ଭୁବନେଶ୍ବର: ଓଡ଼ିଶା ରାଜ୍ୟ ସମବାୟ ୟୁନିୟନ ପକ୍ଷରୁ ୬୫ତମ ସମବାୟ ସପ୍ତାହ ଜୟଦେବ ଭବନରେ ପାଳିତ ହୋଇଛି। ୟୁନିୟନର ସଭାପତି ହେମନ୍ତ ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ରାଜ୍ୟସ୍ତରୀୟ ଉତ୍ସବରେ ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମବାୟ ଆନ୍ଦୋଳନ ସୁଫଳକୁ ଘରେ ଘରେ ପହଞ୍ଚାଇବାକୁ ଆହ୍ବାନ କରିଥିଲେ। କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ସଚିବ ସୌରଭ ଗର୍ଗ, ସମବାୟ ସମିତି ସମୂହର ନିବନ୍ଧକ ତ୍ରିବିକ୍ରମ ପ୍ରଧାନ, ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦେଶକ ଏସ୍ ଏନ୍ ଗିରୀଶ, ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ସଭାପତି ଅକ୍ଷୟ କୁମାର ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡ଼ିଶାରେ ସମବାୟ ଆନ୍ଦୋଳନର ଆଭିମୁଖ୍ୟ ଓ ଏହି ଆନ୍ଦୋଳନକୁ ତୃଣମୂଳସ୍ତରରେ ପହଞ୍ଚାଇବା ଦିଗରେ ପଦକ୍ଷେପ ନେବାକୁ କହିଥିଲେ। ଏଥିସହ ସମବାୟ ଆନ୍ଦୋଳନ ସହ ଜଡ଼ିତ ଥିବା ସମସ୍ତ ବ୍ୟକ୍ତିବିଶେଷ ନିଜର କର୍ତ୍ତବ୍ୟକୁ ସୁଚାରୁରୂପେ ପାଳନ କରିବାକୁ ବକ୍ତାମାନେ ମତପୋଷଣ କରିଥିଲେ। ଏହି ଅବସରରେ ସମବାୟ ଉପନିବନ୍ଧକ ସୁଶାନ୍ତ କୁମାର ପଣ୍ଡାଙ୍କୁ ‘ରମେଶ ଚନ୍ଦ୍ର କାନୁନଗୋ ସ୍ମୃତି ସମବାୟ ସମ୍ମାନ ପ୍ରଦାନ କରାଯାଇଛି। ତାଙ୍କୁ ପୁରସ୍କାର ରାଶି ଓ ମାନପତ୍ର ପ୍ରଦାନ କରି ମନ୍ତ୍ରୀ ଶ୍ରୀ ପାତ୍ର ସମ୍ବର୍ଦ୍ଧିତ କରିଥିଲେ। ସେହିପରି ସମବାୟ ସମିତି ସମୂହର ନିବନ୍ଧକ ତ୍ରିବିକ୍ରମ ପ୍ରଧାନଙ୍କୁ ଦକ୍ଷ ପ୍ରଶାସକ ଭାବେ ସମ୍ମାନିତ କରାଯାଇଥିବା ବେଳେ ମାର୍କଫେଡ୍ର ପରିଚାଳନା ନିର୍ଦେଶକ ପ୍ରତାପ କୁମାର ମିଶ୍ରଙ୍କୁ ସେବା ପାଇଁ ସମବାୟ ସମ୍ମାନ, ଉଦୟନାଥ ତ୍ରିପାଠୀଙ୍କୁ ସମବାୟ ଲେଖକ, ସ୍ବର୍ଗତ କୁମୁଦିନୀ କରଙ୍କୁ ମରଣୋତ୍ତର ମହିଳା ସମବାୟବିତ୍ ଭାବେ ସମ୍ମାନିତ କରାଯାଇଥିଲା। ସହରାଞ୍ଚଳରେ ଋଣ ସମବାୟ କ୍ଷେତ୍ରରେ ଉତ୍ତମ କାର୍ଯ୍ୟ କରୁଥିବା କେନ୍ଦ୍ରାପଡ଼ା ସମବାୟ ସମିତିର ସଭାପତି ପ୍ରମୋଦ କୁମାର ସାହୁ, କଟକ କ୍ରେଡିଟ୍ ସମବାୟ ସମିତି ସଭାପତି ମହେନ୍ଦ୍ର କୁମାର ନାୟକ ସମ୍ବର୍ଦ୍ଧିତ ହୋଇଛନ୍ତି। ବରିଷ୍ଠ ଓ କନିଷ୍ଠ ବିଭାଗରେ ପୂର୍ବରୁ ଅନୁଷ୍ଠିତ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ଏକ ସ୍ମରଣିକା ଓ ସମବାୟ ସମାଚାରକୁ ଅତିଥିମାନେ ଉନ୍ମୋଚନ କରିଥିଲେ।
ରାଜ୍ୟସ୍ତରୀୟ ସମବାୟ ସପ୍ତାହ: ସମବାୟ ଆନ୍ଦୋଳନକୁ ଘରେ ଘରେ ପହଞ୍ଚାଅ
ସୁଶାନ୍ତ କୁମାର ପଣ୍ଡାଙ୍କୁ ରମେଶ ଚନ୍ଦ୍ର କାନୁନଗୋ ସ୍ମୃତି ସମବାୟ ସମ୍ମାନ
/sambad/media/post_attachments/wp-content/uploads/2018/11/Untitled-15-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)