ରାଜା ମଧୁସୂଦନ ଦେବ ବିଜ୍ଞାନ ଓ ଶିକ୍ଷା ଡିଗ୍ରି କଲେଜର ରଜତ ଜୟନ୍ତୀ

ଚାକିରି ପାଇଁ ନିଜକୁ ପ୍ରସ୍ତୁତ କର

ଚନ୍ଦ୍ରଶେଖରପୁର: ଯୁବପିଢ଼ିଙ୍କ ଲାଗି ଚାକିରି ସମସ୍ୟା ସବୁବେଳେ ଲାଗି ରହିଛି। ଆଗରୁ ଜଣେ ଛାତ୍ର ଡିଗ୍ରି ହାସଲ କରିବା ପରେ ଆଇଏଏସ୍‌, ଓଏଏସ୍‌ ନଚେତ ଅଧ୍ୟାପକ ହେବାକୁ ଲକ୍ଷ୍ୟ ରଖୁଥିଲେ। ନ ହେଲେ ସଚିବାଳୟର କିରାଣି। ଯଦି କିରାଣି ହୋଇପାରୁ ନ ଥିଲେ, ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ହେବାକୁ ଇଚ୍ଛା ପ୍ରକାଶ କରୁଥିଲେ। ଏହା ବାଦ୍‌ ଆଉ କିଛି ଚାକିରି ନଥିଲା। ଏବେ କିନ୍ତୁ ବହୁ ପରିବର୍ତନ ଆସିଛି। ଏତେ ପ୍ରକାର ଚାକିରି ରହିଛି ଯେ କଳ୍ପନାରେ ସୁଦ୍ଧା କେବେ ଭାବି ହେବ ନାହିଁ। ଭାରତରେ ଚାକିରିର ଅଭାବ ନାହିଁ। ହେଲେ ପିଲାମାନେ ଚାକିରି ପାଇଁ ନିଜକୁ ପ୍ରସ୍ତୁତ କରିବାରେ ଅବହେଳା କରୁଛନ୍ତି। ଯେଉଁଥିପାଇଁ ସମସ୍ୟା ସୃଷ୍ଟି ହେଉଛି। ନିଜକୁ ଏଭଳି ତିଆରି କର, ଯେମିତି ତୁମକୁ ଚାକିରି ପଛରେ ଗୋଡ଼େଇବାକୁ ପଡ଼ିବନି, ବରଂ ଚାକିରି ତୁମ ପଛରେ ଗୋଡ଼ାଇବ ବୋଲି ପଟିଆସ୍ଥିତ ରାଜା ମଧୁସୂଦନ ଦେବ ବିଜ୍ଞାନ ଓ ଶିକ୍ଷା ଡିଗ୍ରି କଲେଜର ରଜତ ଜୟନ୍ତୀ ସମାରୋହର ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେ‌ଇ ସାଂସଦ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। ଉତ୍ସବରେ ଉତ୍କଳ ବିଶ୍ବବିଦ୍ୟାଳୟ ପିଜି କାଉନସିଲ୍‌ ଅଧ୍ୟକ୍ଷ ପ୍ରଫେସର ବ୍ରହ୍ମାନନ୍ଦ ଶତପଥୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ କହିଲେ, ଏବେ ବ୍ୟାପକ ସୁବିଧା ସୁଯୋଗ ରହିଛି। ତାହାର ସଦ୍‌ବିନିଯୋଗ କରିବା ଆବଶ୍ୟକ। ଇଚ୍ଛାଶକ୍ତି ମାଧ୍ୟମରେ ବାପା, ମା’ଙ୍କ ଆଶାକୁ ପୂରଣ କର। ଯେ‌ତେ ଉପରକୁ ଗଲେ ମଧ୍ୟ ବାପା, ମା’ଙ୍କୁ ଭୁଲିବନି। ସମସ୍ତଙ୍କ ପ୍ରତି ବିନମ୍ରତା ଭାବ ଦେଖାଇବ। ନିଜ ଭିତରେ ଶୃଙ୍ଖଳାତା ଜ୍ଞାନ ରଖିବ। କର୍ତ୍ତବ୍ୟ କରିଚାଲିଲେ ଅଧିକାର ଆପେ ଆପେ ମିଳିବ ବୋଲି ସେ କହିଥିଲେ। ସ୍ଥାନୀୟ ବିଧାୟକ ତଥା କଲେଜ ପରିଚାଳନା ସମିତି ସଭାପତି ପ୍ରିୟଦର୍ଶୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଅଭିନେତ୍ରୀ ଅର୍ଚିତା ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବୈଷୟିକ ଜ୍ଞାନକୌଶଳକୁ ଠିକ୍‌ ଭାବେ ଉପଯୋଗ କରିବାକୁ ପରାମର୍ଶ ଦେଇଥିଲେ। ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ସାହୁ ସ୍ବାଗତ ଭାଷଣ ଦେବା ସହ ରଜତ ଜୟନ୍ତୀ ଉତ୍ସବ ସମ୍ପର୍କରେ ଆଲୋକପାତ କରିଥିଲେ। ଜୁନିଅର କଲେଜ ଅଧ୍ୟକ୍ଷ ତ୍ରିଲୋଚନ ରଥ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ପୁରସ୍କାର ପ୍ରଦାନ କରିଥିଲେ। ପରେ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

ସମ୍ବନ୍ଧିତ ଖବର