ରାଜ୍ୟସ୍ତରୀୟ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସାରସ୍ବତ ସଭା; ‘ମୁଁ’ ଓ ‘ମୋର’ ଅହଂ ଛାଡ଼ିଲେ ଭାଷାର ସମୃଦ୍ଧି ସମ୍ଭବ: ‌ଦେବୀପ୍ରସନ୍ନ

ଭୁବନେଶ୍ବର: ଆଜିକାଲି ଆମ ଭିତରେ ‘ମୁଁ’ ଓ ‘ମୋର’ ଅହଂ ବଢ଼ିବାରେ ଲାଗିଛି। ରାଜ୍ୟ ସରକାରଙ୍କ ସବୁ ଯୋଜନା ମଧ୍ୟ ‘ମୋ’କୁ ନେଇ ଆଧାରିତ। ତେବେ ଆମ ଭିତରୁ ‘ମୁଁ’ ଓ ‘ମୋର’ ଚିନ୍ତା ବାହାର କରି ‘ଆମ’କୁ ରୋପିତ କଲେ, ଆମ ଓଡ଼ିଆ ଭାଷା, ଆମ ଉତ୍କଳ ପ୍ର‌ଦେଶ ସମୃଦ୍ଧ ହୋଇପାରିବ। ଆଜି ଗୀତଗୋବିନ୍ଦ ସଦନଠାରେ ଓଡ଼ିଶା ସାହିତ୍ୟ ଏକାଡେମି ପକ୍ଷରୁ ଆୟୋଜିତ ‘ରାଜ୍ୟସ୍ତରୀୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ’ ସାରସ୍ୱତ ସଭାରେ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ବିଶିଷ୍ଟ ଭାଷାବିତ୍‌ ଦେବୀପ୍ରସନ୍ନ ପଟ୍ଟନାୟକ। ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗ ଦେଇ ମଧ୍ୟଯୁଗୀୟ ସାରସ୍ୱତ ପ୍ରତିଭାମାନଙ୍କ ଉପରେ ଅଧିକରୁ ଅଧିକ ଅଧ୍ୟୟନ ଓ ଗବେଷଣା ହେବା ଆବଶ୍ୟକ ବୋଲି କହିଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ନିକଟରେ ସମ୍ମାନଜନକ ପଦ୍ମଶ୍ରୀ ସମ୍ମାନ ପାଇଥିବା ବିଶିଷ୍ଟ ବାଗ୍ମୀ ରଜତ କୁମାର କରଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

କାର୍ଯ୍ୟକ୍ରମରେ ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ କେନ୍ଦ୍ରର ନିର୍ଦ୍ଦେଶକ ବସନ୍ତ କୁମାର ପଣ୍ଡା, ଓଡ଼ିଶା ସାହିତ୍ୟ ଏକାଡେମିର ସଭାପତି ହରିହର ମିଶ୍ର ପ୍ରମୁଖ ଉପସ୍ଥିତ ରହି ଭଞ୍ଜ ସାହିତ୍ୟ ଓ ଏହାର ସମୃଦ୍ଧି ତଥା ଓଡ଼ିଶାର ସାରସ୍ବତ ଜଗତକୁ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଲେଖକ ପ୍ରାଧ୍ୟାପକ ଉପେନ୍ଦ୍ର କୁମାର ନାୟକଙ୍କ ‘ନାଟ୍ୟକାର ଆନନ୍ଦ ଶଙ୍କର’, ବୈଷ୍ଣବ ଚରଣ ସାମଲଙ୍କ ‘କବି ମୁରାରୀ ମୋହନ ଜେନା: ଏକ ଆଲେଖ୍ୟ’, ଅନୁବାଦକ ରାଧାକାନ୍ତ ମିଶ୍ରଙ୍କ ‘କାମାୟନୀ’, ମହେଶ୍ୱର ମହାନ୍ତିଙ୍କ ‘ବାଣୀ ବରପୁତ୍ର ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀ’, ଅନୁବାଦିକା ରଶ୍ମି ଧାୱନଙ୍କ ‘ୟଦାପି ଏକ୍‌ କାହାନୀ (ହିନ୍ଦୀ)’, ଅନୁବାଦକ ବୀରେନ୍ଦ୍ର ମହାନ୍ତିଙ୍କ ‘ସମୁଦ୍ର ଭିତରେ ସାମ୍ରାଜ୍ୟ ଓ ଅନ୍ୟାନ୍ୟ ଗଳ୍ପ’ ଓ ଅନୁବାଦକ ଡ. ଶିଶିର ବେହେରାଙ୍କ ‘କାବ୍ୟ ବିଚାର’ ଲୋକାର୍ପିତ ହୋଇଥିଲା।

ଏକାଡେମିର ସଚିବ ଶୁଚିସ୍ମିତା ମନ୍ତ୍ରୀ ଏକାଡେମିର ଆଭିମୁଖ୍ୟ ସଂପର୍କରେ ସୂଚନା ପ୍ରଦାନ କରିବା ସହ ଉତ୍ସବର ସଫଳତା ଦିଗରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଆଗାମୀ ଦିନରେ ଏହାକୁ ଲୋକାଭିମୁଖୀ କରିବା ଦିଗରେ ବିଭିନ୍ନ ସାରସ୍ୱତ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତବର୍ଷ ଭଞ୍ଜ କାବ୍ୟଧାରାକୁ ଆଧାର କରି ଏପରି ଏକ ସାରସ୍ୱତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ବୋଲି ଶ୍ରୀମତୀ ମନ୍ତ୍ରୀ କହିଥିଲେ। ଏକାଡେମିର କାର୍ଯ୍ୟକାରୀ ପରିଷଦ ସଦସ୍ୟା‌ ଶୁଭଶ୍ରୀ ଲେଙ୍କା ଅତିଥି ପରିଚୟ ଓ ଉପସଂହାର ପ୍ରଦାନ କରିବା ସହ ସଭା ପରିଚାଳନା କରିଥିଲେ।

ଅପରାହ୍‌ଣରେ ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ କେନ୍ଦ୍ରର ନିର୍ଦ୍ଦେଶକ ବସନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଉପେନ୍ଦ୍ର ଭଞ୍ଜଙ୍କ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟାପକ ପାର୍ଥସାରଥୀ ଅଜୟ ବାରିକ, କବି ମନମୋହନ ଆଚାର୍ଯ୍ୟ ଓ ସୁରେଶ ଚନ୍ଦ୍ର ପଣ୍ଡା ପ୍ରମୁଖ ଆଲୋଚକ ଭାବେ ଯୋଗ ଦେଇ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟଶୈଳୀକୁ ଆଧାର କରି ବକ୍ତବ୍ୟ ଉପସ୍ଥାପନ କରିଥିଲେ। ପ୍ରାରମ୍ଭରେ ଶାଶ୍ୱତୀ ସାଂସ୍କୃତିକ ଅନୁଷ୍ଠାନର କଳାକାରମାନେ ଭଞ୍ଜଙ୍କ ରଚିତ ଆବାହନୀ ସଂଗୀତ ପରିବେଷଣ କରିଥିଲେ। ଏହି ଅବସରରେ ଭଞ୍ଜ ସଂଗୀତ ଗାନ କରିଥିବା କଣ୍ଠଶିଳ୍ପୀ ସଂଗୀତା ପଣ୍ଡା, ଅନିନ୍ଦିତା ଦାସ ଓ ଛନ୍ଦା ମିଶ୍ରଙ୍କୁ ସମ୍ବର୍ଧିତ କରାଯାଇଥିଲା।

ସମ୍ବନ୍ଧିତ ଖବର