ବିଶ୍ବ ମ୍ୟାଲେରିଆ ଦିବସରେ ରାଜ୍ୟସ୍ତରୀୟ ସମାରୋହ

ଭୁବନେଶ୍ବର: ୨୦୩୦ ସୁଦ୍ଧା ଦେଶକୁ ମ୍ୟାଲେରିଆ ମୁକ୍ତ କରିବା ଲାଗି ଲକ୍ଷ୍ୟ ରହିଛି। ରାଜ୍ୟରେ ମ୍ୟାଲେରିଆ ରୋଗର ପ୍ରକୋପ, ରୋଗର ଗତିବିଧି, ନିରାକରଣ ପନ୍ଥା ସଂପର୍କରେ ତର୍ଜମା କରିବାର ସମୟ ଆସିଛି ବୋଲି ବିଶ୍ବ ମ୍ୟାଲେରିଆ ଦିବସ ଅବସରରେ କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ।

ଜୟଦେବ ଭବନରେ ଆଜି ରାଜ୍ୟସ୍ତରୀୟ ବିଶ୍ବ ବିଶ୍ବ ମ୍ୟାଲେରିଆ ଦିବସ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଦାସ କହିଥିଲେ ଯେ ୨୦୧୬ ମସିହାରୁ ୨୦୨୧ ଭିତରେ ରାଜ୍ୟରେ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ୯୪ ପ୍ରତିଶତ ହ୍ରାସ ପାଇଛି। ତଥାପି ଏହା ରାଜ୍ୟ ପାଇଁ ଏକ ମୁଖ୍ୟ ଜନସ୍ବାସ୍ଥ୍ୟ ସମସ୍ୟା ହୋଇ ରହିଛି। ମ୍ୟାଲେରିଆ ନିରାକରଣ ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଓ ଅନ୍ୟ ଜାତୀୟ ଓ ଅନ୍ତର୍ଜାତୀୟ ସଂସ୍ଥାମାନଙ୍କ ଦ୍ବାରା ଓଡ଼ିଶା ସରକାର ପ୍ରଶଂସିତ ହୋଇଥିବା ଶ୍ରୀ ଦାସ କହିଥିଲେ।

ମିଳିଥିବା ସୂଚନା ଅନୁସାରେ, ୨୦୨୦/୨୧ରେ ରାଜ୍ୟରେ ୧କୋଟି ୫୬ଲକ୍ଷ ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରି ବଣ୍ଟନ କରାଯାଇଛି। ଫଳରେ ମ୍ୟାଲେରିଆରେ ଆକ୍ରାନ୍ତ ଭୟଥିବା ଲୋକଙ୍କୁ ସୁରକ୍ଷା ଦିଆଯାଇପାରିଛି। କୀଟନାଶକ ମଶାରି ବଣ୍ଟନର ପରିଚାଳନା ଓ ମଶାରି ବ୍ୟବହାର ସଂପର୍କରେ ଲୋକମାନଙ୍କ ଭିତରେ ସଚେତନତା ସୃ‌ଷ୍ଟି ପାଇଁ ଆଶା ଓ ଗାଁ କଲ୍ୟାଣ ସମିତି ସଦସ୍ୟମାନଙ୍କ ପ୍ରମୁଖ ଭୂମିକା ରହିଛି। ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ବା ଦମନ କାର୍ଯ୍ୟକ୍ରମ ରାଜ୍ୟର ୨୪ଟି ଜିଲ୍ଲାରେ କାର୍ଯ୍ୟକାରୀ ହେଉଛି। ଲକ୍ଷଣବିହୀନ ଓ ଲକ୍ଷଣଥିବା ସମସ୍ତ ମ୍ୟାଲେରିଆ ରୋଗୀଙ୍କୁ ଖୋଜି ବାହାର କରିବା ସହିତ ଅପପୁଷ୍ଟିରେ ଆକ୍ରାନ୍ତ ପିଲାଙ୍କ ଚିହ୍ନଟ, ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ଉପଚାର ଯୋଗାଇ ଦିଆଯାଇଛି।

ରାଜ୍ୟସ୍ତରୀୟ ସମାରୋହରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆ‌ରକେ ଶର୍ମା, ଜାତୀୟ ସ୍ବାସ୍ଥ୍ୟ ମିସନର ପରିଚାଳନା ନିର୍ଦେଶିକା ଶାଳିନୀ ପଣ୍ଡିତ, ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦେଶିକା ଯାମିନୀ ଷଡ଼ଙ୍ଗୀ, ଜନସ୍ବାସ୍ଥ୍ୟ ନିର୍ଦେଶକ ଡା.ନିରଞ୍ଜନ ମିଶ୍ର, ବିଭାଗୀୟ ସ୍ବତନ୍ତ୍ର ସଚିବ ଡା.ଅଜିତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ସ୍ବାସ୍ଥ୍ୟସେବା ନିର୍ଦେଶକ ଡା.ବିଜୟ ମହାପାତ୍ର ସ୍ବାଗତ ଭାଷଣ ଦେଇଥିବା ବେଳେ ପରିବାର କଲ୍ୟାର ପ୍ରତିଷ୍ଠାନର ନିର୍ଦେଶକ ଡା.ଅମରେନ୍ଦ୍ର ନାଥ ମହାନ୍ତି ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର