ଚନ୍ଦ୍ରଶେଖରପୁର : ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ ସବୁଠାରେ ଗଢ଼ି ଉଠିଛି ଏସଏଚ୍ଜି ଗ୍ରୁପ୍। ଏହି ଗ୍ରୁପ୍ ସରକାରଙ୍କ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛି। ଏହାରି ମାଧ୍ୟମରେ ମହିଳାମାନେ ନିଜ ଆର୍ଥିକ ମେରୁଦଣ୍ଡକୁ ସୁଦୃଢ଼ କରିବାରେ ସଫଳ ହେଉଛନ୍ତି ବୋଲି କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ସଚିବ ସୌରଭ ଗର୍ଗ ପ୍ରକାଶ କରିଛନ୍ତି। ମଞ୍ଚେଶ୍ବର ରେଳ ପ୍ରେକ୍ଷାଳୟରେ ଓସାଫି ଓ ପିସିଜି ଦ୍ବାରା ଆୟୋଜିତ ରାଜ୍ୟସ୍ତରୀୟ ସ୍ବୟଂ ସହାୟକ ଗୋଷ୍ଠୀ ମମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ଗର୍ଗ ଏହା କହିଛନ୍ତି।
ଏହି ଅବସରରେ ‘ସ୍ଥାୟୀ ଜୀବିକା ଓ କୃଷି ନିମନ୍ତେ ମହିଳା ସଶକ୍ତୀକରଣ’ ଏବଂ ‘ଡିଜିଟାଇଜେସନ୍ ଦ୍ବାରା ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ତ୍ବରାନ୍ବିତ କରିବା’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ନିର୍ଦେଶକ ପି.କେ ବିଶ୍ବାଳ, ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଖ୍ୟ ପ୍ରବନ୍ଧକ ସୁନିଲ ଦାଶ, ନାବାର୍ଡ ମହାପ୍ରବନ୍ଧକ ଏ.ପି ଦାଶ, ସିଡ୍ବି ମୁଖ୍ୟ ପ୍ରବନ୍ଧକ ପ୍ରକାଶ କୁମାର, ପଦ୍ମଶ୍ରୀ ତୁଲସୀ ମୁଣ୍ଡା, ଓଡ଼ିଶା ଜୀବିକା ମିସନ୍ ପ୍ରକଳ୍ପ ନିର୍ଦେଶକ ଦେବାଶିଷ ମହାପାତ୍ର, ଓଡ଼ିଶା କୃଷି ବିଶ୍ବବିଦ୍ୟାଳୟ ଅଧ୍ୟାପକ ବିଭୂତି ଭୂଷଣ ମିଶ୍ର, ରାଜ୍ୟସ୍ତରୀୟ ବ୍ୟାଙ୍କର କମିଟି ମୁଖ୍ୟ କେ.ସି ଦାସ ଓ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଉପମହାପ୍ରବନ୍ଧକ ଅରୁଣ ଅଗ୍ରୱାଲ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସ୍ବୟଂ ସହାୟକ ଗୋଷ୍ଠୀ ମୁଖ୍ୟ ଓ ଉପଦେଷ୍ଟାମାନଙ୍କୁ ସ୍ବାବଲମ୍ବୀ ହେବା ନିମନ୍ତେ ଏକଜୁଟ ହୁଅ ବୋଲି ପରାମର୍ଶ ଦେଇଥିଲେ। ଏହି ଦିନିକିଆ ସମ୍ମିଳନୀରେ ପୃଥକ୍ ପୃଥକ୍ ଦୁଇଟି ଅଧିବେଶନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟର ବହୁ ଗ୍ରାମାଞ୍ଚଳରୁ ଏସ୍ଏଚ୍ଜି ଗ୍ରୁପ୍ ମହିଳାମାନେ ସାମିଲ ହୋଇଥିଲେ। ସେମାନଙ୍କ ମଧ୍ୟରୁ ମାଲକାନଗିରିର ଦମୟନ୍ତୀ ଦୁରିଆ ଓ ନୂଆପଡ଼ାର ଦେବକୀ ନାଗ ନିଜ ସଫଳତାର କାହାଣୀ ବଖାଣିଥିଲେ।