ଭୁବନେଶ୍ବର: ସ୍ତନ୍ୟପାନ ଯୋଗୁଁ ଶିଶୁ ମା’ର ହୃଦୟର ଆହୁରି ନିକଟତର ହୋଇଥାଏ। ଏହାଦ୍ବାରା ଉଭୟ ମା’ ଓ ଶିଶୁର ସ୍ୱାସ୍ଥ୍ୟ ଭଲ ରହିବ ସେ ବୋଲି ମତ ପ୍ରକାଶ କରିଥିଲେ। ସ୍ତନ୍ୟପାନ ଦ୍ୱାରା ମହିଳାଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ସ୍ତନ୍ୟ ଓ ଡିମ୍ବାଶୟ କର୍କଟ ଭଳି ଭୟଙ୍କର ରୋଗକୁ ବହୁ ମାତ୍ରାରେ ଏଡ଼ାଯାଇପାରିବ। ଶିଶୁର ପ୍ରାରମ୍ଭିକ ୬ ମାସର ନିରନ୍ତର ସ୍ତନ୍ୟପାନ ଉଭୟ ମା’ ଓ ଶିଶୁର ମାନସିକ ସ୍ୱାସ୍ଥ୍ୟ ଉପରେ ସକାରାତ୍ମକ ପ୍ରଭାବ ପକେଇଥାଏ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ। ଆଜି ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଲୋକସେବା ଭବନ ସମ୍ମିଳନୀ କେନ୍ଦ୍ରରେ ‘ରାଜ୍ୟସ୍ତରୀୟ ବିଶ୍ୱ ସ୍ତନ୍ୟପାନ ସପ୍ତାହ-୨୦୨୫’ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀମତୀ ପରିଡ଼ା ଏହା କହିଛନ୍ତି। ଏଥିସହ ସେ ସ୍ତନ୍ୟପାନ ଦ୍ୱାରା ଆଗାମୀ ଦିନରେ ଓଡ଼ିଶାରେ ସ୍ତନ୍ୟପାନର ହାର ବୃଦ୍ଧି କରିବାକୁ ସେ ଆହ୍ୱାନ ଦେଇଥିଲେ। ଏହି ଅବସରରେ ଆଭାସୀ ମାଧ୍ୟମରେ ଓଡ଼ିଶା ରାଜ୍ୟ ମହିଳା ଆୟୋଗର କାର୍ଯ୍ୟାଳୟରେ ଏକ ‘ଶିଶୁ ସ୍ତନ୍ୟପାନ କକ୍ଷ’ ଉଦ୍‌ଘାଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସହକାରୀ ନିର୍ଦ୍ଦେଶିକ ଆଦିତ୍ୟ ମହାପାତ୍ର ଓ ୟୁନିସେଫ୍‌ର ପୋଷଣ ବିଶେଷଜ୍ଞ ସୌରଭ ଭଟ୍ଟାଚାର୍ଯ୍ୟ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ବିଭାଗୀୟ ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସହ ଅତିରିକ୍ତ ସଚିବ ସ୍ୱୟଂପ୍ରଭା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Advertisment

କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ‘ଲୋକ କଲ୍ୟାଣ’ ଅନଲାଇନ ୱେବ୍ ଲିଙ୍କ୍‌ ଫର୍ମ ଲୋକାର୍ପଣ କରିଥିଲେ। ଏହି ୱେବ୍ ଲିଙ୍କ୍‌ ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ଓଡ଼ିଶା ରାଜ୍ୟ ସାମାଜିକ କଲ୍ୟାଣ ବୋର୍ଡ ଦ୍ୱାରା ପରିଚାଳିତ ହେବ। ଏହି ପଞ୍ଜୀକରଣ ମାଧ୍ୟମରେ ଓଡ଼ିଶା ରାଜ୍ୟ ସାମାଜିକ କଲ୍ୟାଣ ବୋର୍ଡ ଏକ ସକ୍ରିୟ ଏନ୍‌ଜିଓ ଡାଟାବେସ୍‌ ପ୍ରସ୍ତୁତ କରିବ ବୋଲି କୁହାଯାଇଛି।