ମହିଳା ହିଂସାର ପ୍ରତିବାଦ ପାଇଁ ଯୁବପିଢ଼ି ଆଗେଇ ଆସନ୍ତୁ

ରାଜ୍ୟସ୍ତରୀୟ ଯୁବ ସମ୍ମିଳନୀ ‘ଆଓ୍ଵାଜ ଦୋ’ ଉଦ୍‌ଘାଟିତ

ଭୁବନେଶ୍ୱର : ଗୋଟିଏ ପଟେ ଆମ ଦେଶର ଅର୍ଥନୈତିକ ଅବସ୍ଥାର ଅଭିବୃଦ୍ଧି ଘଟୁଥିବା ବେଳେ ଅନ୍ୟପକ୍ଷରେ ଘରୋଇ ହିଂସା, ଯୌନ ନିର୍ଯାତନା, କର୍ମକ୍ଷେତ୍ରରେ ହିଂସା, ଡାହାଣୀ ସନ୍ଦେହରେ ମହିଳାଙ୍କୁ ହତ୍ୟା ପରି ଅପରାଧ ଘଟିଚାଲିଛି। ମହିଳାଙ୍କ ବିରୋଧରେ ହିଂସାକୁ ରୋକିବା ଲାଗି ସଚେତନତା ଓ ଦୃଢ ପ୍ରତିବାଦ ଲୋଡ଼ା। ଅନ୍ତର୍ଜାତୀୟ ମହିଳା ହିଂସା ବିରୋଧୀ ଦିବସ ଅବସରରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ସୋସିଆଲ ଡେଭଲପମେଣ୍ଟ୍‌(ଆଇସିଡି) ଓ ଉତ୍କଳ ବିଶ୍ୱବିଦ୍ୟାଳୟ ସହାୟତାରେ ଇଡକଲ୍‌ ଅଡିଟୋରିୟରେ ଆୟୋଜିତ ପଞ୍ଚମ ରାଜ୍ୟସ୍ତରୀୟ ଯୁବ ସମ୍ମିଳନୀ ‘ଆଓ୍ଵାଜ ଦୋ’ରେ ଏପରି ମତପ୍ରକାଶ ପାଇଛି।

ଅତିଥି ଭାବେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଖୋର୍ଦ୍ଧା ଜିଲ୍ଲାପାଳ ନିର୍ମଳଚନ୍ଦ୍ର ମିଶ୍ର, ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ, ଆୟକର କମିସନର ଶରତ କୁମାର ଦାଶ ପ୍ରମୁଖ ଯୋଗ ଦେଇ ମହିଳାଙ୍କ ବିରୋଧରେ ହିଂସା ରୋକିବା ଲାଗି ଆହ୍ଵାନ ଦେଇଥିଲେ। ଅନୁଷ୍ଠାନ ପକ୍ଷରୁ ଶ୍ରୀ ସୋମ୍‌ ଓ ବିକ୍ରମ କେଶରୀ ମହାପାତ୍ରଙ୍କୁ ଯୁବ ସାଥୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଆଇଏସ୍‌ଡିର ନିର୍ଦେଶିକା ଶୁଭଶ୍ରୀ ଦାସ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ସଭାପତି ନିବେଦିତା ପଟ୍ଟନାୟକ ସ୍ୱାଗତ ଭାଷଣ ଓ ଉତ୍କଳ ବିଶ୍ୱବିଦ୍ୟାଳୟ ଏନ୍‌ଏସ୍‌ଏସ୍‌ ସଂଯୋଜକ ମନୋରଞ୍ଜନ ମହାନ୍ତି ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର