ରାଜ୍ୟସ୍ତରୀୟ ବିଶ୍ବ ସ୍ବାସ୍ଥ୍ୟ ଦିବସ: ଜୈବବିବିଧତାର ସୁରକ୍ଷା ପାଇଁ ନିଷ୍ଠାପର ଉଦ୍ୟମ ଲୋଡ଼ା

ଭୁବନେଶ୍ବର: ପୃଥିବୀର ଜୈବବିବିଧତା ଏବେ ଦ୍ରୁତ ଗତିରେ ଅବକ୍ଷୟ ହେବାକୁ ଲାଗିଲାଣି। ଏହାର ସୁରକ୍ଷା ନିମନ୍ତେ ପ୍ରତ୍ୟେକ ସ୍ତରରେ ନିଷ୍ଠାପର ଉଦ୍ୟମ ଲୋଡ଼ା। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଗୀତଗୋବିନ୍ଦ ସଦନଠାରେ ଆୟୋଜିତ ରାଜ୍ୟସ୍ତରୀୟ ବିଶ୍ବ ସ୍ବାସ୍ଥ୍ୟ ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଭାଗର ସ୍ବତନ୍ତ୍ର ସଚିବ ଡା. ଅଜିତ୍ କୁମାର ମହାନ୍ତି ଏହା କହିଛନ୍ତି। ଆମ ଜଳ, ବାୟୁ ଓ ଖାଦ୍ୟକୁ ଭବିଷ୍ୟତପିଢ଼ିଙ୍କ ପାଇଁ ଗଚ୍ଛିତ ରଖିବା ପାଇଁ ପଡ଼ିବ। ଏହାସହ ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟାକୁ ସହ୍ୟ କରିବାକୁ ହେଲେ ରୋଗ ପ୍ରତିରୋଧକୁ ଅଧିକ ଗୁରୁତ୍ବ ଦେବା ଓ ନିରାମୟତା ବଜାୟ ରଖିବାକୁ ସୁଷମ ଖାଦ୍ୟ, ଶୁଦ୍ଧ ପାନୀୟ ଜଳ, ଯୋଗ ପ୍ରାଣାୟମ ଭଳି ସୁସ୍ଥ ଜୀବନ ଶୈଳୀ ଆପଣାଇବା ଦରକାର ବୋଲି ଡା. ମହାନ୍ତି କହିଛନ୍ତି।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବିଭାଗର ସ୍ବତନ୍ତ୍ର ସଚିବ (ମେଡିକାଲ ସର୍ଭିସେସ୍) ଡା. ଦୀନବନ୍ଧୁ ପଣ୍ଡା, ଭାରତ ସରକାରଙ୍କ ବରିଷ୍ଠ ଆଞ୍ଚଳିକ ନିର୍ଦ୍ଦେଶକ ଡା. ଏସ୍.କେ କର, ସ୍ବାସ୍ଥ୍ୟସେବା ନିର୍ଦ୍ଦେଶକ ବିଜୟ କୁମାର ମହାପାତ୍ର, କିମ୍‌ସର ଉପକୁଳପତି ସିବିକେ ମହାନ୍ତି, ଆୟୁଷ ବିଭାଗ ନିର୍ଦ୍ଦେଶକ ବିଜୟ କୁମାର ମହାପାତ୍ର, ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଓଡ଼ିଶା ଶାଖା ମୁଖ୍ୟ ନିହାର ରାୟ ପ୍ରମୁଖ ଅତିଥି ଭାବେ ଯୋଗଦେଇ ‘ଆମ ପୃଥିବୀ-ଆମ ସ୍ବାସ୍ଥ୍ୟ’ ଶୀର୍ଷକ ଉପରେ ଆଲୋଚନା କରିଥିଲେ। ଏସ୍ଆଇଏଚ୍ଏଫଡବ୍ଲ୍ୟୁର ନିର୍ଦ୍ଦେଶକ ଡା. ଅମରେନ୍ଦ୍ର ନାଥ ମହାନ୍ତି ଧନ୍ୟବାଦ ଦେଇଥିଲେ।

କାର୍ଯ୍ୟକ୍ରମର ଦ୍ବିତୀୟ ଭାଗରେ ଏକ ବୈଷୟିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ଭାରତୀୟ ପାଣିପାଗ ବିଭାଗର ଆଞ୍ଚଳିକ ପ୍ରତିଷ୍ଠାନ ନିର୍ଦ୍ଦେଶକ ହବିବୁର ରେହମାନ୍ ବିଶ୍ବାସ, ଆଇଆଇପିଏଚ୍ ନିର୍ଦ୍ଦେଶକ ଶ୍ରୀଧର କଦମ୍, ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର, ୟୁନିସେଫ୍ ପ୍ରତିନିଧି ମୀନା ସୋମ୍ ଅଂଶଗ୍ରହଣ କରି ଜଳବାୟୁର ପରିବର୍ତ୍ତନ, ମନୁଷ୍ୟ ଜୀବନ ଉପରେ କି’ କି’ ନକାରାତ୍ମକ ପ୍ରଭାବ ପକାଉଛି, ଏହାକୁ କିପରି ନିୟନ୍ତ୍ରଣ କରାଯାଇ ପାରିବ, ସେନେଇ ଆଲୋଚନା କରିଥିଲେ। ଏହି ଅଧିବେଶନକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ବତନ୍ତ୍ର ସଚିବ ଅଜିତ୍ କୁମାର ମହାନ୍ତି ଓ ଦୀନବନ୍ଧୁ ପଣ୍ଡା ପରିଚାଳନା କରିଥିବା ବେଳେ ଓଡ଼ିଶା ସ୍ବାସ୍ଥ୍ୟ ସେବା ନିର୍ଦ୍ଦେଶକ ବିଜୟ ମହାପାତ୍ର ଅଧିବେଶନର ସାରାଂଶା ଉପରେ ଆଲୋଚନା କରିଥିଲେ। ଏସ୍ଆଇଏଚ୍ଏଫଡବ୍ଲ୍ୟୁର ଅତିରିକ୍ତ ନିର୍ଦ୍ଦେଶକ ପ୍ରଦୀପ କୁମାର ପାଢ଼ୀ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର