୧୪ରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ

ଯୋଗଦେବେ ୪,୫୦୦ ଛାତ୍ରଛାତ୍ରୀ, ହଜାରେ ଅଭିଭାବକ

ଭୁବନେଶ୍ୱର : ଆସନ୍ତା ୧୪ତାରିଖରେ ଶିଶୁ ଦିବସ ଅବସରରେ ୟୁନିଟ-୩ସ୍ଥିତ କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ପାଳନ ହେବ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେବେ। ଏ ନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆର୍‌.ବାଲକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଶେଷ ହୋଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ଶିଶୁ ମହୋତ୍ସବ ଆୟୋଜନ କରାଯାଉଥିଲେ ହେଁ ଏହାକୁ ସଫଳ କରିବା ପାଇଁ ବିଏମ୍‌ସି, ପୂର୍ତ୍ତ ବିଭାଗ, ସୂଚନା ଓ ଲୋକସମ୍ପର୍କ ବିଭାଗ, ବାଣିଜ୍ୟ ଓ ପରିବହନ ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଗୃହ ବିଭାଗକୁ ଭିନ୍ନ ଭିନ୍ନ ଦାୟିତ୍ୱ ଦିଆଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ନଭେମ୍ବର ୧୪ରେ ପୂର୍ବାହ୍ନ ୧୦ଟା ୩୦ରୁ ଅପରାହ୍ଣ ୧୨ଟା ୩୦ପର୍ଯ୍ୟନ୍ତ ଦୁଇ ଘଣ୍ଟା ପାଇଁ ଏହି କାର୍ଯ୍ୟକ୍ରମ ହେବାକୁ ଥିବାବେଳେ ଏଥିରେ ୪୫୦୦ଜଣ ଛାତ୍ରଛାତ୍ରୀ ଓ ଅଭିଭାବକ, ୨୦୦ଶିକ୍ଷକ, ୩୦୦ଅତିଥି ସାମିଲ୍‌ ହେବାର ଯୋଜନା ଅଛି। କେଉଁ ସ୍କୁଲରୁ କେତେ ଛାତ୍ରଛାତ୍ରୀ ଆସିବେ, ଛାତ୍ରଛାତ୍ରୀମାନେ ଯେପରି ବସ୍‌ରେ ନିରାପଦରେ ସ୍କୁଲରୁ ଆସିବେ ସେଥିପାଇଁ ଆଗୁଆ ଜଣାଇବାକୁ କୁହାଯାଇଛି। ସ୍କୁଲରୁ ଛାତ୍ରଛାତ୍ରୀ ଆଣିବା ଦାୟିତ୍ୱ ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଭୁବନେଶ୍ୱର ଆର୍‌ଟିଓଙ୍କୁ ଦିଆଯାଇଛି। ଛାତ୍ରଛାତ୍ରୀ ଆସିବାକୁ ଥିବା ବସ୍‌ରେ ବଡ ବ୍ୟାନର ଲାଗିବ। ଏଥିରେ ପିଲା କେଉଁ ସ୍କୁଲର ଆସୁଛନ୍ତି ତାହା ଲେଖାଯିବ। ପଡ଼ିଆକୁ ନଭେମ୍ବର ୯ସୁଦ୍ଧା ପ୍ରସ୍ତୁତ କରିବା, ପଡ଼ିଆର ପାଚେରିକୁ ରଙ୍ଗ କରିବା, ଚିତ୍ର ଆଙ୍କିବା, ଖାଇବା ପାଇଁ ସ୍ୱତନ୍ତ୍ର ସ୍ଥାନ, ସ୍ୱତନ୍ତ୍ର ଗେଟ୍‌ ନିର୍ମାଣ କରିବା, ନିୟନ୍ତ୍ରଣ କକ୍ଷ, ରାସ୍ତା ମରାମତି, ଆବଶ୍ୟକୀୟ ବିଦ୍ୟୁତ ଯୋଗାଣ କାର୍ଯ୍ୟ ପୂର୍ତ୍ତ ବିଭାଗକୁ ଦିଆଯାଇଛି। ପଡ଼ିଆରେ ଆଶୁ ଚିକିତ୍ସା ବ୍ୟବସ୍ଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଦିଆଯାଇଥିବାବେଳେ ଏହି କାର୍ଯ୍ୟକ୍ରମର ଯେପରି ବହୁଳ ପ୍ରଚାର ପ୍ରସାର ହେବ ଏବଂ ସମସ୍ତ ଟିଭିରେ ସିଧା ପ୍ରସାରଣ ହେବ ସେଥିପାଇଁ ସୂଚନା ଓ ଲୋକ ସମ୍ପର୍କ ବିଭାଗକୁ ଦାୟିତ୍ୱ ଦିଆଯାଇଛି। ବିପଦକାଳୀନ ମୁକାବିଲା ପାଇଁ ଗୃହ ବିଭାଗକୁ ଦାୟିତ୍ୱ ଦିଆଯାଇଥିବାବେଳେ ଏହାର ଡ୍ରାଏ ରନ୍‌ ୧୨ତାରିଖରେ କରିବାକୁ କୁହାଯାଇଛି। ପଡ଼ିଆରୁ ପ୍ରସ୍ଥାନ ପାଇଁ ତିନିଟି ପ୍ରଶସ୍ତ ଗେଟ୍‌ କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର