ରାଜ୍ୟସ୍ତରୀୟ ଷ୍ଟୁଡେଣ୍ଟ ପୁଲିସ କ୍ୟାଡେଟ୍‌ ଉଦ୍‌ଘାଟିତ

ଭୁବନେଶ୍ୱର: ଓଡ଼ିଶାରେ ‘ପୁଲିସ ଶିକ୍ଷାର୍ଥୀ ବାହିନୀ’ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଛି। ଏହାକୁ ଆଜି କ୍ୟାପିଟାଲ ହାଇସ୍କୁଲ ପରିସରରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିସନର ଉଦ୍‌ଘାଟନ କରିଛନ୍ତି। ସମାନ୍ତରାଳ ଭାବେ ରାଜ୍ୟର ୪୦ ସ୍କୁଲରେ ଏହା କାର୍ଯ୍ୟକ୍ଷମ ହୋଇଛି। ଏହାକୁ ଉଦ୍‌ଘାଟନ କରିବା ଅବସରରେ ଶ୍ରୀ ତ୍ରିପାଠୀ କହିଛନ୍ତି, ବର୍ତ୍ତମାନ ସ୍କୁଲଗୁଡ଼ିକ କେବଳ ଆଇଆଇଟି ଛାତ୍ରଛାତ୍ରୀ ତିଆରି ଫ୍ୟାକ୍ଟ୍ରି ହୋଇଛି। କିନ୍ତୁ ଏବେ ପାଠ ଛଡ଼ା ସୁନାଗରିକ, ଦାୟିତ୍ବବୋଧ, କର୍ତ୍ତବ୍ୟବୋଧ, ଆଇନକୁ ସମ୍ମାନ ଦେବା, ଶୃଙ୍ଖଳିତ ହେବା, ଅସହିଷ୍ଣୁତାକୁ ପ୍ରଶୟ ନ ଦେବା, ସାମାଜିକ ବ୍ୟାଧି ବିରୋଧରେ ନିଜକୁ ପ୍ରସ୍ତୁତ କରିବା ଓ ପରିବେଶ ପ୍ରତି ସଚେତନ ହେବା ଆଦି ବିଷୟରେ ଗୁରୁତ୍ବ ଦେବାର ସମୟ ଆସିଛି। ଠିକ୍‌ ସମୟରେ ଛାତ୍ରଛାତ୍ରୀଙ୍କୁ ଉଚିତ୍‌ ପଥ ପ୍ରଦର୍ଶନ କରାନଗଲେ ସେମାନେ କମ୍‌ ବୟସରେ ବେଆଇନ କାର୍ଯ୍ୟରେ ଲିପ୍ତ ହୋଇ ଯାଉଛନ୍ତି। ଏଣୁ ପିଲାମାନେ ଏହି ବ୍ୟବସ୍ଥାରେ ରହି ନିଜକୁ ଶୃଙ୍ଖଳିତ କରିବାକୁ ଉଦ୍ୟମ କରିବେ। ରାଜ୍ୟରେ ୭ ହଜାର ହାଇସ୍କୁଲରେ ପାଖାପାଖି ୭୦ଲକ୍ଷ ଛାତ୍ରଛାତ୍ରୀ ଅଛନ୍ତି। ଆଜି କେବଳ ୪୦ ବିଦ୍ୟାଳୟରୁ ୪୪(୨୨ ଛାତ୍ର ୨୨ ଛାତ୍ରୀ)ଜଣଙ୍କୁ ପ୍ରଶିକ୍ଷଣ ଦେବା ସମୁଦ୍ରକୁ ଶଙ୍ଖେ ଭଳି। ୭୦ଲକ୍ଷ ଛାତ୍ରଛାତ୍ରୀଙ୍କୁ ସାମିଲ କରାଯାଇ ଶୃଙ୍ଖଳିତ ତଥା ସୁନାଗରିକ ଭାବରେ ଗଢ଼ା ଯାଇପାରିଲେ ଏହି କାର୍ଯ୍ୟକ୍ରମ ସଫଳ ହେବ ବୋଲି ସେ କହିଛନ୍ତି। ଡିଜି ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ଅନ୍ୟତମ ଅତିଥି ଭା‌ବେ ଯୋଗଦେଇ ଏହା କେବଳ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦାୟିତ୍ବବୋଧ, କର୍ତ୍ତବ୍ୟବୋଧ ବା ଦେଶପ୍ରେମ ଭାବନା ଜାଗ୍ରତ କରିବ ନାହିଁ, ବରଂ ପୁଲିସର କଠିନ କାର୍ଯ୍ୟ ବ୍ୟବସ୍ଥା ଓ ନିୟମ କାନୁନ ବାବଦରେ ସଚେତନ କରାଇବ। ଏହି ବ୍ୟବସ୍ଥା ଛାତ୍ରଛାତ୍ରୀମାନଙ୍କୁ ଶୃଙ୍ଖଳିତ କରିବ। ପୁଲିସ କମିସନର ସତ୍ୟଜିତ ମହାନ୍ତି କହିଲେ, ଏହି ବ୍ୟବସ୍ଥାରେ ଛାତ୍ରଛାତ୍ରୀମାନେ କିଭଳି ଶୃଙ୍ଖଳିତ ହୋଇପାରିବେ ଏବଂ ପୁଲିସକୁ ଆହୁରି ପାଖରେ ଦେଖି ପାରିବେ, ତାହା ବର୍ଣ୍ଣନା କରିଥିଲେ। କ୍ୟାପିଟାଲ ହାଇସ୍କୁଲକୁ ଏହି ବ୍ୟବସ୍ଥାରେ ଚୟନ କରାଯାଇଥିବା ଏବଂ ଅନ୍ୟ କୋତୋଟି ବିକଶିତ ହାତଗଣତି ରାଜ୍ୟ ସହ ଓଡ଼ିଶା ଏହି ବ୍ୟବସ୍ଥାକୁ ଆପଣାଇଥିବାରୁ ପ୍ରଧାନ ଶିକ୍ଷୟତ୍ରୀ ସୋନାମିକା ରାୟ ରାଜ୍ୟ ସରକାର ତଥା ପୁଲିସ ବିଭାଗକୁ କୃତଜ୍ଞତା ଜ୍ଞାପନ କରିଛନ୍ତି।
ଏହି ବ୍ୟବସ୍ଥା କାର୍ଯ୍ୟକ୍ଷମ ହୋଇଥିବା ୪୦ ସ୍କୁଲ ମଧ୍ୟରୁ ୩୩ଟି ରାଜ୍ୟ ଓ ୭ଟି କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ସ୍କୁଲ ରହିଛି। ଏଥିପାଇଁ ସର୍ବଭାରତୀୟସ୍ତରରେ ବ୍ୟୁରୋ ଅଫ୍‌ ପୁଲିସ୍‌ ରିସର୍ଚ୍ଚ ଆଣ୍ଡ ଆଡ୍‌ମିନିଷ୍ଟ୍ରେସନ୍‌ ଏକ ପାଠ୍ୟକ୍ରମ ପ୍ରସ୍ତୁତ କରିଛି। ଅଷ୍ଟମ ଓ ନବମ ଶ୍ରେଣୀ ପାଇଁ ଏହି ଦୁଇବର୍ଷିଆ କାର୍ଯ୍ୟକ୍ରମ ରହିଛି। ସେମାନେ ସପ୍ତାହରେ ଦୁଇଟି କ୍ଲାସ୍‌ କରିବେ। ଇନ୍‌ଡୋର ସହ ଆଉଟ୍‌ଡୋରରେ ଏହି ଛାତ୍ରଛାତ୍ରୀମାନେ ପୁଲିସ ପୋଷାକ ସହ ଟୋପି ପିନ୍ଧି ପ୍ରଶିକ୍ଷଣ ପାଇବେ। ପୁଲିସ ମୁଖ୍ୟାଳୟ ସହ ବିଭିନ୍ନ ଥାନା ବୁଲିବା ସହ ନିୟମ କାନୁନ ସମ୍ବନ୍ଧରେ ଅବଗତ ହେବେ। ୪୦ଟି ବିଦ୍ୟାଳୟ ମଧ୍ୟରେ ସମସ୍ତ ଜିଲ୍ଲାରୁ ବଛା ବଛା ହାଇସ୍କୁଲକୁ ସାମିଲ କରାଯାଇଛି। କୋର୍ସ ସରିବା ପରେ ସେମାନଙ୍କୁ ପ୍ରମାଣପତ୍ର ମିଳିବ। କିନ୍ତୁ ଏନ୍‌ସିସି ଭଳି ଏହା ପୁଲିସ କିମ୍ବା ଅନ୍ୟ ଚାକିରିରେ କୌଣସି ସାହାଯ୍ୟ କରିବ ନାହିଁ।

ସମ୍ବନ୍ଧିତ ଖବର