ପଶ୍ଚିମ କବାଟ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ସମ୍ପାଦକ ବିଜୟ ବେହେରା, କେଦାର ମହାରଣା, କୃଷ୍ଣଚନ୍ଦ୍ର ନାୟକ, ସମର ରଞ୍ଜନ ମହାନ୍ତି ପ୍ରମୁ୍ଖ ଯୋଗ ଦେଇଥିଲେ। ପାଇକ ଆଖଡ଼ାକୁ ରାଜ୍ୟ କ୍ରୀଡ଼ାର ମାନ୍ୟତା, ପାଇକ ଆଖଡ଼ାକୁ ସ୍କୁଲ କଲେଜରେ ସାମିଲ, ପାଇକ ରେଜିମେଣ୍ଟ ଗଠନ ଦିଗରେ ପ୍ରୟାସ କରିବାକୁ ଦାବି ଉଠିଥିଲା।

ପ୍ରକାଶ ପାଇବ ସ୍ବାଧୀନତା ସଂଗ୍ରାମୀଙ୍କ ଜୀବନୀ ସଂକଳନ
ଭୁବନେଶ୍ୱର : ଓଡ଼ିଶାର ସ୍ବାଧୀନତା ବଜାୟ ରଖିବା ପାଇଁ ଉତ୍କଳର ଯେଉଁ କେତେଜଣ ବୀର ସନ୍ତାନ ଇଂରେଜମାନଙ୍କ ସହ ସଂଗ୍ରାମ କରିଥିଲେ, ସେମାନଙ୍କ ମଧ୍ୟରୁ ଖୋର୍ଧାର ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଅନ୍ୟତମ। ଭାରତର ସ୍ବାଧୀନତା ସଂଗ୍ରାମରେ ତାଙ୍କର ବଳିଷ୍ଠ ତ୍ୟାଗ, ଅପୂର୍ବ ସାହସ ଓ ବୀରତ୍ବ ସହ ତାଙ୍କର ‌ଆତ୍ମୋତ୍ସର୍ଗ ଓଡ଼ିଶା ଇତିହାସରେ ଏକ ଗୌରବୋଜ୍ଜ୍ବଳ ଅଧ୍ୟାୟ ସୃଷ୍ଟି କରିଛି ବୋଲି ବିଶିଷ୍ଟ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ବକ୍ସି ଜଗବନ୍ଧୁଙ୍କ ସହିଦ ଦିବସରେ ଯୋଗଦେଇ ବିଶିଷ୍ଟ ବ୍ୟକ୍ତିବିଶେଷମାନେ ଏପରି କହିଛନ୍ତି। ଉଭୟ ମଞ୍ଚ ଓ ଭର୍ଚୁଆଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥିମାନେ ପ୍ରଥମେ ବରପୁତ୍ରଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରି ପ୍ରଦୀପ ପ୍ରଜ୍ଜ୍ବଳନ କରିଥିଲେ।

ଭର୍ଚୁଆଲରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଅତିଥି ଭାବେ ଯୋଗଦେଇ ବକ୍ସି ଜଗବନ୍ଧୁଙ୍କ ସାହସ, ରଣକୌଶଳ ଓ ବଳିଦାନର କାହାଣୀ ଦେଶ ପାଇଁ ପ୍ରେରଣା ବୋଲି କହିଥିଲେ। ବିଶିଷ୍ଟ ଅତିଥି ଭାବେ ଉତ୍କଳ ପ୍ରସଙ୍ଗ ଏବଂ ଓଡ଼ିଶା ରିଭ୍ୟୁର ସଂପାଦକ ଡ. ଲେନିନ୍‌ ମହାନ୍ତି ଯୋଗଦେଇ ଓଡ଼ିଶାରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ବରେ ସଂଘଟିତ ପାଇକ ବିଦ୍ରୋହ ଏବଂ ଦୁର୍ଧର୍ଷ ସଂଘର୍ଷର ଗୌରବମୟ ଐତିହ୍ୟର କାହାଣୀ ଉପସ୍ଥାପନ କରିବା ସହ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ଦ୍ବାରା ପ୍ରସ୍ତାବିତ ଓଡ଼ିଶାର ବରପୁତ୍ର ଓ ସ୍ବାଧୀନତା ସଂଗ୍ରାମୀଙ୍କ ଜୀବନୀକୁ ନେଇ ଏକ ସଂକଳନ ପ୍ରକାଶନ କାର୍ଯ୍ୟକୁ ଖୁବ୍‌ଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ମତ ରଖିଥିଲେ। ସମ୍ମାନିତ ଅତିଥି ଭାବେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ଆୟୋଗ ଅଧ୍ୟକ୍ଷ ସଂଧ୍ୟାବତୀ ପ୍ରଧାନ ୧୮୧୭ରେ ବକ୍ସିଙ୍କ ନେତୃତ୍ବରେ ହୋଇଥିବା ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ଭାବେ ଅଭିହିତ କରିଥିଲେ। ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ଐତିହାସିକ ତଥା ଗବେଷକ ଡ. ନାରାୟଣ ରାଓ ବକ୍ସି ଜଗବନ୍ଧୁଙ୍କ ନେତୃତ୍ବରେ ସଂଘଟିତ ପାଇକ ବିଦ୍ରୋହ ତତ୍କାଳୀନ ଇଂରେଜ ଶାସନରେ କମ୍ପନ ସୃଷ୍ଟି କରିଥିଲା ଓ ପରବର୍ତ୍ତୀ ସମୟରେ ପାଇକ ଓ ପ୍ରଜାମାନଙ୍କ ପାଇଁ କେତେକ ପ୍ରଶାସନିକ ସଂସ୍କାର ଅଣାଯାଇପାରିଥିଲା ବୋଲି କହିଥିଲେ।

ବିଭାଗୀୟ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ସ୍ବାଗତ ଭାଷଣ ଦେଇଥିବା ବେଳେ ବିଭାଗୀୟ ଯୁଗ୍ମ ନିର୍ଦ୍ଦେଶକ ଡ. ପ୍ରମୋଦ କୁମାର ମଲ୍ଲିକ ଧନ୍ୟବାଦ ଦେଇଥିଲେ। ସୂଚନା ଅଧିକାରୀ ପ୍ରମିଳା ମାଝୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସକାଳେ ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ମ୍ୟୁଜିୟମ୍‌ ଛକସ୍ଥିତ ବକ୍ସି ଜଗବନ୍ଧୁ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ବିଭାଗୀୟ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର, ନିର୍ଦ୍ଦେଶକ (ବୈଷୟିକ) ନିରଂଜନ ସେଠୀ, ଯୁଗ୍ମ ନିର୍ଦ୍ଦେଶକ ଡ. ପ୍ରମୋଦ କୁମାର ମଲ୍ଲିକ ଓ ଅନ୍ୟ ବରିଷ୍ଠ ବିଭାଗୀୟ ଅଧିକାରୀ ଓ ଅତିଥିମାନେ ଏଠାରେ ଯୋଗଦେଇ ଓଡ଼ିଶାର ମହାନ ବରପୁତ୍ର ବକ୍ସି ଜଗବନ୍ଧୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର