ରାଜ୍ୟ ଗ୍ରନ୍ଥାଗାରରେ ଅବ୍ୟବସ୍ଥା: କରୋନା ଆଳରେ ନିୟମ ପରିବର୍ତ୍ତନ; ପଢ଼ିବା ପାଇଁ ଆସି ଯୁବକଯୁବତୀ ନିରାଶ

ହୋଇପାରୁନି ନୂଆ କାର୍ଡ, ରହୁନି ବହିର ତଥ୍ୟ

ଭୁବନେଶ୍ବର : ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ପରିକଳ୍ପନାରେ ୧୯୫୯ ମସିହାରେ ରାଜଧାନୀରେ ଗ୍ରନ୍ଥାଗାର ପ୍ରତିଷ୍ଠା କରାଯାଇଥିଲା। ୧୯୬୭ ମସିହାରେ ଏହାକୁ ‘ଗାନ୍ଧୀଭବନ’ ନାମରେ ନାମିତ କରାଯାଇଥିଲା। ପରେ ଏହାକୁ ୧୮୯୭ ମସିହାରେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ନାମରେ ନାମିତ କରାଗଲା। ଗନ୍ଥାଗାରର ମୁଖ୍ୟ ଲକ୍ଷ୍ୟ ଥିଲା ପାଠପଢ଼ା ପରେ ଯୁବକ ଯୁବତୀମାନଙ୍କୁ ବିଭିନ୍ନ ପ୍ରତିଯୋଗିତା ପରୀକ୍ଷା ଲାଗି ପ୍ରସ୍ତୁତ ହେବାପାଇଁ ସୁଯୋଗ ଦେବା। ସେହି ଅନୁସାରେ ହଜାର ହଜାର ସଂଖ୍ୟାର ବହି ରଖାଗଲା। କିରାଣି ପରୀକ୍ଷା ଠାରୁ ଆରମ୍ଭ କରି ଇଂଜିନିୟରିଂ, ମେଡିକାଲ, ପ୍ରଶାସନିକ ସେବାରେ ଚାକିରି କରିବାକୁ ଆଶାୟୀ ମାନେ ଏଠାରୁ ଆସୁଛନ୍ତି। କରୋନା ଆସିବା ପୂର୍ବରୁ ଏହା ସକାଳ ୮ଟାରୁ ରାତି ୮ଟା ଯାଏ ଖୋଲାରହୁଥିଲା। ମାତ୍ର କରୋନାର ଆଳ ଦେଖାଇ ଏହାର ସମୟ କମାଇ ଦିଆଯାଇଛି। ସେହିପରି ନିୟମ ଅନୁସାରେ ପ୍ରତି ୨ବର୍ଷରେ ନୂଆ କାର୍ଡ ହେବାର ନିୟମ ରହିଛି ମାତ୍ର ଏହାକୁ କରୋନା ଆଳ ଦେଖାଇ ବନ୍ଦ ରଖାଯାଇଛି। ପ୍ରତିବର୍ଷ ନୂଆ ବହି କିଣାଯିବାର ନିୟମ ରହିଛି। ଏଥିରେ ପିଲାଙ୍କର ଚାହିଦା ଥିବା ବହି କିଣିବାର ବ୍ୟବସ୍ଥା ଥିଲେ ହେଁ ଏହା କରାଯାଉନଥିବା ଅଭିଯୋଗ ଆସିଛି।

ନିୟମ ଅନୁସାରେ ଗ୍ରନ୍ଥାଗାର ପ୍ରତିଦିନ୨ଟି ସିଫ୍ଟରେ ଖୋଲାଯିବା କଥା। ସକାଳ ୮ଟାରୁ ଅପରାହ୍ନ ୨ଟା ଯାଏ ଏବଂ ୨ଟାରୁ ରାତି ୮ଟା ଯାଏ ଖୋଲିବାର ବ୍ୟବସ୍ଥା ରହିଛି। କେବଳ ମାସର ଦ୍ବିତୀୟ ଶନିବାର ସକାଳ ୧୦ଟାରୁ ସଂଧ୍ୟା ୫ଟା ଯାଏ ଖୋଲାଯିବାର ବ୍ୟବସ୍ଥା ଥିବା ବେଳେ ସୋମବାର ଦିନ ସାପ୍ତାହିକ ଛୁଟିର ବ୍ୟବସ୍ଥା ରହିଛି। ଏସବୁ ତଥ୍ୟ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ୱେବ୍‌ସାଇଟ୍‌ରେ ରହିଛି। ମାତ୍ର କରୋନା ମହାମାରୀ ଠାରୁ ସବୁ ନିୟମ ବଦଳିଯାଇଛି। ଏବେ ପ୍ରତିଦିନ ସକାଳ ୧୦ଟାରୁ ସଂଧ୍ୟା ୫ଟା ଯାଏ ଖୋଲାଯାଉଛି। ଏହାସହ ପ୍ରତି ମାସର ଦ୍ବିତୀୟ ଶନିବାର ଦିନ ୧୦ଟାରୁ ୫ଟା ଯାଏ ଖୋଲାଯାଉଥିବା ବେଳେ ଏବେ କିନ୍ତୁ ସଂପୂର୍ଣ୍ଣ ଭାବେ ଗ୍ରନ୍ଥାଗାରକୁ ବନ୍ଦ କରାଯାଉଛି। ସେହିପରି ଚତୁର୍ଥ ଶନିବାର ଦିନ ଗ୍ରନ୍ଥାଗାର ବନ୍ଦ ରହିବାର କୌଣସି ବ୍ୟବସ୍ଥା ନଥିବା ବେଳେ ଏବେ କିନ୍ତୁ ପ୍ରତି ଚତୁର୍ଥ ଶନିବାର ଦିନ ବନ୍ଦ ରହୁଛି। ନିୟମ ଅନୁସାରେ ସୋମବାର ଦିନ ସାପ୍ତାହିକ ଛୁଟି ଥିବା ବେଳେ ତାକୁ ପରିବର୍ତ୍ତନ କରି ରବିବାର ଦିନ ଛୁଟି କରିଛନ୍ତି କର୍ତ୍ତୃପକ୍ଷ। ଏହାକୁ ୱେବ୍‌ସାଇଟ୍‌ରେ ମଧ୍ୟ ସଂଶୋଧନ କରାଯାଇନାହିଁ। ସକାଳ ୮ଟାରୁ ରାତି ୮ଟା ଯାଏ ଗ୍ରନ୍ଥାଗାର ଖୋଲିବା ପାଇଁ ପିଲାମାନେ ଦାବି କରୁଥିଲେ ମଧ୍ୟ କର୍ତ୍ତୃପକ୍ଷ ଏହାକୁ କର୍ଣ୍ଣପାତ କରୁନାହାନ୍ତି। ଗ୍ରନ୍ଥାଗାରରେ ପାଠପଢ଼ୁଥିବା ଏମଡି ସାଦିକ୍‌ଙ୍କ କହିବା କଥା, କିଛି ପିଲା ପାର୍ଟ ଟାଇମ୍‌ କାମ କରି ଏଠାରେ ବିଭିନ୍ନ ପ୍ରତିଯୋଗିତା ପରୀକ୍ଷା ପାଇଁ ପଢ଼ିବା ପାଇଁ ଆସିଥାନ୍ତି ମାତ୍ର ସମୟର ପରିବର୍ତ୍ତନ ଏବଂ ସାପ୍ତାହିକ ଛୁଟିର ପରିବର୍ତ୍ତନ ପାଇଁ ଆମେ ବହୁତ ହଇରାଣ ହେଉଛୁ।

