ରାଜ୍ୟସ୍ତରୀୟ ସଂସ୍କୃତ ଦିବସ: ପଣ୍ଡିତ ନିରଞ୍ଜନ ବ୍ରହ୍ମାଙ୍କୁ ଭାରତୀ ଭୂଷଣ ସମ୍ମାନ

ଭୁବନେଶ୍ବର: ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ ପକ୍ଷରୁ ଆଜି ରୋଟାରି ଭବନଠାରେ ରାଜ୍ୟସ୍ତରୀୟ ସଂସ୍କୃତ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବାଣୀଭୂଷଣ ପଣ୍ଡିତ ନିରଞ୍ଜନ ବ୍ରହ୍ମାଙ୍କୁ ଭାରତୀ ଭୂଷଣ ସମ୍ମାନ ପ୍ରଦାନ କରାଯାଇଛି। ସଂଘର ସଭାପତି ପ୍ରଫୁଲ୍ଲ କୁମାର ସାହୁଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଦେବୀପ୍ରସାଦ ମିଶ୍ର ଯୋଗଦେଇ କହିଲେ, ସଂସ୍କୃତ ବିନା ଭାଷାର ବିକାଶ ହୋଇପାରିବ ନାହିଁ। ବିଶିଷ୍ଟ ଅତିଥି ଭାବେ ବିଧାୟକ ଶଶିଭୂଷଣ ବେହେରା ଯୋଗଦେଇ ସଂସ୍କୃତି ରକ୍ଷା ପାଇଁ ସଂସ୍କୃତର ମୂଲ୍ୟବାନ ସନ୍ଦେଶ ଆମକୁ ପ୍ରେରଣା ଦେଉଛି ବୋଲି କହିଥିଲେ।

ସମ୍ମାନିତ ଅତିଥି ଭାବେ କବି ପଣ୍ଡିତ ଡ. ପ୍ରବୋଧ କୁମାର ମିଶ୍ର କହିଲେ, ଭାଷାଜ୍ଞାନ ବିନା ଶିକ୍ଷା ଅସମାପ୍ତ। ରାଜ୍ୟ ସରକାର ସଂସ୍କୃତ ଶିକ୍ଷାକୁ ଉପେକ୍ଷା ନ କରନ୍ତୁ ବୋଲି ପୁରୀ ସଂସ୍କୃତ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ହରିହର ହୋତା କହିଥିଲେ। ମୁଖ୍ୟବକ୍ତା ଭାବେ ଉତ୍କଳ ବିଶ୍ବବିଦ୍ୟାଳୟର ସଂସ୍କୃତ ବିଭାଗର ପ୍ରଫେସର୍‌ ସୁବାସ ଚନ୍ଦ୍ର ଦାସ ଯୋଗଦେଇ ବିଶ୍ବରେ ସଂସ୍କୃତର ଆଦର ଥିବା ବେଳେ ଓଡ଼ିଶାରେ ଏକପ୍ରକାର ଅବହେଳିତ ହୋଇଛି ବୋଲି କହି କ୍ଷୋଭ ପ୍ରକାଶ କରିଥିଲେ। ପଣ୍ଡିତ ନିରଞ୍ଜନ ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଚାଟାର୍ଡ ଆକାଉଣ୍ଟାଣ୍ଟ ସତ୍ୟରଜଂନ ନାୟକ, ନିର୍ମଳ ଚନ୍ଦ୍ର ମଲ୍ଲିକ, ପଣ୍ଡିତ ପ୍ରମୋଦ ତ୍ରିପାଠୀ, ଅଧ୍ୟାପକ ପବିତ୍ର ମିଶ୍ରଙ୍କ ସମେତ ବହୁ ବୁଦ୍ଧିଜୀବୀ ଓ ଶିକ୍ଷାବିତ୍ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର