ଭୁବନେଶ୍ୱର: ହେତୁବାଦୀ ଓ ମାନବବାଦୀମାନଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀ ରବିବାର ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଅଛି। ମାନବବାଦୀ ହେତୁବାଦୀ ସଂଗଠନ ପକ୍ଷରୁ ସ୍ଥାନୀୟ ନେତାଜୀ ଭବନ ଠରେ ଆୟୋଜିତ ଏହି ସମ୍ମିଳନୀରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଶତାଧିକ ହେତୁବାଦୀ ଓ ମାନବବାଦୀ ଯୋଗଦେଇଥିଲେ। ବିଶିଷ୍ଟ ହେତୁବାଦୀ ଗଙ୍ଗାଧର ସାହୁ, ମହମ୍ମଦ ଶୁକୃ ଓ ଡଃ ବିଧୁପ୍ରଭା ରଥଙ୍କୁ ନେଇ ଗଠିତ ସଭାପତି ମଣ୍ଡଳୀର ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି ସମ୍ମିଳନୀରେ ଡଃ ଧନେଶ୍ୱର ସାହୁ ସ୍ଵାଗତ ଭାଷଣ ଦେଇଥିଲେ।
କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ପ୍ରଫେସର ବିଜୟ ବହିଦାର ସମାଜରେ ରହିଥିବା ବିଭିନ୍ନ ଅନ୍ଧବିଶ୍ୱାସ, କୁସଂସ୍କାର ଓ ସାମ୍ପ୍ରଦାୟିକତା ବିରୁଦ୍ଧରେ ବୈଜ୍ଞାନିକ ମନୋଭାବ ଓ ଧର୍ମନିରପେକ୍ଷ ବିଚାରର ପ୍ରଚାର ପ୍ରସାରରେ ହେତୁବାଦୀମାନଙ୍କ ବଡ ଭୂମିକା ରହିଛି ବୋଲି କହିଥିଲେ। ଅତଏବ ରାଜ୍ୟରେ ଜାତିବାଦ, ଲିଙ୍ଗଗତ ଭେଦଭାବ ଓ କୁସଂସ୍କାର ବିରୁଦ୍ଧରେ ହେତୁବାଦୀମାନଙ୍କ ଲଢେଇ ଆହୁରି ବ୍ୟାପକ କରିବାକୁ ସେ ଆହ୍ବାନ ଦେଇଥିଲେ । ଅନ୍ୟତମ ବକ୍ତା ଭାବେ ଯୋଗଦେଇ ଅବସରପ୍ରାପ୍ତ ପ୍ରଫେସର ବିରେନ୍ଦ୍ର ନାୟକ ଦେଶରେ ସମ୍ବିଧାନର ବିପରୀତ ସରକାରୀ ଭାବେ କିପରି ଅନ୍ଧବିଶ୍ୱାସ କୁସଂସ୍କାରକୁ ବଢାଯାଉଛି ତାର ଉଲ୍ଲେଖ କରିଥିଲେ। ସଂଗଠନର ସମ୍ପାଦିକା ବାସନ୍ତୀ ଆଚାର୍ଯ୍ୟ ନିଜର ସମ୍ପାଦକୀୟ ବିବରଣୀ ଉପସ୍ଥାପିତ କରି ରାଜ୍ୟରେ ସଂଗଠନ କିପରି ଗୁଣିଗାରେଡି ଅନ୍ଧବିଶ୍ୱାସ ଓ କୁସଂସ୍କାର ସହ ରକ୍ତଦାନ, ଅଙ୍ଗଦାନ ଓ ଶରୀର ଦାନ ଅଭିଯାନ ଚଳାଇଛି, ତା'ର ଉଲ୍ଲେଖ କରିଥିଲେ । ହେତୁବାଦୀମାନଙ୍କ ଉଦ୍ୟମରେ ଗତ କିଛିବର୍ଷ ମଧ୍ୟରେ ଅନେକ ଜାତି,ଜାତକ, ଯୈାତୁକ ଓ କର୍ମକାଣ୍ଡ ବିହୀନ ବାହାଘରର କିପରି ଆୟୋଜନ କରାଯାଇଛି, ତା'ର ଅବତାରଣା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରିୟଦର୍ଶିନୀ ବିଶ୍ଵାଳ, ହିମାଂଶୁ ନାୟକ, ବିନୋଦ ସାହୁ, ମନୋରଞ୍ଜନ ସାହୁ, ପ୍ରଦୀପ ମହାନନ୍ଦ, ସାଗର ନାୟକ, ଅର୍ଜୁନ ସାମନ୍ତରାୟ, ଇ ତେଜଶ୍ଵର ରାଓ, ଅରବିନ୍ଦ, କିଶୋର ଚନ୍ଦ୍ର ମିଶ୍ର ପ୍ରମୁଖ ହେତୁବାଦୀ ନିଜ ନିଜର ମତ ରଖି ରାଜ୍ୟରେ ଆଗାମୀ ଦିନରେ ହେତୁବାଦୀ ଆନ୍ଦୋଳନକୁ କିଭଳି ଶକ୍ତିଶାଳୀ କରାଯିବ ସେ ସମ୍ପର୍କରେ ନିଜ ନିଜର ମତାମତ ରଖିଥିଲେ। ସମ୍ମିଳନୀର ଶେଷରେ ଆଗାମୀ ଦିନ ପାଇଁ ସଂଗଠନର ଏକ ୧୩ ଜଣିଆ କାର୍ଯ୍ୟକାରୀ କମିଟି ଓ କର୍ମକର୍ତ୍ତା ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା । ଏଥିରେ ସଭାପତି ଭାବେ ଗଙ୍ଗାଧର ସାହୁ, ଉପସଭାପତି ଭାବେ ଇ.ଟି. ରାଓ, ସମ୍ପାଦିକା ଭାବେ ବାସନ୍ତୀ ଆଚାର୍ଯ୍ୟ, ସହ ସମ୍ପାଦକ ଭାବେ ରାକେଶ କାନୁନଗୋ ଏବଂ କୋଷାଧ୍ୟକ୍ଷ ଭାବେ ଡି ମୋହନ ରାଓ ନିର୍ବାଚିତ ହୋଇଥିଲେ।