ସେହିପରି ନିୟମ ଅନୁସାରେ ପ୍ରତି ୨ବର୍ଷରେ ୩୫୦ ପିଲାଙ୍କ ପାଇଁ ନୂଆ କାର୍ଡ କରିବା ବ୍ୟବସ୍ଥା ରହିଛି। ମାତ୍ର ୨୦୧୭ ମସିହାରେ ଶେଷଥର ପାଇଁ ନୂଆ କାର୍ଡ କରାଯାଇଥିଲା। ମାତ୍ର ୨୦୧୯ ପରଠାରୁ ଆଜି ଯାଏ ନୂଆ ପିଲାଙ୍କ ପାଇଁ କାର୍ଡର ବ୍ୟବସ୍ଥା କରାଯାଇନାହିଁ।

ସୂଚନା ଅନୁଯାୟୀ ୨୦୨୧ରେ ବିନା ନୋଟିସ୍‌ରେ ଲୁଚାଛପାରେ କିଛି ପିଲାଙ୍କର କାର୍ଡ କରାଯାଇଥିଲା। ଏହାକୁ ପ୍ରତିବାଦ କରି ସେଠାରେ ପଢୁଥିବା ପିଲାମାନେ ମଧ୍ୟ ତାଙ୍କର ନିଜ ସାଥୀଙ୍କର କାର୍ଡ କରିବା ପାଇଁ ଜିଦ୍ ଧରିବାରୁ କର୍ତ୍ତୃପକ୍ଷ ବାଧ୍ୟ ହୋଇ ଆଉ କିଛି ପିଲାଙ୍କର ନୂଆ କାର୍ଡ ବେଆଇନ ଭାବେ କରିଛନ୍ତି। ଏପଟେ କିଛି ନୂଆ ପିଲା କାର୍ଡ କରିବା ପାଇଁ ଆସି ନିରାଶ ହୋଇ ବାଧ୍ୟରେ ନିଜେ ଆଣି ଆସୁଥିବା ବହିକୁ ବାହାରେ ବସି ପଢୁଛନ୍ତି। ସେହିପରି ଗ୍ରନ୍ଥାଗାରରେ ପ୍ରତିବର୍ଷ ପିଲାଙ୍କ ଚାହିଦା ଅନୁସାରେ ନୂଆ ବହି କିଣା ହେବା କଥା। ପିଲାଙ୍କ ଚାହିଦା ଥିବା ବହିର ଲିଷ୍ଟକୁ ନେଇ ଏକ କମିଟି ହୁଏ। ସେଥିରେ ନିଷ୍ପତ୍ତି ହୁଏ ଯେ, କେଉଁ ବହି କିଣିଯିବ। ଅଭିଯୋଗ ଅନୁସାରେ ଏଠାରେ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ କୌଣସି ନୂଆ ବହି ଆସିନି। ସେହିପରି ଗ୍ରନ୍ଥାଗାରରୁ କିଛି ବହି ଚୋରି ହୋଇଗଲାଣି ତାର ତଥ୍ୟ ମଧ୍ୟ ଅଧିକାରୀମାନଙ୍କ ପାଖରେ ରହୁନି। ଲାଇବ୍ରେରିର କୌଣସି ରେଜିଷ୍ଟରରେ ବହିର ତଥ୍ୟ ଲେଖାଯାଉନାହିଁ।

ଏନେଇ ଗ୍ରନ୍ଥାଗାରର ଜଣେ ବରିଷ୍ଠ ଅଧିକାରୀଙ୍କୁ ପଚାରିବାରୁ କହିଥିଲେ, କରୋନା ପାଇଁ ନୂଆ ଲାଇବ୍ରେରି କାର୍ଡ କରାଯାଇନାହିଁ। କର୍ମଚାରୀ ସଂଖ୍ୟା କମ୍ ଥିବାରୁ ଫୁଲ୍ ଫେଜ୍‌ରେ ଗ୍ରନ୍ଥାଗାରକୁ ଖୋଲାଯାଇ ପାରୁନାହିଁ। ସେହିପରି ବହି ଚୋରି କଥା ସ୍ବୀକାର କରିଥିଲେ। କରୋନା ପାଇଁ ନୂଆ ବହି କିଣାଯାଇପାରିନାହିଁ। କିଣିବା ପାଇଁ ବଜେଟ୍ ହୋଇଛି ଏବେ କିଣାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର